Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଆମର ଅସ୍ମିତା, ସଭ୍ୟତା ଓ ସଂସ୍କୃତିର ମୂଳ ଆଧାର ବୋଲି ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତ ଭାଷା ବହୁ ଭାଷାର ଜନନୀ ଅଟେ। ସଂସ୍କୃତ ଭାଷା ଆମର ପ୍ରଗତିର ପରିଚୟ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଭାଷା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଭାରତର ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ପ୍ରାପ୍ତ କରି ଆତ୍ମନିର୍ଭର ହେବା ସହ ସମର୍ପଣ ଭାବନାର ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱ ଦେଉଛି।

ମୋଦୀ ସରକାରରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ, ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଯୋଡାଯାଉଛି। ସଂସ୍କୃତ ଭାଷାର ଉନ୍ନତି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସଂସ୍କୃତ ଗବେଷଣାକୁ ପ୍ରୋତ୍ସାହନ, ସ୍କୁଲ ଓ କଲେଜରେ ସଂସ୍କୃତ ଛାତ୍ରବୃତ୍ତି ସହ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ସଂସ୍କୃତ ସେଣ୍ଟର ପ୍ରତିଷ୍ଠା କରାଯାଉଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଓ ଅନ୍ୟ ଭାଷା ସହିତ ଯୋଡିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ସହଯୋଗରେ ବିଶେଷତଃ ପାଞ୍ଚଟି ପରିଯୋଜନା ଯଥା ଆୟୁର୍ବେଦ ଗୁରୁକୁଳମ, ଭାରତୀୟ ଜ୍ଞାନ ପ୍ରଣାଳି, ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ଇଣ୍ଡିଆନ୍ ନଲେଜ୍ ସିଷ୍ଟମ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୨୨ରେ ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଓ ସଂସ୍କୃତ ଶିକ୍ଷା ବୋର୍ଡର ସ୍ଥାପନା କରିଛନ୍ତି।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଆୟୁର୍ବେଦ ମଧ୍ୟରେ ଥିବା ଦୂରତାକୁ ପୂରଣ କରିବାରେ ବିଶ୍ୱବିଦ୍ୟାଳୟ ଅଭିନବ ପ୍ରୟାସ କରିଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଥିବା ଏହି ବିଶ୍ୱବିଦ୍ୟାଳୟରେ ଅପାର ଆଇଡି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭଳି ଟେକ୍ନୋଲୋଜି ପୂର୍ବରୁ ଉପଲବ୍ଧ ହେବା ଖୁସିର ବିଷୟ। ବିଦ୍ୟାର୍ଥୀ ଓ୍ୱେଲଥ୍ କ୍ରିଏସନ ଏବଂ ଓ୍ୱେଲ ଫେୟାର ମଧ୍ୟରେ ସମନ୍ୱୟ ସ୍ଥାପିତ କରି ଏକବିଂଶ ଶତାବ୍ଦୀକୁ ଭାରତୀୟ ଶତାବ୍ଦୀ ରୂପରେ ପରିବର୍ତ୍ତିତ କରିବା ପାଇଁ ପ୍ରତିବଦ୍ଧ କରିବେ ବୋଲି ମୋର ବିଶ୍ୱାସ ରହିଥି। ଆମ ସମସ୍ତଙ୍କୁ ଭାରତୀୟ ଦର୍ଶନ ଏବଂ ଭାରତର ଜ୍ଞାନକୁ ସମଗ୍ର ଦୁନିଆର ନାଗରିକଙ୍କ ପାଖରେ ଅଧିକରୁ ଅଧିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ଆଜିର ଅବସରରେ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।

୧୯୭୨ ବ୍ୟାଚ୍‌  ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଡକ୍ଟର ମିଶ୍ରଙ୍କର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟର ପ୍ରଶାସନିକ ଅଭିଜ୍ଞତା ରହିଛି। ସେ ଗୁଜରାଟ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଡକ୍ଟର ମିଶ୍ରଙ୍କର ପ୍ରଶାସନିକ ସେବା ବ୍ୟତୀତ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ବିଶେଷ ଖ୍ୟାତି ରହିଛି।

ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ଡକ୍ଟର ପି.କେ ମିଶ୍ର ଆସନ୍ତକାଲି କିଟ୍‌ ଓ କିସ୍‌ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସାମ୍ବୋଧିତ କରିବେ। ସେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଆଇଏମଟି ପରୀକ୍ଷାଗାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଗସ୍ତ କରି ଶ୍ରୀମନ୍ଦିର ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି। ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କୁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ । ଏହା ସହ ସବକା ସାଥ୍- ସବକା ବିକାଶ, ସବକା ପ୍ରୟାସ-ସବକା ବିକାଶର ମଡେଲ ଉପରେ ଆଲୋକପାତ କରିବା ସହ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା, ଭାରତୀୟତାରୁ ପ୍ରେରିତ ହେବା ଓ ଆତ୍ମବିଶ୍ୱାସ ବଢାଇବା ଉପରେ ମତ ରଖିଥିଲେ । ୨୦୧୪ ପରେ ବ୍ୟାପକ ସଂସ୍କାର କାରଣରୁ ପଲିସି ପାରାଲେସିସର ଯୁଗରୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଣତ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ମଡେଲ ସମସ୍ତଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ଜମ୍ମୁ କାଶ୍ମୀରରେ ଥିବା ଅପାର ସମ୍ଭାବନା ଏବଂ ସ୍ୱତନ୍ତ୍ରତା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିବା ପାଇଁ ଆଇଆଇଟି ଜମ୍ମୁକୁ ପରାମର୍ଶ ଦେଇଥିଲେ । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସହଯୋଗ ବଳରେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବା ।

ଶ୍ରୀ ପ୍ରଧାନ  ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଯେତେବେଳେ ବିଦ୍ୟାର୍ଥୀମାନେ ସମାଜ ଜୀବନରେ ଦାୟିତ୍ୱ ନେବେ, ସେମାନେ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ସାଙ୍ଗରେ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଜମ୍ମୁ ସ୍ଥିତ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ସଂସ୍କୃତ ଭାଷା ଜ୍ଞାନ ବିଜ୍ଞାନର ପ୍ରବାହର ମାଧ୍ୟମ ଥିଲା। ଆଜିର ସମୟରେ ସଂସ୍କୃତ ଅଧ୍ୟୟନରେ ନୂତନ ଦୃଷ୍ଟିଭଙ୍ଗୀ ଆସିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ହିଁ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତର ପ୍ରଚାର ପ୍ରସାରରେ ନୂଆ ଉପକ୍ରମ ଯୋଡିହେଉଛି । ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁନଃ ସଂରଚନା କରି ମୋଦିଜୀ ଭାରତର ମୂଳ ବିଦ୍ୟା ଭଣ୍ଡାରକୁ ସଂରକ୍ଷିତ କରିବା ପାଇଁ ପ୍ରୟାସକୁ ଅଧିକ ଗତି ଦେଇଛନ୍ତି ।

