ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ), ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଭାରତର ଅଗ୍ରଣୀ ଆଇଆଇଏମଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିବାରୁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିବା ସହିତ ଡିଗ୍ରୀ ହାସଲ କରିଥିବା ସ୍ନାତକୋତ୍ତୋର ଏବଂ ପିଏଚଡି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ସଫଳତାରେ ଶିକ୍ଷକ, ମାତାପିତା ଏବଂ ସାଥୀମାନଙ୍କର ସ୍ନେହ, ସହଯୋଗ ଏବଂ ମାର୍ଗଦର୍ଶନ ରହିଥିବା ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି।
ତାଙ୍କର ଅଭିଭାଷଣରେ, ବର୍ତ୍ତମାନର ଆର୍ଥିକ ପରିଦୃଶ୍ୟରେ ଦେଖା ଦେଇଥିବା ଜଟିଳତା, କୋଭିଡ ୧୯ ମହାମାରୀ, ବାଣିଜ୍ୟ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିଗତ ବାଧକ ଭଳି ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି।
ଡକ୍ଟର ମିଶ୍ର କହିଛନ୍ତି, ଭାରତ ନବସୃଜନ କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ରୂପେ ପରିଣତ ହୋଇଛି । ଏବେ ଦେଶରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଏବଂ ୧.୯ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ଏହା ସହିତ ସରକାର ୧ ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ଫଣ୍ଡ, ଇଣ୍ଡିଆ ଏଆଇମିଶ ଏବଂ ଡିପ୍ ଟେକ୍ ଫଣ୍ଡ ଅଫ୍ ଫଣ୍ଡସର ଶୁଭାରମ୍ଭ କରିଛନ୍ତି।
ମାନବ ସମ୍ବଳ ବିକାଶ ଉପରେ ଡକ୍ଟର ମିଶ୍ର କହିଛନ୍ତି ବୈଷୟିକ ଦକ୍ଷତା ଯଥେଷ୍ଟ ନୁହେଁ, ଆଭିମୁଖ୍ୟ, ଦଳଗତ କାର୍ଯ୍ୟ, ମୁକ୍ତଭାବନା, ଆପୋସ ସମ୍ମାନ, ସହୃଦୟତା, ନୈତିକତା, ପାରଦର୍ଶିତା ଏବଂ ନିଷ୍ଠା ମଧ୍ୟ ଜରୁରୀ। ବ୍ୟକ୍ତିଗତ ଦକ୍ଷତା ଅପେକ୍ଷା ଦଳଗତ ଭାବନା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନିରନ୍ତର ଶିକ୍ଷା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଜ୍ଞାନ ହିଁ କେବଳ ପରିବର୍ତ୍ତିତ ବିଶ୍ୱ ପାଇଁ ଉପଯୋଗୀ ବୋଲି ସେ କହିଛନ୍ତି।
ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରି ଡକ୍ଟର ମିଶ୍ର ୨୦୧୪ଠାରୁ କାର୍ମିକ ପରିଚାଳନାରେ ଆସିଥିବା ରଣନୀତିକ ପରିବର୍ତ୍ତନ ବିଷୟରେ କହିଥିଲେ। ସେ କହିଥିଲେ ଏକବିଂଶ ଶତାବ୍ଦୀର ପ୍ରଶାସନିକ ସେବା ବ୍ୟବସ୍ଥା ଗଠନ କରିବା ଏହାର ଲକ୍ଷ୍ୟ ଥିଲା। ଏଥିମଧ୍ୟରୁ ଗୋଟିଏ ଥିଲା ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଏବଂ ଭାରତ ସରକାରଙ୍କ ସଚିବ ଭଳି ବରିଷ୍ଠ ପଦବୀ ପାଇଁ ତାଲିକାଭୁକ୍ତ କରାଯିବା ପ୍ରକ୍ରିୟାର ପୁନର୍ବିନ୍ୟାସ।
ସେ କହିଥିଲେ ଯେ ସରକାର ୨୦୧୬ରେ ଏକ ବହୁମୁଖୀ ମତାମତ ସଂଗ୍ରହ (ଏମଏସଏଫ) ବ୍ୟବସ୍ଥା ପ୍ରଚଳନ କରିଥିଲେ। ଏହି ବ୍ୟବସ୍ଥାରେ ବରିଷ୍ଠ, କନିଷ୍ଠ, ସହକର୍ମୀ ଏବଂ ବାହ୍ୟ ଅଂଶୀଦାରମାନଙ୍କ ଠାରୁ ମୂଲ୍ୟାୟନ ସାମିଲ କରାଯାଇଛି ଯାହାକି ନିଷ୍ପତ୍ତି ଗ୍ରହଣ, ଦାୟିତ୍ୱ, ବିତରଣ, ସକ୍ରିୟତା ଏବଂ ସଚ୍ଚୋଟତା ପାଇଁ ଖ୍ୟାତି ଭଳି ଗୁଣଗୁଡ଼ିକର ମୂଲ୍ୟାଙ୍କନ କରିଥାଏ। ଚୟନର ନିରପେକ୍ଷତାରେ ଦୃଢ଼ ବିଶ୍ୱସନୀୟତା ସହିତ ଏହି ସଂସ୍କାର ପ୍ରତିଭା ଭଣ୍ଡାରକୁ ବିସ୍ତାର କରିଛି ବୋଲି ଡକ୍ଟର ମିଶ୍ର କହିଥିଲେ। ଏକ ଦ୍ରୁତ-ବିକଶିତ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ଶାସନ ଢାଞ୍ଚାକୁ ନୂଆ ରୂପ ଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ।
