Categories
ଆଞ୍ଚଳିକ

ବାଣପୁର ଏନଏସି ରାସ୍ତାରେ କୃତ୍ରିମ ପାର୍କର ଭ୍ରମ: ନଷ୍ଟ ହେଲା ହଜାର ହଜାର ଲିଟର ପାନୀୟ ଜଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନଏସି ର ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମ ରାସ୍ତାରେ ପାନୀୟ ଜଳ ପାଇପ ଫାଟି କୃତ୍ରିମ ପାର୍କର ଭ୍ରମ ସୃଷ୍ଟି ହୋଇଛି।

ଉକ୍ତ ରାସ୍ତା ଦେଇ ବାଣପୁର ସବ ଜେଲ, ଭବାନୀପୁର ପଞ୍ଚାୟତ, ଶନି ମନ୍ଦିରକୁ ଏକାଧିକ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ଆଜି ସକାଳେ ଉକ୍ତ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ସମୟ ଧରି ହଜାର ହଜାର ଲିଟର ପାନୀୟ ଜଳ ନଷ୍ଟ ହୋଇଛି।

ଗୋଟିଏ ପକ୍ଷରେ ସରକାର ଜଳ ହିଁ ଜୀବନ ନାରା ଦେଉଥିବା ବେଳେ ଅପରପକ୍ଷରେ ଏପରି ପାନୀୟ ଜଳ ଅପବ୍ୟୟ ସ୍ଥାନୀୟ ପ୍ରଶାସନର ଅନ୍ତରିକତା କୁ ପଦାରେ ପକାଇଛି।

ତେବେ ଏ ଦୃଶ୍ୟ କିଛି ନୂଆ ନୁହେଁ। ବାଣପୁର ଏନଏସି ର ପ୍ରତି ୱାର୍ଡରେ ନିତିଦିନ ଏହିପରି ଛୋଟ ମୋଟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରତି ଘରେ ପିଇବା ପାଣି ପାଇଁ ମୁଖ୍ୟ ରାସ୍ତାକୁ ଖୋଳି ଟ୍ୟାପ କନେକ୍ସନ ଦିଆଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ଲାଗି ଏପରି ବାରମ୍ବାର ଘଟଣା ଘଟୁଛି ଏବଂ ହଜାର ହଜାର ପାନୀୟ ଜଳ ଅପଚୟ ହେଉଛି।

ସହରର ବିଷରପାଟଣା, ଥାନା ରୋଡ, କଲେଜ ଛକ ଆଦି ସ୍ଥାନରେ ପ୍ରତିଦିନ ପାନୀୟ ଜଳ ଅପବ୍ୟୟ ହେଉଛି। ଅନୁରୂପଭାବେ ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏକାଧିକ ୱାର୍ଡ ଉକ୍ତ କାରଣରୁ ଜଳମଗ୍ନ ହୋଇ ରହୁଛି। ଏନଏସି କର୍ତ୍ତୃପକ୍ଷ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉକ୍ତ ସମସ୍ୟାପ୍ରତି ଦୃଷ୍ଟିଦେବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରବାସୀ ପଚାରୁଛନ୍ତି: ହେ.. ଏନଏସି, ହୋ.. ପୁର୍ତ୍ତ ବିଭାଗ, ଆଉ କେତେଦିନ ଶୋଇବ ??

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ବହୁ ପୁରାତନ ଓ ଗୁରୁତ୍ୱପୂର୍ଣ ସହର ହୋଇଥିବା ବେଳେ ୧୯୭୩ ମସିହାରେ ଏହାକୁ ଏନଏସି ମାନ୍ୟତା ମିଳିଥିଲା। ତେବେ ୫୦ ବର୍ଷ ପରେ ମଧ୍ୟ ସହରର ଆଖିଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ। ପ୍ରଶାସନ ଓ ରାଜନେତାଙ୍କ ଇଛାଶକ୍ତି ଅଭାବରୁ ସହରରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ।

ବାଣପୁର ଏନଏସି ର ମୁଖ୍ୟ ସମସ୍ୟା ଡ୍ରେନେଜ ଓ ପାର୍କିଂ ହୋଇଥିବା ବେଳେ ଏଥିପ୍ରତି ଆଖି ବୁଜିଦେଇଛି ପ୍ରଶାସନ। ସହରର ଦୋଳବେଦି ଛକଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାବେଳେ ଏଥି ପ୍ରତି ଟିକେ ହେଲେ ଦୃଷ୍ଟି ଦେଉନି ପ୍ରଶାସନ।

ହସ୍ତଗତ ତଥ୍ୟ ମୁତାବକ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ବିଭାଗର। ତେବେ ଉକ୍ତ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଦୁଇ ଦଶନ୍ଧି ପୁର୍ବରୁ ନିର୍ମାଣ ହୋଇଥିବା ଏହି ରାସ୍ତାର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି। ରାସ୍ତାରେ ଏକାଧିକ ସ୍ଥାନରୁ କଂକ୍ରିଟ ଉଠିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲଖମା ଓ ଫାଟ ସୃଷ୍ଟି ହୋଇଛି। ଫଳରେ ନିତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ଅନୁରୂପ ଭାବେ ଉକ୍ତ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ମୁଖ୍ୟରାସ୍ତା ଜଳମଗ୍ନ ହେଉଛି ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଣପୁର ସହରରେ ଡ୍ରେନେଜ ବ୍ୟବସ୍ଥା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିବା ବେଳେ ଏଯାବତ ଏହାର ସମାଧାନ କରିବା ଦିଗରେ ବିଫଳ ରହିଛି ପୂର୍ତ୍ତ ବିଭାଗ।

ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏକାଧିକ ଥର ଅବଗତ କରାଯାଇଥିବା ବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦ୍ୟମକ୍ରମେ ମୁଖ୍ୟ ରାସ୍ତା ଡ୍ରେନେଜ ନିର୍ମାଣ ପାଇଁ ଗତବର୍ଷ ପାଖାପାଖି ୨୧ କୋଟି ଅର୍ଥରାଶିର ଏସ୍ଟିମେଟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଯାଇଥିବା ବେଳେ ତାହା ଅଦ୍ୟାବଧି ମଞ୍ଜୁର ହୋଇନାହିଁ। ଯାହାଫଳରେ ଚଳିତ ବର୍ଷାଋତୁରେ ପୁଣି ଜଳମଗ୍ନ ହେବ ବାଣପୁର।

ସେହିପରି ଭାବେ ଅଗଷ୍ଟ ୮ ତାରିଖରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ନିକଟରେ ତହସିଲ ଓ ପୂର୍ତ୍ତବିଭାଗ ପକ୍ଷରୁ ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ କିଛି ରାସ୍ତା ଖୋଳାଯାଇଥିବା ବେଳେ ଅଦ୍ୟାବଧି ସାଢେ ଚାରି ମାସ ହେଲାଣି କିନ୍ତୁ ଏଯାବତ କୌଣସି ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହଁ।

ଯାହାଫଳରେ ପ୍ରବଳ ଜନଅସନ୍ତୋଷ ଦେଖାଯାଇଛି। ସେହି ସମୟରେ ୫-ଟି ଅଧ୍ୟକ୍ଷଙ୍କ ବାଣପୁର କାର୍ଯ୍ୟକ୍ରମ ବାତିଲ ହୋଇ ନାଚୁଣୀ ହୋଇଯାଇଥିବାରୁ ପୂର୍ତ୍ତବିଭାଗ ଆଉ ଏଥିପ୍ରତି ଦୃଷ୍ଟି ଦେଉନି ବୋଲି ଅଭିଯୋଗ ହେଉଛି। ଖୋଳାଯାଇଥିବା ରାସ୍ତା କଡ଼ରେ ଥିବା ବାସିନ୍ଦା ଓ ଦୋକାନୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥି ଲାଗି ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି।

ଅନ୍ୟପକ୍ଷରେ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ନଦେଇ ପୂର୍ତ୍ତବିଭାଗ ଚୁପ ବସିଛି। ପୂର୍ତ୍ତବିଭାଗ ଅଧୀନରେ ଥିବା ମୁଖ୍ୟରାସ୍ତାର ଉଭୟପାର୍ଶ୍ୱରେ ଜବରଦଖଲ ଥିବା ବେଳେ, ଏହାକୁ ଉଛେଦ କରିବା ଦିଗରେ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁନାହିଁ ବିଭାଗ। ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟିହେଉଛି। ସମ୍ପ୍ରତି ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ଶୂନ୍ୟ ଥିବା ବେଳେ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଚୁପ ବସିଛନ୍ତି। କାହାକୁ ଉକ୍ତ ସମସ୍ୟା ଦେଖାଯାଉନାହିଁ।

ବାଣପୁର ତହସିଲଦାର, ବିଡିଓ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଉକ୍ତ ସମସ୍ୟାକୁ ଦେଖି ନଦେଖିଲା ପରି ଚୁପ ରହୁଛନ୍ତି। ପ୍ରତିଦିନ ସମସ୍ତ ଅଧିକାରୀ ମାନେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ସମସ୍ୟାର ସମାଧାନ ଦିଗରେ କାହାରି ଆନ୍ତରିକତା ରହୁନାହିଁ।

ତେବେ ଏ ନେଇ ପୂର୍ତ୍ତବିଭାଗ ବାଲୁଗାଁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ପେଟ୍ରୋଲ ପମ୍ପ ଡ୍ରେନ ନିର୍ମାଣ କାର୍ଯ୍ୟ ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କହିଛନ୍ତି। ସେହିପରି ଭାବେ ମୁଖ୍ୟ ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଆଗାମୀ ଆର୍ଥିକ ବର୍ଷରେ ହେବ ବୋଲି କହିବା ସହ ଖୁବଶୀଘ୍ର ସାମୟିକ ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ତେବେ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ୫୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜଳବନ୍ଦୀ ସମସ୍ୟା ପାଇଁ ସଦାବେଳେ ଏହା ସମାଲୋଚିତ ହୋଇଆସୁଛି। ଏନଏସି ଦେଇ ଯାଇଥିବା ମୁଖ୍ୟ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି।

ତେବେ ଏ ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଗତବର୍ଷ ଦୋଳ ବେଦି ଛକରୁ ପଲଟନ ପଡିଆ ପର୍ଯ୍ୟନ୍ତ ଏକ ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ଅଦ୍ୟାବଧି ତାହା ମଧ୍ୟ ହୋଇପାରି ନାହିଁ। ଉକ୍ତ ଡ୍ରେନେଜ ନିର୍ମାଣ ପାଇଁ ବ୍ୟୟ ଅଟକଳ ସରକାରଙ୍କ ପକ୍ଷରେ ଅନୁମୋଦନ ପାଇଁ ପଡ଼ି ରହିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କେବଳ ବିଧାରପୁର ଛକରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ବିଧାରପୁର ଛକଠାରୁ ସାନ କେନାଲ(୨୨୦ମିଟର) ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଚାରି ଫୁଟର ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଆଜି ଜବରଦଖଲ ଉଛେଦ ଅଭିଯାନ ଜାରି ରହିଥିଲା। ପୂର୍ତ୍ତବିଭାଗର ଅନୁରୋଧ କ୍ରମେ ତହସିଲଦାର ଓ ସ୍ଥାନୀୟ ଆଇଆଇସିଙ୍କ ଉପସ୍ଥିତିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଉକ୍ତ ଜବରଦଖଲ ଉଛେଦ କରାଯାଇ ଥିଲା।

ତେବେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଗତ ଦୁଇ ବର୍ଷ ତଳେ ସମାନ ସମସ୍ୟାକୁ ଏଡାଇବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ପାଖପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ବିଧାରପୁର ଛକରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା ଯାହାକି ମାତ୍ର ଏକ ମାସ ପରେ ପୁନଶ୍ଚ ଜବରଦଖଲ ହୋଇଯାଇଥିଲା।

ତେଣୁ ବାରମ୍ବାର ପକ୍କା ଡ୍ରେନ ନିର୍ମାଣ ନକରି କେବଳ ତାଳିପକା ଡ୍ରେନ ନିର୍ମାଣ ଫଳରେ ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟର୍ଥ ବ୍ୟୟ ହେଉଛି। ବିଧାରପୁର ଛକକୁ ବାଦ ଦେଲେ ମଧ୍ୟ ସହରର ଥାନା, ପୁରୁଣା ଏନଏସି କାର୍ଯ୍ୟାଳୟ ସମ୍ମୁଖ , ମେଡିକାଲ ଛକ, ନୂତନ ଏନଏସି କାର୍ଯ୍ୟାଳୟ ସମ୍ମୁଖ , ଗାଲୁଆ ଛକ, ଚିଆଙ୍କ ସାହି ଛକ ଆଦି ସ୍ଥାନରେ ବରାବର ବର୍ଷା ଜଳ ଜମି ରହୁଛି।

ତେବେ ଉକ୍ତ ସ୍ଥାନରେ ମଧ୍ୟ ଡ୍ରେନେଜ ସୁବିଧା କରାନଗଲେ ବାଣପୁର ସହର ପୁନଶ୍ଚ ଜଳମଗ୍ନ ହେବ l ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ମୁଖ୍ୟ ରାସ୍ତା ସମେତ ୱାର୍ଡ ୱାରୀ ପକ୍କା ଡ୍ରେନେଜ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ଏନଏସି ରେ ନୂତନ ଇଓ ଭାବେ ଯୋଗଦେଲେ କାଦମ୍ବିନୀ ଜେନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ ବରିଷ୍ଠ ପ୍ରଶାସିକା କାଦମ୍ବିନୀ ଜେନା କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀମତୀ ଜେନା ଏହା ପୁର୍ବରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀରେ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ବିଭିନ୍ନ ଏନଏସିରେ ପ୍ରଶାସିକା ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବାଣପୁର ପରି ଗୁରୁତ୍ୱପୂର୍ଣ ଏନଏସିରେ ଉନ୍ନୟନ କାର୍ଯ୍ୟ କରିବାରେ ତାହା ସହାୟକ ହେବ ବୋଲି ଆଶା କରାଯାଉଛି।

ଆଜି ଅସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରି ବାଣପୁର ବିଡ଼ିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବାପରେ ଏନଏସି ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ତେବେ ସରକାରଙ୍କ ମୁକ୍ତା ଯୋଜନା ସମେତ ସମସ୍ତ ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡିକ କିପରି ଏନଏସିରେ ସଠିକ ଭାବେ ଲାଗୁ କରିହେବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତି ଜେନା।

Categories
ଆଞ୍ଚଳିକ

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ଶ୍ରୀ ମହାନ୍ତିଙ୍କ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିଲା। ବେଙ୍ଗରାଜପଲ୍ଲି ଠାରେ ଏ ନେଇ ଏକ ସଭାର ଆୟୋଜନ ଏନଏସି ପକ୍ଷରୁ କରାଯାଇଥିଲା।

ଉକ୍ତ ବିଦାୟକାଳୀନ ସଭାରେ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ , ବିଡ଼ିଓ ଶୀତଲ ଅଗ୍ରୱାଲ, ସମସ୍ତ କାଉନସିଲର ଏବଂ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ଶ୍ରୀ ମହାନ୍ତିଙ୍କ ସହ କାର୍ଯ୍ୟ କରିଥିବା ସୁଖଦ ସମୟ ଗୁଡିକ ମନେ ପକାଇବା ସହ ତାଙ୍କ ପ୍ରଶଂସା କରିଥିଲେ।

କରୋନା ପରବର୍ତ୍ତୀ ସମୟରେ ଶ୍ରୀ ମହାନ୍ତି ନୂତନ ଭାବେ ବାଣପୁର ଏନଏସି ଦାୟିତ୍ୱ ନେଇଥିଲେ। ଏବଂ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଉକ୍ତ ଦାୟିତ୍ୱରେ ରହି ଏନଏସି ରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବାର ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ। ସମସ୍ତଙ୍କୁ ସାଥିରେ ନେଇ ଉନ୍ନୟନ କାର୍ଯ୍ୟ ଜାରି ରଖିବାର ଉଚ୍ଚ ମନୋବୃତ୍ତି ଶ୍ରୀ ମହାନ୍ତିଙ୍କ ପାଖେ ଥିବା ସମସ୍ତ କର୍ମଚାରୀମାନେ ପରିପ୍ରକାଶ କରିଥିଲେ। ସଭାଶେଷରେ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା।