ସଭ୍ୟତାର ସବୁଠୁ ପୁରୁଣା ଗ୍ରନ୍ଥ ବେଦ ସଂସ୍କୃତରେ ଲେଖାଯାଇଥିଲା । ବେଦ କେବଳ ଏକ ଗ୍ରନ୍ଥ ନୁହେଁ ବଂର ସର୍ବବିଦ୍ୟାର ମହାଗ୍ରନ୍ଥ । ଏହି ସବୁ ବିଷୟକୁ ସର୍ବଜନବିଦିତ କରିବାର ମାଧ୍ୟମ ହେଉଛି ସଂସ୍କୃତ । ଆଜିର ସମୟରେ ସଂସ୍କୃତକୁ ନୂଆ ଦୃଷ୍ଟିକୋଣରେ ପଢିବା, ପଢାଇବା ଏବଂ ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏହି ଶିକ୍ଷା ନୀତିର ଉଦ୍ଦେଶ୍ୟ ଅନୁସାରେ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସଂସ୍କୃତ ସମେତ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ କରିବ ତଥା ଭାରତୀୟତା ମୂଲ୍ୟବୋଧ ଏବଂ ବେଦରେ ସମାହିତ ଅନନ୍ତ ଜ୍ଞାନକୁ ସର୍ବବିଦିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ପଦକ ଓ ଉପାଧି ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩ରେ) କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରର ପ୍ରାଥମିକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ। ରାଷ୍ଟ୍ରୀୟ ପ୍ରାଥମିକତାରେ ଯୋଗଦାନ ଦେବା ନିମନ୍ତେ ସଚେତନ ପ୍ରୟାସ କରିବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଆହ୍ୱାନ କରି କହିଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଆଦର୍ଶ ବାକ୍ୟ ‘ସତ୍ୟେ ସ୍ଥିତୋ ଧର୍ମଃ’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହାର ଅର୍ଥ ହେଉଛି, ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି । ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା – ‘ଧର୍ମସଭା’ ଏବଂ ‘ଧର୍ମାଧିକରଣ’। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି, ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ । ସମ୍ପୂର୍ଣ୍ଣ ଆଇନ ଜଗତ, ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ସାଥୀ ନାଗରିକମାନଙ୍କୁ ସହାୟତା କରିବା ସ୍ଥିତିରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶର ମହିଳାଙ୍କ ସମେତ ଆମ ଜନସଂଖ୍ୟାର ସବୁଠୁ ଦୁର୍ବଳ ବର୍ଗଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍‌ । ଆମ ଦେଶର ବହୁସଂଖ୍ୟକ ପଛୁଆ ଓ ବଞ୍ଚିତ ନାଗରିକମାନେ ନିଜର ଅଧିକାର ଓ ହକ୍‌ ବିଷୟରେ ଅନଭିଜ୍ଞ ଅଛନ୍ତି । ସେମାନଙ୍କ ପାଖରେ ସହାୟତା କିମ୍ବା ନ୍ୟାୟ ପାଇବା ଲାଗି ଆବଶ୍ୟକ ସମ୍ବଳର ଅଭାବ ମଧ୍ୟ ରହିଛି । ଏଭଳି ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ ନିଜର କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ପ୍ରକୃତ କରୁଣା ଭାବନା ନେଇ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ନିଜ ବୃତ୍ତିଗତ କାର୍ଯ୍ୟର ଅଳ୍ପ କିଛି ସମୟ ବିନିଯୋଗ କରିବା ପାଇଁ ଶ୍ରୀମତୀ ମୁର୍ମୁ ସେମାନଙ୍କୁ ନିବେଦନ କରିଥିଲେ। ସେଥିପାଇଁ ବାସ୍ତବରେ କୁହାଯାଇଛି ଯେ, ଆଇନ କେବଳ ଏକ ପେସା ନୁହେଁ, ଏହା ଏକ ଆହ୍ୱାନ, ରାଷ୍ଟ୍ରପତି ଶେଷରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତ ଅଭିମୁଖେ ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରୁ ରାଉରକେଲାକୁ ଯାତ୍ରା କରିଛନ୍ତି।

ଆଜି ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନ ଠାରେ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ।

ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀର ଉଦଘାଟନ କରିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ  ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ  କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି। ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି। ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ। ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ ଆସିଯାଇଥିବ। କୌଣସି ଅଜଣା ପ୍ରଶ୍ନବାଚୀ ନ ଥିବ। ବର୍ତ୍ତମାନ ଥିବା କେବଳ ସବୁଠାରୁ ଉତ୍ତମ ଅନୁସନ୍ଧାନ ଓ ସମଗ୍ର ବିଶ୍ୱରେ ଅଗ୍ରଣୀ ହେବାର ସ୍ୱପ୍ନ” ବୋଲି ସେ କହିଥିଲେ। କାନପୁର ଐତିହାସିକ ଓ ସାମାଜିକ ଇଚ୍ଛାପତ୍ର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ବିବିଧତା ଦୃଷ୍ଟିରୁ ସମଗ୍ର ଦେଶରେ କେତେକ ନଗରୀ ମଧ୍ୟରେ ଅନ୍ୟତମ।  “ସତୀଚଉରା ଘାଟରୁ ମଜାରୀ ପଶି, ନାନା ସାହେବଠାରୁ ବଟୁକେଶ୍ୱର ଦତ୍ତ ପର୍ଯ୍ୟନ୍ତ ଯେତେବେଳେ ଆମେ ନଗରୀ ପରିକ୍ରମା କରୁ ସେତେବେଳେ ଆମେ ଗୌରମମୟ ଅତୀତ ଓ ଆମ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ନେଇ ଅବଗତ ହେଉ” ବୋଲି ସେ  ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୀବନରେ ବର୍ତ୍ତମାନର ଗୁରୁ୍‌ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଂଶ ଶତାବ୍ଦୀର ତିରିଶ ଦଶକ ଉପରେ ସବିଶେଷ କହିଥିଲେ। “ଯେଉଁମାନେ ସେତେବେଳେ ୨୦ରୁ ୨୫ବର୍ଷ ମଧ୍ୟରେ ଥିଲେ ନିଶ୍ଚିତ ସେମାନେ ୧୯୪୭ ସ୍ୱାଧୀନତା ହାସଲ ସମୟ ଅତିବାହିତ କରିଥିବେ। ସେତେବେଳେ ତାହା ସେମାନଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ ରହିଥିବ। ଆଜି ତୁମେମାନେ ମଧ୍ୟ ସେହିଭଳି ଏକ ସ୍ୱର୍ଣ୍ଣିମ ଯୁଗ ଆଡେ ପାଦ ଥାପିଛି। ଯେମିତି ବର୍ତ୍ତମାନ ଦେଶ ପାଇଁ ଅମୃତକାଳ ସେହିପରି ତୁମ ଜୀବନର ମଧ୍ୟ ଅମୃତକାଳ’ ବୋଲି ସେ କହିଥିଲେ।

