ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ୨୦୨୬ ଡିସେମ୍ବର ସୁଦ୍ଧା ଜଳଜୀବନ ମିଶନ କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରିବା ପାଇଁ କହିଛନ୍ତି। ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଭାରତ ମାଳା ରାସ୍ତା ନିର୍ମାଣ ଶେଷ ହୋଇଗଲେ କୋରାପୁଟ ଓ ବିଶାଖାପାଟଣା ସହର ମଧ୍ୟରେ ଦୂରତା ହ୍ରାସପାଇବ ବୋଲି ରାଜ୍ୟପାଳ କହିଛନ୍ତି।
ମାଲକାନଗିରି ଜିଲ୍ଲାର ସୀତାକୁଣ୍ଡ ଓ କୋରାପୁଟ ଜିଲ୍ଲା ଦେଓମାଳି ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, କୋରାପୁଟ ବିଧାୟକ ରୂପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ସମେତ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋସନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପାଟି ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଶେଷକରି ଆଜି ଅପରାହ୍ନରେ ଭୁବନେଶ୍ୱର ଫେରି ଆସିଛନ୍ତି।