ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ତଳସାହିରେ ଡ୍ରେନ ନିର୍ମାଣକୁ ନେଇ ଚାଲିଥିବା ଦୀର୍ଘ ଦିନର ବିବାଦର ଅନ୍ତ ଘଟାଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ। ସୂଚନା ମୁତାବକ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ୨୦୨୩ ମସିହାରେ ଉକ୍ତ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନକରି ବେଆଇନ ଭାବେ ପେଭର ବ୍ଲକ ରୋଡ ନିର୍ମାଣ କରାଯିବାରୁ ସ୍ଥାନୀୟ ବାସିନ୍ଦା ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ଘରେ ବର୍ଷାଜଳ ପ୍ରବେଶ କରୁଅଛି। ସେ ଏହାକୁ ବିରୋଧ କରି ଏବଂ ଉକ୍ତ ସାହିରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ରିଟ ପିଟିସନ ଦାୟର କରିଥିଲେ। ମାମଲାକୁ ବିଚାର କରି ଏଠାରେ ଡ୍ରେନ ନିର୍ମାଣ ନେଇ ନିଷ୍ପତି ନେବାକୁ ଉଚ୍ଚ ନ୍ୟାୟାଳୟ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଇତି ମଧ୍ୟରେ ଏନଏସି ଦ୍ୱାରା ଚଳିତ ବର୍ଷ ମଇ ୨୩ ତାରିଖରେ ଉକ୍ତ ସାହିରେ ଆଂଶିକ ଜବରଦଖଲ ଉଛେଦ ହୋଇଥିବାବେଳେ ଅବଶିଷ୍ଟ ଉଛେଦ ହୋଇନଥିଲା।
ତେବେ ଅବଶିଷ୍ଟ ଉଛେଦ ପାଇଁ ଦୁଇ ଦୁଇ ଥର ଉଛେଦ କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ବେଳେ ଏହାକୁ ବିରୋଧ କରି ଉକ୍ତ ସାହିର କିଛି ବାସିନ୍ଦା ଉଛେଦ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ରେ ସମାନ ବିଷୟ ନେଇ ଦୁଇ ଗୋଟି ପୃଥକ ପୃଥକ ରିଟ ମାମଲା( ସଂଖ୍ୟା ୧୮୨୩୩/୨୫,୨୪୧୬୯/୨୫) ଦାୟର କରିଥିଲେ । ତେବେ ପ୍ରଥମ ମାମଲାରେ ଆଇନଜୀବୀ ଶ୍ରୀ ଅଗ୍ରୱାଲଙ୍କୁ ଆବେଦନକରି ପକ୍ଷ କରିଥିବା ବେଳେ ଦ୍ଵିତୀୟ ମାମଲାରେ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସାହି ବାସିନ୍ଦା ବାଳମୁକୁନ୍ଦ ଦାସ କେତେକ ମିଥ୍ୟା ତଥ୍ୟ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଦାଖଲ କରିଥିଲେ।
ପ୍ରଥମ ମାମଲାରେ ଅଦାଲତର ରହିତାଦେଶ ନଥିବା ବେଳେ, ଉଭୟ ମାମଲା ସମାନ ବିଷୟର ହୋଇଥିବାରୁ ସେପ୍ଟେମ୍ବର ୨ ରେ ଦ୍ଵିତୀୟ ମାମଲାର ଅନ୍ତରୀଣ ଆବେଦନର ଶୁଣାଣି କରି ଉଛେଦ କାର୍ଯ୍ୟକୁ ଏକ ଦିନ ପାଇଁ ଅର୍ଥାତ ସେପ୍ଟେମ୍ବର ୩ ତାରିଖ ପାଇଁ ରୋକ ଲଗାଇ, ସେପ୍ଟେମ୍ବର ୩ ରେ ଉଭୟ ମାମଲାର ସମାନ୍ତରାଳ ଶୁଣାଣି କରିଥିଲେ ମାନ୍ୟବର ବିଚାରପତି ଜଷ୍ଟିସ ଡ଼ ସଞ୍ଜୀବ କୁମାର ପାଣିଗ୍ରାହୀ। ପୂର୍ତ୍ତ ବିଭାଗ ଦ୍ୱାରା ବାଣପୁର ଏନଏସି ରେ ଅଦ୍ୟାବଧି ମୁଖ୍ୟ ଡ୍ରେନ ନିର୍ମାଣ ହୋଇନାହିଁ,ଯାହା ଫଳରେ ତଳସାହିରେ ସବ ଡ୍ରେନ ନିର୍ମାଣ ଦ୍ୱାରା ମା’ ଭଗବତୀ ମନ୍ଦିରକୁ ଯାଇଥିବା ଉକ୍ତ ରାସ୍ତାର କ୍ଷତି ହେବ, ବର୍ଜ୍ୟ ଜଳ ମୁଖ୍ୟ ରାସ୍ତାରେ ପ୍ରବାହିତ ହେବ ଆଦି ବିଭିନ୍ନ ମିଥ୍ୟା ତଥ୍ୟ ଓ କାରଣ ଦର୍ଶାଇ ସାହିର କିଛି ବାସିନ୍ଦା ଉକ୍ତ ଦୁଇ ଗୋଟି ସମାନ ମାମଲା ଦାୟର କରିଥିଲେ। ଶୁଣାଣିବେଳେ ସରକାରଙ୍କ ପକ୍ଷରୁ ବାଣପୁର ଏନଏସି ରେ ପୂର୍ତ୍ତ ବିଭାଗ ଦ୍ୱାରା ମୁଖ୍ୟ ଡ୍ରେନ ନିର୍ମାଣ ହୋଇଥିବାର ବଳିଷ୍ଠ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଏବଂ ମୁଖ୍ୟ ଡ୍ରେନ ନିର୍ମାଣ ହୋଇଥିବାରୁ ତଳସାହିରେ ସବ ଡ୍ରେନ ନିର୍ମାଣ କରାଗଲେ ଉକ୍ତ ରାସ୍ତାର କୌଣସି କ୍ଷତି ହେବ ନାହିଁ ଏବଂ ଡ୍ରେନ ନିର୍ମାଣ ସମୟରେ ସାହି ରାସ୍ତା ଯଥା ମା’ ଭଗବତୀ ମନ୍ଦିର ଯିବାକୁ ରାସ୍ତାର ଯେପରି କୌଣସି କ୍ଷତି ନଘଟେ ସେଥିପ୍ରତି ଜିଲ୍ଲା ପ୍ରଶାସନ ପୁରା ଧ୍ୟାନ ଦେବ ବୋଲି ସରକାରୀ ଓକିଲ ଅଦାଲତ କୁ କହିଥିଲେ। ଉଭୟ ପକ୍ଷକୁ ଶୁଣାଣି କରି ମାନ୍ୟବର ବିଚାରପତି ମୁଖ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ସରିଥିବା ସତ୍ୟ ଏବଂ କିଛି ସାହି ବାସିନ୍ଦା ମିଥ୍ୟା ତଥ୍ୟ ଦେଇ ଅଦାଲତରେ ଉଭୟ ମାମଲା ଦାୟର କରିଥିବା ହୃଦୟଙ୍ଗମ କରିଥିଲେ।
ମୁଖ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ସରିଥିବାରୁ ସବ ଡ୍ରେନ ନିର୍ମାଣର ଆବଶ୍ୟକତା ଥିବାରୁ ଆବେଦନକାରୀଙ୍କ ଦାୟର ହୋଇଥିବା ରିଟ ପିଟିସନ ଗୁଡିକ ଭିତ୍ତିହୀନ ଏବଂ ଗ୍ରହଣଯୋଗ୍ୟ ନୁହେଁ ବୋଲି ମାନ୍ୟବର ବିଚାରପତି ଦର୍ଶାଇଥଲେ।
ତେବେ ଭବିଷ୍ୟତରେ ଯଦି ଏ ନେଇ ଆବେଦନକାରିଙ୍କ କୌଣସି ସମସ୍ୟା ହୁଏ ତେବେ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ତାହାର ସମାଧାନ ପାଇଁ ଯାଇପାରିବେ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ସୋନକ ମିଶ୍ର ପରିଚାଳନା କରୁଥିବା ବେଳେ, ପ୍ରତିବାଦୀ ସୀତାରାମ ଅଗ୍ରୱାଲଙ୍କ ତରଫରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ଏବଂ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରୁଥିଲେ।