କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ଚୁଗୁଲେଇ କହିଲେ ତାଙ୍କୁ ଲୋକେ କହୁଛନ୍ତି English MLA। ଏହି ସଭାରେ ଥିଲ ଖୋଦ ପ୍ରକାଶ ସେଠୀ। ତାଙ୍କୁ ଧର୍ମେନ୍ଦ୍ର ଏପରି କହିବା ନେଇ ସେହି ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେହି ସଭାରେ ଉପସ୍ଥିତ ଥିବା କଟକ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ମୁରୁକୁ ମୁରୁକି ହସିଥିଲେ।
ଘଟଣାଟି ଘଟିଥିଲା କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ। ଯେଉଁ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୁହରି ମହତାବ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଯୋଗଦେଇଥିଲେ।
ତେବେ ଧର୍ମେନ୍ଦ୍ର ତାଙ୍କ ଭାଷଣରେ କହିଥିଲେ, ବିଧାୟକ ପ୍ରକାଶ ସେଠୀଙ୍କୁ ଲୋକମାନେ ଆଉ ଗୋଟିଏ ନାମରେ ଡାକୁଛନ୍ତି। ସେହି ନାମଟି କଣ ବୋଲି ସେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ। କେହି ଜଣେ ଉତ୍ତର ରଖିବା ପରେ ଧର୍ମେନ୍ଦ୍ର କହିଥିଲେ ହଁ ତାଙ୍କୁ ଇଙ୍ଗିଲସ ଏମଏଲଏ ବୋଲି ଡାକୁଛନ୍ତି। ତେବେ କାହିଁକି ଲୋକେ ଏପରି ଡାକୁଛନ୍ତି ତାହାର ସ୍ପଷ୍ଟିକରଣ ଧର୍ମେନ୍ଦ୍ର ରଖି ନ ଥିଲେ।
ତେବେ ପ୍ରକାଶ ବିଭିନ୍ନ ସମୟରେ ଯେପରି ଦୁର୍ବଳ ଇଙ୍ଗିଲସ କହୁଛନ୍ତି ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ସମାଲୋଚନା ହେବାରେ ଲାଗିଛି। ସେ ଭୁଲ ଇଂରାଜୀକୁ ଯେପରି ଇଂରାଜୀ ଜ୍ଞାନୀଙ୍କ ପରି କହୁଛନ୍ତି ତାହା ଯେ କେହି ଶୁଣୁଛି ସେ ନ ହସି ରହିପାରୁ ନାହିଁ। ତାହା ଧର୍ମେନ୍ଦ୍ର ଜାଣି ଥିବାରୁ ପ୍ରକାଶକୁ ତେରଚ୍ଛା ବାଣ ମାରିଦେଲେ।