Categories
ଆଞ୍ଚଳିକ ବ୍ୟବସାୟ

ବାଣପୁରରେ ଖୋଲିଲା ନୂଆ ସପିଂ ମଲ: ୯୯ ଟଙ୍କାରେ ମିଳିବ ଘରୋଇ ଉପକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ତହସିଲ ରୋଡରେ ଖୋଲିଛି ନୂଆ ସପିଙ୍ଗ ମଲ ବଜାର ୯୯। ତେବେ ଉକ୍ତ ସପିଙ୍ଗ ମଲର ନାମରେ ଏହାର ବିଶେଷତ୍ୱ ଲୁଚି ରହିଛି। ଏଠାରେ ବିଭିନ୍ନ ଘରୋଇ ଉପକରଣ ଏବଂ ଶିଶୁମାନଙ୍କ ଖେଳଣା ଉପଲବ୍ଧ ଯାହାର ମୂଲ୍ୟ ରହିଛି ମାତ୍ର ୯୯ ଟଙ୍କା। ଏଠାରେ ଉପଲବ୍ଧ ସମସ୍ତ ସାମଗ୍ରୀର ମୂଲ୍ୟ ୯୯ ଟଙ୍କା ରହିଛି।

ତେବେ ଆମର ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ପ୍ରକାର ଘରୋଇ ଉପକରଣ ଏଠାରେ ଗ୍ରାହକମାନଙ୍କୁ ମିଳିବ। ବିଭିନ୍ନ ଘର ସାଜସଜା ଜିନିଷ ସହ ଛୋଟ ଶିଶୁଙ୍କ ଖେଳଣା ମଧ୍ୟ ଏଠାରେ ଉପଲବ୍ଧ ଯାହାର ମୂଲ୍ୟ ରହିଛି କେବଳ ୯୯ ଟଙ୍କା। ସମ୍ପ୍ରତି ଯୁଗରେ ସମସ୍ତେ ବିଭିନ୍ନ ଅନଲାଇନ ୱେବସାଇଟରୁ ଘରୋଇ ଉପକରଣ ଶସ୍ତାରେ କିଣୁଥିବାବେଳେ ବଜାର ୯୯ରେ ଉକ୍ତ ସମସ୍ତ ଉପକରଣ ୯୯ ଟଙ୍କାରେ ଉପଲବ୍ଧ।

ଫଳରେ ଗରିବ ଠାରୁ ମଧ୍ୟବିତ୍ତ ସବୁ ବର୍ଗକୁ ଏହା ନିଶ୍ଚିତ ସୁହାଇବ ବୋଲି ୯୯ ବଜାର ସପିଙ୍ଗ ମଲ ମାଲିକ ତଥା ବାଣପୁର ଅଞ୍ଚଳର ସମାଜସେବୀ ଡ଼ା ଶକ୍ତିପ୍ରସାଦ ମହାନ୍ତି କହିଛନ୍ତି। ତେବେ ଆଜି ଉଦଘାଟନ ଦିବସରେ ଉକ୍ତ ସପିଙ୍ଗ ମଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଞ୍ଚଳିକ

ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ପାଇଁ ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।  ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି।

ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।  ରଥଯାତ୍ରା ପରି ବାହୁଡ଼ାଯାତ୍ରାରେ ମଧ୍ୟ ସ୍ଵେଚ୍ଛାସେବୀ ନିୟୋଜିତ ହେବେ ବୋଲି ନିଷ୍ପତି ନିଆଯାଇଛି।

ଅନୁରୂପ ଭାବେ ଶୃଙ୍ଖଳିତ ବାହୁଡ଼ାଯାତ୍ରାକୁ ଗୁରୁତ୍ୱ ଦେଇଛନ୍ତି ଆଇଆଇସି ଶ୍ରୀ ପରିଡ଼ା।  ପରିଶେଷରେ କାର୍ଯ୍ୟନିବାହି ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଏନଏସି ରେ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ: ମୁକ୍ତା ଯୋଜନା ଉପରେ ଗୁରୁତ୍ଵ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ରେ ଏକ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ଗ୍ରୁପ ଏବଂ ପୌର କର୍ମଚାରୀମାନେ ଯୋଗ ଦେଇଥିଲେ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟରରୁ ସର୍ବେଶ୍ୱର ସିଂ ସାହୁ, ଜାଗ୍ରିତି ସିଂ ଏବଂ ମଧୁସ୍ମିତା ସାହୁ ଆଦି ଅଧିକାରୀ ମାନେ ସମସ୍ତଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଶେଷକରି ମୁକ୍ତା ଯୋଜନାର ସଫଳ ରୂପାୟନକୁ ଉକ୍ତ ଶିବିରରେ ପ୍ରାଧାନ୍ୟ ଦିଆଯାଇଥିଲା।

ମୁକ୍ତା ଯୋଜନାରେ ଆସୁଥିବା ଉନ୍ନୟନ ପ୍ରକଳ୍ପଗୁଡିକୁ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ପନ୍ଦର ଗୋଟି ୱାର୍ଡରୁ ପନ୍ଦର ଗୋଟି ମିଶନ ଶକ୍ତି ଗ୍ରୁପ ଉକ୍ତ ଶିବିରରେ ଭାଗ ନେଇଥିଲେ। ମୁକ୍ତା ଯୋଜନା ଦ୍ୱାରା କିପରି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ତାହାର ବିଶେଷ ପ୍ରଶିକ୍ଷଣ ଉକ୍ତ ଶିବିରରେ ପ୍ରଦାନ କରାଯାଇଥଲା।

