ଭୁବନେଶ୍ବର: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅମାନିଆ ଗାଡି ଚାଳକ ବା କାଗଜପତ୍ର ଠିକ ନ ଥିବା ଗାଡି ଉପରେ ଯେଉଁ ଚାଲାଣ କଟାଯାଏ ସେଥିରେ ବର୍ତ୍ତମାନ କେତେ ଟଙ୍କା ବାକି ଅଛି ? ବିଶ୍ବାସ ନ ହେଲେ ମଧ୍ୟ କଥାଟି ସତ। ୨୦୨୩ ମସିହାଠାରୁ ଆଜି ପର୍ଯ୍ୟନ୍ତ ଗାଡି ଚାଳକଙ୍କ ଉପରେ ବାକିଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନା ବା ୧୨୬୫ କୋଟି ଟଙ୍କା। ପରିବହନ ବିଭାଗ ହିସାବ ଅନୁସାରେ ବର୍ତ୍ତମାନ ସାରା ଓଡିଶାର ୩୧ ଲକ୍ଷ ଚାଲାଣର କୌଣସି ଜରିମାନା ଆଦାୟ ହୋଇପାରୁ ନାହିଁ।
ବୁଧବାର ଦିନ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ଯେ, ଏହି ଜରିମାନା ଟଙ୍କା ଆଦାୟ କରିବା ପାଇଁ ୱାନ ଟାଇମ ସେଟଲମେଣ୍ଟ କରାଯିବ। ଏଥିରେ ଯେଉଁମାନଙ୍କର ଚାଲାଣ କଟିଛି ସେମାନେ ଆଧା ପଇସା ଦେଇ କ୍ଲିୟରାନ୍ସ ନେଇପାରିବେ। ଏହି ପ୍ରସ୍ତାବକୁ ଗତକାଲି କ୍ୟାବିନେଟ ଅନୁମୋଦନ କରିଛନ୍ତି। ତେବେ ଏହାର ସମୟ ସୀମା ରଖାଯାଇଛି ମାତ୍ର ଛଅ ମାସ। ଫଳରେ ଯେଉଁମାନଙ୍କ ଉପରେ ବଡ ରକମ ଜରିମାନ ପଡିଛି ସେମାନେ ଏହାର ଲାଭ ନେଇପାରିବେ।