ବାଣପୁର ଏନଏସି ରାସ୍ତାରେ କୃତ୍ରିମ ପାର୍କର ଭ୍ରମ: ନଷ୍ଟ ହେଲା ହଜାର ହଜାର ଲିଟର ପାନୀୟ ଜଳ

Published: Feb 17, 2024, 2:07 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନଏସି ର ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମ ରାସ୍ତାରେ ପାନୀୟ ଜଳ ପାଇପ ଫାଟି କୃତ୍ରିମ ପାର୍କର ଭ୍ରମ ସୃଷ୍ଟି ହୋଇଛି।

ଉକ୍ତ ରାସ୍ତା ଦେଇ ବାଣପୁର ସବ ଜେଲ, ଭବାନୀପୁର ପଞ୍ଚାୟତ, ଶନି ମନ୍ଦିରକୁ ଏକାଧିକ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ଆଜି ସକାଳେ ଉକ୍ତ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ସମୟ ଧରି ହଜାର ହଜାର ଲିଟର ପାନୀୟ ଜଳ ନଷ୍ଟ ହୋଇଛି।

ଗୋଟିଏ ପକ୍ଷରେ ସରକାର ଜଳ ହିଁ ଜୀବନ ନାରା ଦେଉଥିବା ବେଳେ ଅପରପକ୍ଷରେ ଏପରି ପାନୀୟ ଜଳ ଅପବ୍ୟୟ ସ୍ଥାନୀୟ ପ୍ରଶାସନର ଅନ୍ତରିକତା କୁ ପଦାରେ ପକାଇଛି।

ତେବେ ଏ ଦୃଶ୍ୟ କିଛି ନୂଆ ନୁହେଁ। ବାଣପୁର ଏନଏସି ର ପ୍ରତି ୱାର୍ଡରେ ନିତିଦିନ ଏହିପରି ଛୋଟ ମୋଟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରତି ଘରେ ପିଇବା ପାଣି ପାଇଁ ମୁଖ୍ୟ ରାସ୍ତାକୁ ଖୋଳି ଟ୍ୟାପ କନେକ୍ସନ ଦିଆଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ଲାଗି ଏପରି ବାରମ୍ବାର ଘଟଣା ଘଟୁଛି ଏବଂ ହଜାର ହଜାର ପାନୀୟ ଜଳ ଅପଚୟ ହେଉଛି।

ସହରର ବିଷରପାଟଣା, ଥାନା ରୋଡ, କଲେଜ ଛକ ଆଦି ସ୍ଥାନରେ ପ୍ରତିଦିନ ପାନୀୟ ଜଳ ଅପବ୍ୟୟ ହେଉଛି। ଅନୁରୂପଭାବେ ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏକାଧିକ ୱାର୍ଡ ଉକ୍ତ କାରଣରୁ ଜଳମଗ୍ନ ହୋଇ ରହୁଛି। ଏନଏସି କର୍ତ୍ତୃପକ୍ଷ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉକ୍ତ ସମସ୍ୟାପ୍ରତି ଦୃଷ୍ଟିଦେବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Related posts