ଉକ୍ତ କାର୍ଯ୍ୟକ୍ରମକୁ ‘ମୁକ୍ତା’ ସଂଯୋଜକ ମାନସ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଗୁରୁଗୋବିନ୍ଦ ପ୍ରଧାନ ଏବଂ ତନ୍ମୟ ବିହାରୀ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଧୁମଧାମରେ ପାଳନ ହେବ ରଥଯାତ୍ରା।

ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଏବଂ ଶ୍ରୀ ଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ସଭାଗୃହରେ ଏକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ଵେଚ୍ଛାସେବୀ ପରିଚାଳନା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆଜିର ବୈଠକରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ। ଏଥି ନିମନ୍ତେ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରଥମ ଥର ପାଇଁ ଡ୍ରେସ କୋଡ଼ ଏବଂ ଆଇ କାର୍ଡ ବ୍ୟବସ୍ଥା କରାଯାଇଛି। ଉକ୍ତ ଆଇ କାର୍ଡ ଓ ଟି ସାର୍ଟ ସ୍ଥାନୀୟ ଆଇଆଇସି ପ୍ରଦାନ କରିବେ।

ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ, ଆରଏସଏସ କର୍ମକର୍ତ୍ତା ରଥ ଟାଣିବା ଦାୟିତ୍ୱରେ ରହିବାକୁ ଥିବା ବେଳେ ମହିଳା ଭକ୍ତମାନେ ଦେବି ସୁଭଦ୍ରାଙ୍କ ରଥ ଟାଣିବେ। ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ଵେଚ୍ଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ।

ରଥ ଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥି ନିମନ୍ତେ ବାଲୁଗାଁ ଏସଡ଼ିପିଓ ଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରଥ ଟଣା ପୁର୍ବରୁ ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଏସଡିପିଓ କିଛି ପ୍ରଶିକ୍ଷଣ କୌଶଳ ପ୍ରଦାନ କରିବେ। କହିବାକୁ ଗଲେ ବାଣପୁରରେ ଚଳିତ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ତାହା ଉପରେ ବେଶ ସଜାଗ ଅଛି ପ୍ରଶାସନ। ରଥ ଟଣା ସମୟରେ ସମସ୍ତ ବଜାର ବନ୍ଦ ରହିବ।

ଅନୁରୂପ ଭାବେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ରଥଯାତ୍ରାକୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ରଥଟଣା ପଥକୁ ଚିତ୍ରଣ କରାଯିବ ବୋଲି କହିଛନ୍ତି। ବିଶରପାଟଣା ସ୍ଥିତ ‘ଆଇ ଲଭ ବାଣପୁର’ ସେଲ୍ଫି ପଇଣ୍ଟ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଶ୍ରୀ ଚକାଦେବଙ୍କ ଗୁଣ୍ଡିଚା ଘର ରାସ୍ତାକୁ ବିଭିନ୍ନ ଝୋଟି ଓ ଚିତାରେ ଚିତ୍ରିତ କରାଯିବ। ଏଥି ନିମନ୍ତେ ସ୍ୱତନ୍ତ୍ର ଚିତ୍ରକାର ନିୟୋଜିତ ହେବେ। ଏହାଦ୍ୱାରା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହ ରଥଯାତ୍ରା ଟି ଆକର୍ଷଣୀୟ ହେବ।

ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣପୁର ତହସିଲଦାର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ମାମଲା: ୯ ମହିଳାଙ୍କ ସମେତ ୧୮ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଗତକାଲି ଏକ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିଲେ। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ କେସ ନମ୍ବର ୧୨୮/୨୩ ଏବଂ ୧୨୯/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା। ଏପରିକି ଗ୍ରାମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଫୋର୍ସ ମୁତୟନ କରାଯାଇଥିଲା।

ତେବେ ଆଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ଉଭୟ ଗୋଷ୍ଠୀର ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତନ୍ମଧ୍ୟରୁ ୯ ମହିଳା ଓ ୯ ପୁରୁଷ ଅଭିଯୁକ୍ତ ଅଛନ୍ତି।  ତେବେ ଗିରଫଦାରି ଆହୁରି ବୃଦ୍ଧି ପାଇବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।  ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ବେଳେ ଗିରଫ ଭୟରେ ସେମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଣପୁର ଏନଏସିରେ ଏକାଧିକ ଜଳଛତ୍ର ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାରା ଓଡ଼ିଶାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ବିତରଣ କେନ୍ଦ୍ର ଖୋଲି ନାଗରିକମାନଙ୍କୁ ପାନୀୟ ଜଳ ପ୍ରଦାନ କରିବାକୁ ସରକାରୀ ସ୍ତରରେ ନିର୍ଦେଶ ଅଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ପୃଥକ ପୃଥକ ଭାବେ ସାତ ଗୋଟି ସ୍ଥାନରେ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି। ଏହାକୁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମିଳିତ ଭାବେ ଉଦଘାଟନ କରିଥିଲେ। ଉକ୍ତ ଜଳଛତ୍ର କେନ୍ଦ୍ର ଖୋଲିବା ଦ୍ୱାରା ବହୁ ପଥଚାରି ଉପକୃତ ହେବେ ବୋଲି ଆଶା କରାଯାଇଛି।

ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ, ଯୁବ ସଂଗଠକ ମନୋଜ ବାରିକି, ସତ୍ୟନାରାୟଣ ପ୍ରଧାନ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପର ପ୍ରଥମ ସମୀକ୍ଷା ବୈଠକ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ମନ୍ଦିର ଶୁଭେଚ୍ଛୁ କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ବାଣପୁର ଏନଏସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ମା’ ଭଗବତୀ ମନ୍ଦିର ଉନ୍ନତି ନିମନ୍ତେ ଦିଆଯାଇଥିବା ପ୍ରକଳ୍ପ ଉପରେ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କମିଟିର ସଦସ୍ୟମାନଙ୍କଠୁ ଜିଲ୍ଲାପାଳ ବିଭିନ୍ନ ମତାମତ ଏବଂ ଅଭିଯୋଗ ଗ୍ରହଣ କରିଥିଲେ। ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡିକ ହେଲା ମନ୍ଦିର ଗର୍ଭଗୃହ ପ୍ରଶସ୍ତିକରଣ, ମନ୍ଦିର ପ୍ରାଚୀର ସମ୍ପ୍ରସାରଣ, ମନ୍ଦିର ଆଧୁନିକିକରଣ, ସରକାରୀ ଓ ଦେବୋତ୍ତର ସ୍ଥାନ ଚିହ୍ନଟ ଓ ଜବରଦଖଲ ଉଚ୍ଛେଦ, ବାଣପୁର ବାଇପାସ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ, ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ, ଟ୍ରାଫିକ କମାଇବା ନିମନ୍ତେ ମେଘାମ୍ବରୀ କେନାଲ ରୋଡରୁ ମନ୍ଦିର ପର୍ଯ୍ୟନ୍ତ ବାଇପାସ ନିର୍ମାଣ ଏବଂ ବାଣପୁର ବାଇପାସ ଠାରୁ ଶକ୍ତି ହଲ ପର୍ଯ୍ୟନ୍ତ ଆଲୋକୀକରଣ।

ଏହି ପରିପ୍ରେକ୍ଷୀରେ ଓବିସିସି, ତହସିଲ ଏବଂ ପୂର୍ତ୍ତବିଭାଗକୁ ଉପରୋକ୍ତ ପ୍ରକଳ୍ପ ପାଇଁ ଯୋଜନା ଅଟକଳ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ଓ ଟିମ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଯାଇ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା, ଆଇଆଇସି ଜୟପ୍ରକାଶ ପରିଡ଼ା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ ଶୁଭେଚ୍ଛୁ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଭାଲ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଣପୁର ଏନଏସି ର ଯୁବ ବିଜେପି ନେତାଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ଚିଆଙ୍କ ସାହି ଅଞ୍ଚଳର ଦୁର୍ଗା ଚରଣ ଦାସଙ୍କ ସାନ ପୁଅ ରମାକାନ୍ତ ଦାସ (୪୫) ଖଲ୍ଲିକୋଟ ଠାରୁ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ନାଭାଲ ଫାଣ୍ଡି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକଟି ତାଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେବା ଦ୍ୱାରା ଭାର ସାମ୍ୟ ହରାଇ ରମାକାନ୍ତ ଟ୍ରକ ଚକା ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

ସୂଚନା ଥାଉକୁ ରମାକାନ୍ତ ବାଣପୁର ଏନଏସି ର ଯୁବ ବିଜେପି ନେତା ମଧ୍ୟ ଥିଲେ।

Categories
ଆଞ୍ଚଳିକ

ବିଜୁ ବାବୁଙ୍କ ୨୫ ତମ ପୂଣ୍ୟତିଥି: ବାଣପୁର ଏନଏସିରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ପାଳିତ ହୋଇଯାଇଛି ଓଡ଼ିଶାର ପୂର୍ବତନ ମୁଖମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ। ପୂର୍ବାହ୍ନରେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଦଳୀୟ କର୍ମୀଙ୍କ ସହ ମେଡିକାଲ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଅଧ୍ୟକ୍ଷ ଶ୍ରୀ ନାୟକ ବାଣପୁର ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ଭେଟିବା ସହ ସେମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସିର ବହୁ ବିଜେଡି କର୍ମୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି, ପ୍ରହସନ ପାଲଟିଛି ଡ୍ରେନେଜ ନିର୍ମାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଅସରାଏ ବର୍ଷାରେ ଉବୁଟୁବୁ ସହର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସଂନ୍ଧ୍ୟାରେ ସାମାନ୍ୟ କାଳବୈଶାଖୀ ବର୍ଷା ଫଳରେ ସହରର ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି। ମେଡିକାଲ ଛକ, ପୁରୁଣା ଏନଏସି ଅଫିସ ସମ୍ମୁଖ, ପାଣ୍ଡିରୀପଦର ଛକ, ଚିଆଁକସାହି ଛକ ଆଦି ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି।

ତେବେ ଏ ସମସ୍ୟା ଆଜିର ନୁହେଁ ଦୀର୍ଘ ବର୍ଷର। ବାଣପୁର ଏନଏସିରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଦୟନୀୟ ସ୍ଥିତି ବର୍ଷତମାମ ଲାଗିରହୁଛି। କିନ୍ତୁ ବିଭାଗୀୟ ଅଧିକାରୀ ନିଦ୍ରାରେ। ପୂର୍ତ୍ତବିଭାଗ, ଏନଏସି ପ୍ରଶାସନ ଏବଂ ତହସିଲ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ସହରରେ।

ଏନଏସି ସ୍ଥାପନ ଦିନଠାରୁ ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ, ଯାହାଦ୍ୱାରା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦାବି ପରେ ପାଣ୍ଡିରୀପଦର ଛକରେ ଗତବର୍ଷ ପୂର୍ତ୍ତବିଭାଗ ପକ୍ଷରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ ଲକ୍ଷାଧିକ ଅର୍ଥ ବ୍ୟୟରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ନିର୍ମାଣ ହେବାର କେଇ ମାସ ମଧ୍ୟରେ ପୋତି ସାରିଲେଣି, କିନ୍ତୁ ଏଥିରେ ପୂର୍ତ୍ତବିଭାଗ ଚୁପ।

ସେହିପରି ଭାବେ ଦୀର୍ଘ ଛଅ ମାସ ହେଲାଣି ଗାଲୁଆ ଛକରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣଧୀନ ଡ୍ରେନେଜ କାମ ଶେଷ ହେଉନାହିଁ। ଫଳରେ ମୁକୁଳା ଡ୍ରେନେଜ ଲାଗି ସ୍ଥାନୀୟ ବାସିନ୍ଦା ଏବଂ ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ଉଠିଛି। ଗ୍ରୀଷ୍ମ ଦିନ ସାମାନ୍ୟ କାଳବୈଶାଖୀ ବର୍ଷାରେ ଯଦି ସହରର ଏପରି ଅବସ୍ଥା, ତେବେ ବର୍ଷା ଦିନରେ ଉକ୍ତ ସମସ୍ୟା କି ରୁପ ନେବ ତାହା ସହଜରେ ଅନୁମେୟ।

ବର୍ତ୍ତମାନ ଏନଏସି ନୂଆ ଅଧ୍ୟକ୍ଷ ପାଇଛି। ଜନସାଧାରଣ ମାନେ ଆଶା କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଖୁବଶୀଘ୍ର ଉକ୍ତ ସମସ୍ୟାକୁ ସମାଧାନ କରିବେ। ନଚେତ ବେଳ ଥାଉ ଥାଉ ଯଦି ବେଣୀ ନ ବନ୍ଧା ଯାଏ, ତେବେ ଭବିଷ୍ୟତରେ ବାଣପୁର ସହର ବାସି ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ଦ୍ବିମତ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏକ ଭରଚୁଆଲ ବୈଠକ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ୫-ଟି ଅନ୍ତର୍ଗତ ‘ମୁକ୍ତା’ ଯୋଜନା ମାଧ୍ୟମରେ ବାଣପୁର ଏନଏସି ର ରୂପାନ୍ତରିକରଣ ପାଇଁ ନିବେଦନ କରାଯାଇଥିଲା। ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ରୂପାନ୍ତରିକରଣ ଲାଗି ମୋଟ ୩ କୋଟି ୧୩ ଲକ୍ଷ ଟଙ୍କାର ଅନୁମୋଦନ ପାଇଁ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା।

ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନୂତନ ରାସ୍ତା, ଜଳାଶୟ, ମୁକ୍ତାକାଶ ବ୍ୟାୟାମଶାଳା, ଡ୍ରେନ, ଭେଣ୍ଡିଂ ଜୋନ ଓ ପାର୍କ ଆଦି ସାମିଲ ଥିବାର ଜଣାପଡିଛି। ଉକ୍ତ ଭରଚୁଆଲ ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଏନଏସି ପ୍ରଶାସକ ତଥା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଏବଂ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖବରର ପଡିଲା ସକାରାତ୍ମକ ପ୍ରଭାବ: ବାଣପୁରର ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଲା ପୂର୍ତ୍ତବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖବରର ସକାରାତ୍ମକ ପ୍ରଭାବ ପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ପୂର୍ତ୍ତବିଭାଗ ଅଣ୍ଟା ଭିଡିଛି।

ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ବାରମ୍ବାର ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଯାଇଥିଲା। ଯାହାଦ୍ୱାରା ପ୍ରଶାସନକୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା।

ତେବେ ଗତକାଲି ମଧ୍ୟାହ୍ନରେ ପୂର୍ତ୍ତବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ ଏବଂ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀମାନଙ୍କ ସହ ବହୁସମୟ ଧରି ଆଲୋଚନା କରିଥିଲେ। ପରିଶେଷରେ ଉକ୍ତ ସମସ୍ୟାର ଅସ୍ଥାୟୀ ସମାଧାନର ବାଟ କାଢ଼ିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ।

