ଭୁବନେଶ୍ଵର: ଦଶହରା ବା ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର କିଛି ପୁରାତନ ଦୁର୍ଗା ମେଢ଼ ପାଇଁ ଅନୁଦାନ ଘୋଷଣା କରିଛନ୍ତି। ତିନୋଟି ବିଭାଗରେ ଏହି ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ‘କ’ ବିଭାଗରେ କଟକ ଓ ଭୁବନେଶ୍ୱରର କିଛି ଐତିହ୍ୟ ସଂପନ୍ନ ମେଢ଼କୁ ୧ ଲକ୍ଷ ୧ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ।
ସେହିପରି ‘ଖ’ ବିଭାଗରେ ୭୫ ବର୍ଷର ପୁରୁଣା ମେଢ଼କୁ ୭୫ ହଜାର ଟଙ୍କା ଏବଂ ‘ଗ’ ବିଭାଗରେ ୫୦ ବର୍ଷର ପୁରାତନ ମେଢ଼କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
କୌଣସି ଜିଲ୍ଲାରେ ୫୦ ବର୍ଷରୁ ଅଧିକ ପୁରୁଣା ମେଢ଼ ନଥିଲେ ସଂପୃକ୍ତ ଜିଲ୍ଲାର ସବୁଠାରୁ ଦୁଇ ପୁରାତନ ମେଢକୁ ଗ’ ବିଭାଗରେ ସାମିଲ୍ କରାଯିବ। ଅନୁଦାନ ପ୍ରଦାନ ନେଇ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଦୁଇଦିନ ମଧ୍ୟରେ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ଜିଲ୍ଲାପାଳଙ୍କଠାରୁ ତଥ୍ୟ ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।