ଆଇଆଇଟି କାନପୁରର ସଫଳତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜି ବୈଷୟିକ ଦୃଶ୍ୟପଟ କେବଳ ପେଶାଦାରମାନଙ୍କ ପାଇଁ। କୃତ୍ରିମ ମେଧା, ଶକ୍ତି, ଜଳବାୟୁ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ସମାଧାନରେ ବୈଷୟିକ ଜ୍ଞାନ ଓ ବିପର୍ଯ୍ୟୟ ପରିଚାଳନା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଗୁଡିକ କେବଳ ତମମାନଙ୍କର ଦାୟିତ୍ୱ ନୁହଁ ଏଗୁଡିକ ବଂଶାନୁକ୍ରମିକ ସ୍ୱପ୍ନ ଯାହାକୁ ତୁମେମାନଙ୍କ ସୌଭାଗ୍ୟ ଯେ ସେଗୁଡିକୁ ସାକାର କହିବ। ବର୍ତ୍ତମାନ ସମୟ ହେଉଛି ଜୀବନର ଲକ୍ଷ୍ୟ ଓ ନିଜର ସମସ୍ତ ଶକ୍ତି ଘଟାଇ ତୁମକୁ ତାହା ହାସଲ କରିବାକୁ ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛିି ସମ୍ପୂର୍ଣ୍ଣଭାବେ ବୈଷୟିକ ଜ୍ଞାନଯୁକ୍ତ। ଏହି ଯୁଗରେ ପ୍ରଯୁକ୍ତି ବିଦ୍ୟା ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ। ଗୋଟିଏ ଦୃଷ୍ଟିରୁ କହିଲେ ବିନା ପ୍ରଯୁକ୍ତିରେ ଜୀବନର କୌଣସି ମାନେ ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଭାବଧାରା ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲେ।

ସେ କହିଥିଲେ ଯେ “ଆଜି ଦେଶର ଭାବନା ଓ ମତିଗତି ଆପଣମାନଙ୍କ ସହ ସମାନ। ଆଗରୁ ଭାବନା ଉପର ଠାଉରିଆ କାମ ଭଳି ଥିବାବେଳେ, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତିକ। ଆଗରୁ ଯେତେବେଳେ ଗୋଟେ ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜା ଯାଉଥିଲା, ଆଜି ସମସ୍ୟା ସମାଧାନ ନିମନ୍ତେ ସଂକଳ୍ପ ନିଆଯାଉଛି।”

ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ ଆମେ ଅନେକ ସମୟ ହରାଇଛୁ। ସ୍ୱାଧୀନତାର ୨୫ତମ ବାର୍ଷିକୀଠାରୁ ଦେଶ ଗଠନ ପାଇଁ ଅନେକ କିଛି କରାଯାଇପାରିଥାନ୍ତା। “ଯେତେବେଳେ ଦେଶ ସ୍ୱାଧୀନତାର ୨୫ବର୍ଷରେ ପଦାର୍ପଣ କଲା, ସେତେବେଳେ ଆମେ ନିଜ ପାଦରେ ଠିଆ ହେବା ପାଇଁ ଅନେକ କିଛି କରିପାରିଥାନ୍ତୁ। ସେବେଠାରୁ ଅନେକ ବିଳମ୍ବ ହୋଇଛି ଓ ଦେଶ ବହୁ ମୂଲ୍ୟବାନ ସମୟ ହରାଇଛି। ୟା ମଧ୍ୟରେ ଦୁଇଟି ବଂଶ ଅତିକ୍ରମ ହୋଇଯାଇଛି ଓ ଆମେ ଆଉ ଦୁଇ କ୍ଷଣ ମଧ୍ୟ ଅପଚୟ କରିବ ନାହିଁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ କଥା ଯଦି ଅଧୈର୍ଯ୍ୟପୂର୍ଣ୍ଣ ଲାଗୁଛି ତେବେ ଏଇଥିପାଇଁ ଯେ ମୁଁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଏକ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି। ଆତ୍ମନିର୍ଭରତ ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଂଚା, ଯେଉଁଠି ଆମକୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ପ୍ରତ୍ୟେକ ଦେଶକୁ ଏକ ବାର୍ତ୍ତା ଦେବାର ଅଛି, ଏକ ଲକ୍ଷ୍ୟ ସାଧନ କରିବାର ଅଛି। ଭାଗ୍ୟ  ଯେଉଁଆଡେ ନେବ ସେଠାରେ ପହଂଚିବାର ଅଛି । ଆମେ ଯଦି ଆତ୍ମନିର୍ଭର ନହେବା, ଆମ ଦେଶ କିପରି ଏହାର ଲକ୍ଷ୍ୟ ହାସଲ କରିବ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଚିଂବା କିପରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଇନୋଭେସନ ମିଶନ, ପ୍ରଧାନମନ୍ତ୍ରୀ  ଗବେଷଣା ଫେଲୋସିପ୍ ଏବଂ ଜାତୀୟ ଶିକ୍ଷାନୀତି ପାଇଁ ନୂତନ ବାତାବରଣ ଓ ସୁଯୋଗ ସୃଷ୍ଟି ହେଉଛି। ବ୍ୟବସାୟରେ ସୁଗମତା ଓ ନୀତିଗତ ବାଧାବିଘ୍ନ ହଟିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଏହି ୭୫ତମ ସ୍ୱାଧୀନତା ଦିବସ ବର୍ଷରେ ଭାରତରେ ୭୫ରୁ ଅଧିକ ୟୁନିକର୍ଣ୍ଣ, ୫୦ହଜାରରୁ ଅଧିକ ଷ୍ଟାର୍ଟଅପ୍ ଓ ସେଥିରୁ ଦଶହଜାର କେବଳ ଗତ ଛଅମାସ ମଧ୍ୟରେ ଆସିଛି । ଆଜି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଷ୍ଟାର୍ଟଅପ  ପେଣ୍ଠଭାବେ ଉଭା ହୋଇଛି। ଆଇଆଇଟି ର ଛାତ୍ରଛାତ୍ରୀ ଏହା ଆରମ୍ଭ କରିଛନ୍ତି। ବିଶ୍ୱରେ  ଭାରତର ଟେକ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍ତି, “ଭାରତୀୟ କମ୍ପାନୀ ଓ ଭାରତୀୟ ସାମଗ୍ରୀ ବିଶ୍ୱବିଦିତ ହେବାକୁ କେଉଁ ଭାରତୀୟ ନ ଚାହିଁବ? ଯେ ଆଇଆଇଟିକୁ ଚିହ୍ନିଛି ସେ ମେଧା ଶକ୍ତି କ’ଣ ଜାଣିଛ ପ୍ରଫେସରମାନଙ୍କ ଅକ୍ଲାନ୍ତ ପରିଶ୍ରମ କ’ଣ ଜାଣିଛ ଏହି ଆଇଆଇଟି ଯୁବା ସବୁକିଛି କରିପାରିବେ ବୋଲି ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଆଗରେ ଆରାମକୁ ତ୍ୟାଗ  କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ତୁମେ ଚାହିଁ  କି ନ ଚାହଁ ଜୀବନରେ ଆହ୍ୱାନ ନିଶ୍ଚୟ ଆସିବ। ଯେଉଁମାନେ ସେଥିରୁ ଦୂରେଇ ଯାଆନ୍ତି, ସେମାନେ ତାହାର ଶିକାର ହୁଅନ୍ତି। ଯଦି ତୁମେ ଆହ୍ୱାନର ସମ୍ମୁଖୀନ ହେଉଛ, ତୁମେ ତାହାହେଲେ ଶିକାରୀ ଓ ଆହ୍ୱାନ ତା’ର ଶିକାର।”

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବେଦନଶୀଳତା, ଅନୁସନ୍ଦିତ୍ସ୍‌ୁ ମନୋଭାବ, କଳ୍ପନା ଓ ସୃଜନଶୀଳତା ମନୋଭାବ ଉଦ୍‌ଜୀବିତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଣ ବୈଷୟିକ ଦିଗ ପ୍ରତି ମଧ୍ୟ ସମ୍ବେଦନଶୀଳ  ହେବାକୁ କହିଥିଲେ। “ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର।”