ସେହିପରି ଗ୍ରୁପ୍ ବି ଏବଂ ସି ପୋଷ୍ଟ ପାଇଁ ବ୍ୟକ୍ତିଗତ ସାକ୍ଷାତକାର ବନ୍ଦ କରାଯିବା ଫଳରେ ପକ୍ଷପାତିତା ହ୍ରାସ ପାଇଥିବା ସେ ମତବ୍ୟକ୍ତ କରିଥିଲେ। ମିଶନ କର୍ମଯୋଗୀ ମାଧ୍ୟମରେ ପ୍ରଶାସନିକ ସେବାର କ୍ଷମତା ବୃଦ୍ଧି କରାଯାଉଛି। ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ଏବେ ୩,୩୦୦ ପାଠ୍ୟକ୍ରମ ଉପଲବ୍ଧ ହେଉଛି ଏବଂ ୧.୩ କୋଟିରୁ ଅଧିକ ବ୍ୟବହାରକାରୀ ଏହାର ଲାଭ ପାଇପାରୁଛନ୍ତି ବୋଲି ସେ ଆହୁରି କହିଥିଲେ ।
ଡକ୍ଟର ମିଶ୍ର ଉଲ୍ଲେଖ କରିଥିଲେ ଯେ ୭୯% କର୍ମଚାରୀ କନିଷ୍ଠ ସ୍ତରର, ଏବଂ ୫୦ ଲକ୍ଷରୁ ଅଧିକ ଭୂମିକା-ଆଧାରିତ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ୧୦୭ଟି ମନ୍ତ୍ରଣାଳୟ/ବିଭାଗ ଏବଂ ସଂଗଠନକୁ ସହାୟତା କରିବା ଏବଂ ତାଲିମ ପ୍ରତିଷ୍ଠାନ ପାଇଁ ଜାତୀୟ ମାନଦଣ୍ଡ ସ୍ଥାପନ କରିବାରେ ଦକ୍ଷତା ବିକାଶ କମିଶନର ଭୂମିକା ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।
ବ୍ୟାପକ ସଂସ୍କାର ସମ୍ପର୍କରେ ଅଧିକ ସୂଚନା ଦେଇ ଡକ୍ଟର ମିଶ୍ର କହିଛନ୍ତି, ମିଶନ୍ କର୍ମଯୋଗୀ ସାର୍ବଜନୀନ କ୍ଷେତ୍ରର କ୍ଷମତା ନିର୍ମାଣରେ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ଉଭା ହୋଇଛି। ଏହା ରାଜ୍ୟ, ସହରାଞ୍ଚଳ ପ୍ରଶାସନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକରେ ୩୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ ପ୍ରଶାସନିକ କର୍ମଚାରୀ ଏବଂ ୧ କୋଟିରୁ ଅଧିକ ଅଧିକାରୀଙ୍କ ନିକଟରେ ପହଞ୍ଚିଛି। ୧୦ ଲକ୍ଷରୁ ଅଧିକ ଅଧିକାରୀ ସେବା ଭବ ତାଲିମ ପାଇଛନ୍ତି, ଯେତେବେଳେ ୧୯୦ରୁ ଅଧିକ ତାଲିମ ପ୍ରତିଷ୍ଠାନକୁ ସ୍ୱୀକୃତି ଏବଂ ସୁଦୃଢ଼ କରାଯାଇଛି।
ଡକ୍ଟର ମିଶ୍ର ଏହା ମଧ୍ୟ କହିଛନ୍ତି, ୧୦୦ରୁ ଅଧିକ ମନ୍ତ୍ରଣାଳୟ/ବିଭାଗ ବର୍ତ୍ତମାନ ସମର୍ପିତ କ୍ଷମତା-ନିର୍ମାଣ ୟୁନିଟ୍ ପରିଚାଳନା କରୁଛନ୍ତି, ଯାହା ବ୍ୟକ୍ତିଗତ ଭୂମିକା ଓ କ୍ୟାରିଅର ପର୍ଯ୍ୟାୟ ଅନୁଯାୟୀ ଏଆଇ-ଚାଳିତ ବ୍ୟକ୍ତିଗତ ଶିକ୍ଷା ଯୋଜନା ଦ୍ୱାରା ସମର୍ଥିତ। ଏଥିରେ ୨୨ଟି ରାଜ୍ୟ ସାମିଲ ଓ ସକ୍ରିୟ ହେବା ସହିତ ଏହି ପ୍ଲାଟଫର୍ମ ୬୦ରୁ ଅଧିକ ଭାରତୀୟ କେସ୍ ଷ୍ଟଡି ଏବଂ ଜ୍ଞାନ କୋଷ ପୋର୍ଟାଲ୍ ମଧ୍ୟ ହୋଷ୍ଟ କରେ। ଏହାକୁ ଏଡିବି ଓ ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରଶଂସା କରାଯାଇଛି।
ଡକ୍ଟର ମିଶ୍ର ଶେଷରେ କହିଥିଲେ, ସବୁଠାରୁ ବଡ଼ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ ବୋଲି ଏହି ସଂସ୍କାରଗୁଡ଼ିକ ପ୍ରମାଣିତ କରିଥାଏ। “ଭାରତ ଆଜି କେବଳ ପରିବର୍ତ୍ତନ ବିଷୟରେ କହୁନାହିଁ, ବରଂ ଏହାକୁ ଗତି, ବ୍ୟାପକତା ଏବଂ ଉଦ୍ଦେଶ୍ୟ ମାଧ୍ୟମରେ ପ୍ରମାଣ କରୁଛି। ସେ ସ୍ନାତକମାନଙ୍କୁ ସେମାନଙ୍କର ନେତୃତ୍ୱ ଯାତ୍ରାରେ କର୍ମଯୋଗୀର ଭାବନାକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ।