ଭୁବନେଶ୍ଵର: ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାର ସମାଧାନ ନେଇ ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା। ଲୋକସଭା ଭବନରେ ହେବାକୁ ଥିବା ଏହି କର୍ମଶାଳାକୁ ସଫଳ କରିବା ଲାଗି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଯୋଗଦେବାକୁ ଥିବା ଅତିଥିଙ୍କ ରହଣୀ ଓ କର୍ମଶାଳା ଆୟୋଜନ ବିଷୟରେ ବୈଠକରେ ବିସ୍ତୁତ ଆଲୋଚନା ହୋଇଥିଲା।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ବିଭିନ୍ନ ସମୟରେ ଛୋଟ ଛୋଟ କାରଣ ପାଇଁ ଲୋକେ ନ୍ୟାୟାଳୟର ଦ୍ବାରସ୍ଥ ହେଉଥିବାରୁ ମୋକଦ୍ଦମା ସଂଖ୍ୟା ବୃଦ୍ଧି ପାଉଛି। ଏଥି ପାଇଁ ନ୍ୟାୟ ପାଇବାରେ ବିଳମ୍ବ ଘଟୁଛି। ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ମଧ୍ୟସ୍ଥତା ମାଧ୍ୟମରେ ମୋକଦ୍ଦମା ଗୁଡିକର ଆପୋଷ ସମାଧାନ ଏକ ଉତ୍ତମ ମାର୍ଗ। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଏହି ଜାତୀୟ କର୍ମଶାଳା ଏଥିରେ ବେଶ ସହାୟକ ହୋଇପାରିବ। ବୈଠକରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।