ଭୁବନେଶ୍ବର: ଏଣିକି ସ୍କୁଲରେ ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ। ପିଲାମାନଙ୍କର ବୈଦ୍ଧିକ ଜ୍ଞାନ ବିକାଶ ପାଇଁ ଏହି ପଦକ୍ଷେପ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଜି ଗୃହରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଥିଲେ ମନ୍ତ୍ରୀ।
ସେ କହିଥିଲେ ଯେ, ବିଦ୍ୟାଳୟଗୁଡିକରେ ଗୀତା ଶ୍ଲୋକ ଆବୃତି କରାଯିବ। ଛାତ୍ରଛାତ୍ରୀମାନେ ତାହା ଅଭ୍ୟାସ କରିବେ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।