ଭୁବନେଶ୍ବର: ଖୁବ ଶିଘ୍ର ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି ପୂର୍ବ ପରି ଯେପରି କାର୍ଯ୍ୟ କରିବା କଥା ତାହା କରୁ ନାହିଁ। ଲୋକେ ବର୍ତ୍ତମାନ ମଧ୍ୟ ଭାବୁଛନ୍ତି ବିଜେଡି ବିଜେପି ଏକ। ଦଳ ତରଫରୁ ଯେଉଁ ନିଷ୍ପତି ନିଆଯାଉଛି ତାହା ବିଜେଡି ବିଜେପି ସଂପର୍କ ଅଛି ବୋଲି ଜଣା ପଡୁଛି। ତାହା ଠିକ ନୁହେଁ ବୋଲି ଭୂପିନ୍ଦର ସିଂହ କହିଛନ୍ତି।
ସେହିପରି ସେ ଆହୁରି କହିଛନ୍ତି ଯେ, ଦଳ ଭିତରେ ଦଳଗତ ନିଷ୍ପତି ନେବା କଥା, ହେଲେ ବର୍ତ୍ତମାନ ତାହା ଜଣଗତ ନିଷ୍ପତି ହେଉଛି। ଘରର ମୁରବି ଯେତେବେଳେ କୌଣସି ନିଷ୍ପତି ଗ୍ରହଣ କରନ୍ତି ସେତେବେଳେ ସେ ସମସ୍ତଙ୍କ ମତ ନିଅନ୍ତି। ହେଲେ ବିଜେଡିରେ ତାହା କରାଯାଉ ନାହିଁ। ଏପରି କହି ଭୂପିନ୍ଦର ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଛନ୍ତି।
ସେ କହିଛନ୍ତି ଯେ, ଗତ ନିର୍ବାଚନ ପରଠାରୁ ବିଜେଡି ସଂସଦୀୟ ଦଳରେ କଣ ଆଭିମୁଖ୍ୟ ତାହା ଜଣାପଡୁ ନାହିଁ। ସେମାନେ କିଏ କେତେବେଳେ କଣ ନିଷ୍ପତି ନେଉଛନ୍ତି ତାହା ସ୍ପଷ୍ଟ ନୁହେଁ। ଫଳରେ ଲୋକେ ଦଳର ଏପରି ନିଷ୍ପତି ଉପରେ ସନ୍ଦେହ ପ୍ରକାଶ କଲେଣି। ବିଜେଡି ମୁଖ୍ୟ ବିରୋଧୀ ହୋଇଥିଲେ ମଧ୍ୟ ଯେମିତି ବିରୋଧ କରିବା କଥା ତାହା ହୋଇପାରୁ ନାହିଁ ବୋଲି ଭୂପିନ୍ଦର କହିଛନ୍ତି।
ତେବେ ଏହି ସାମ୍ବିଦିକ ସମ୍ମିଳନୀରେ ଭୂପିନ୍ଦର କଂଗ୍ରେସକୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜେଡି ମୁଖ୍ୟ ବିରୋଧୀ ଭୂମିକା ନ ନେବାରୁ ଲୋକେ ଏବେ କଂଗ୍ରେସକୁ ମୁଖ୍ୟ ବୋଲି ଭାବି ସାରିଲେଣି। ଅନ୍ୟ ପକ୍ଷରେ କଂଗ୍ରେସ ବର୍ତ୍ତମାନ ସର୍ବ ଭାରତୀୟ ସ୍ତରରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଗ୍ରାଫ ଉପରକୁ ଉଠିବାରେ ଲାଗିଛି। ରାଜ୍ୟରେ ମଧ୍ୟ ସେହି ହିସାବରେ କଂଗ୍ରେସ ଉପରକୁ ଉଠିବାରେ ଲାଗିଛି।
ଭୂପିନ୍ଦର ସିଂ 2014 ମସିହାରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା। 2019 ମସିହାରେ ବିଜେଡି ତାଙ୍କୁ ତାଙ୍କର ପାରଂପାରିକ ଆସନ ନର୍ଲାରେ ଛିଡା କରାଇଥିଲା। ସେ ସେଠାରୁ ଜିତିଥିଲେ। ହେଲେ 2024 ମସିହାରେ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ତେବେ ବିଜେଡି ପୂର୍ବରୁ ସେ 2009 ମସିହାରେ କଂଗ୍ରେସରେ ସେଠାରୁ ଜିତି ବିରୋଧୀ ଦଳର ନେତା ହୋଇଥିଲେ।