ଏହି ପରିପ୍ରେକ୍ଷୀରେ ପୂର୍ତ୍ତବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିଧାରପୁର ଛକ ଠାରୁ ସାରଳା ବିହାର କେନାଲ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାଦ୍ୱାରା ସହରବାସୀ ସାମୟିକ ଭାବେ ଜଳବନ୍ଦୀରୁ ମୁକ୍ତି ପାଇବେ। ତେବେ ଏହାର ସ୍ଥାୟୀ ସମାଧାନ ଦିଗରେ ପୂର୍ତ୍ତବିଭାଗର କଣ ପଦକ୍ଷେପ ରହିବ ବୋଲି ଆମ ଚିଲିକା ପ୍ରତିନିଧି ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେତେ ଶୀଘ୍ର ସ୍ଥାନୀୟ ପ୍ରଶାସନ ଦ୍ୱାରା ବେଆଇନ ଭାବେ ଅଧିକୃତ ହୋଇଥିବା ସରକାରୀ ଜାଗାଗୁଡିକୁ ଖାଲି କରାଯିବ ସେତେଶୀଘ୍ର ବାଣପୁର ଏନଏସିରେ ପୂର୍ତ୍ତବିଭାଗ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ତେବେ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବାଣପୁର ତହସିଲଦାରଙ୍କୁ ସହରବାସି ଅନୁରୋଧ କରିଛନ୍ତି। ଅନୁରୂପଭାବେ ଜଳବନ୍ଦୀ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ପୂର୍ତ୍ତବିଭାଗକୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଜଳବନ୍ଦୀ ସମସ୍ୟା ନେଲାଣି ଉଗ୍ରରୁପ: ପ୍ରଶାସନର ଭାଙ୍ଗୁନି ନିଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ଦିନକୁ ଦିନ ଉନ୍ନତି କରିବା ବଦଳରେ ଉପାନ୍ତ ଅଞ୍ଚଳରେ ପରିବର୍ତ୍ତନ ହେବାକୁ ବସିଲାଣି। କେବଳ ନାମକୁ ମାତ୍ର ଏନଏସି ମାନ୍ୟତା। ସହରରେ ଅସରାଏ ବର୍ଷା ହେଲେ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଲା ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ଅବା ଜିଲ୍ଲା ପ୍ରଶାସନ କାହାର ବି ନିଦ ଭାଙ୍ଗୁନାହିଁ। ସହରର ମୁଖ୍ୟ ରାସ୍ତା ଅନ୍ତର୍ଗତ ବିଧାରପୁର ଛକରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ମିନ ଖେଳୁଥିବାର ଦେଖାଯାଉଛି। ଉକ୍ତ ଛକର ଅନତିଦୂରରେ ବାଣପୁର ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ ଏବଂ ସହର ତଥା ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ଐତିହାସିକ ପଲଟନ ପଡ଼ିଆ ଅବସ୍ଥିତ।

ହେଲେ ବିଡମ୍ବନାର ବିଷୟ ଫୁଟେ ଫୁଟେ ପାଣି ଜମିବା ଯୋଗୁଁ ଜନସାଧାରଣ ମାନେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ ଛକ ଦେଇ ଯାତାୟାତ କରୁଛନ୍ତି। କାରଣ ଦୀର୍ଘଦିନ ହେବ ପାଣି ଜମିରହିବା ଯୋଗୁଁ ରାସ୍ତାରେ ଗତ୍ର ହୋଇଗଲାଣି ଯାହାଦ୍ୱାରା ଜନସାଧାରଣ ଦ୍ବନ୍ଦରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସବୁଠାରୁ ଅପମାନର ବିଷୟ ଏହାକି ଗତ ଦୁଇଦିନ ହେଲା ସ୍ଥାନୀୟ ପ୍ରଶାସନ ଦ୍ୱାରା ପଲଟନ ପଡ଼ିଆସ୍ଥିତ କୃତିବାସ ଭବନରେ ୧୮-୪୪ ବର୍ଷ ଯୁବପିଢ଼ିଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି କିନ୍ତୁ ବିଧାରପୁର ଛକ ଦେଇ ଉକ୍ତ ଟୀକାକେନ୍ଦ୍ରକୁ ଯିବାପାଇଁ ନାଗରିକମାନେ କେତେଯେ ହଇରାଣ ହରକତ ହେଉଛନ୍ତି ତାହା ପ୍ରଶାସନ ହୃଦୟଙ୍ଗମ କରିପାରୁନାହିଁ।

ଏପରିକି ନାଗରିକ ମାନଙ୍କ ସୁବିଧା ପାଇଁ ଗତକାଲି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ରାତାରାତି ଟେଣ୍ଟ ଏବଂ ବ୍ୟାରିକେଡ଼ ବ୍ୟବସ୍ଥା ଟାଉନ ହଲ ଠାରେ କରାଗଲା କିନ୍ତୁ ନାଗରିକମାନଙ୍କୁ ଉକ୍ତ ଟୀକାକେନ୍ଦ୍ରକୁ ପହଂଚିବା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ପ୍ରଶାସନର ନଜରକୁ ଆସୁନାହିଁ।

ତେବେ ଏପରି ଗୁରୁତର ସମସ୍ୟାର ସମାଧାନ ଦିଗରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଆଦି ମୌନ ରହିବା ସାଧାରଣରେ ସନ୍ଦେହ ସୃଷ୍ଟିକରୁଛି। ଉକ୍ତ ଅଧିକାରୀମାନେ ଦିନତମାମ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଉକ୍ତ ସମସ୍ୟା ପ୍ରତି ତିଳେହେଲେ ଖାତିର ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଯଥାଶୀଘ୍ର ଯଦି ଉକ୍ତ ସମସ୍ୟାର ସମାଧାନ ନହୁଏ ତେବେ ବାଣପୁର ଜନସାଧାରଣମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ତତସହିତ ଯଦି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ସଙ୍ଗୀନ ହେଉଛି ଚିଲିକାରେ କରୋନା ସ୍ଥିତି: ବାଣପୁର ଏନଏସିର ଏହି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି।

ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ଘର ପର୍ଯ୍ୟନ୍ତ(୨୨ଟି ଘର) ଆସନ୍ତା ୨୮ ମଇ ରାତି ୯ ଘଟିକା ଯାଏଁ କଟକଣା ବଳବତ୍ତର ରହିବ।

ଆଜି ଏନଏସି ପକ୍ଷରୁ ଉକ୍ତ ୱାର୍ଡକୁ ବିଶୋଧିତ କରାଯାଇଛି। ଅଙ୍ଗନବାଡି କର୍ମୀ ଶିବାନୀ ବାରିକ ଏବଂ ସ୍ଵଚ୍ଛସାଥି କାବେରୀ ଷଡ଼ଙ୍ଗୀ ଓ ମିତା ବାରିକ ଏହାକୁ ପରିଚାଳନା କରିଥିବାବେଳେ ଉକ୍ତ ୱାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।