ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଏହି ପ୍ରତିଷ୍ଠାନର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ଏହି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି, ରୋଗୀ ସେବା ଏବଂ ଡାକ୍ତରୀ ଶିକ୍ଷାଦାନ କ୍ଷେତ୍ରରେ ଭୁବନେଶ୍ୱର ଏମ୍ସ ଅନେକ ମାଇଲଖୁଣ୍ଟ ହାସଲ କରିଛି। ଗତ ବର୍ଷ ଏହାର ବର୍ହିବିଭାଗରେ ୧୧ ଲକ୍ଷରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ୪୫ ହଜାରରୁ ଅଧିକ ରୋଗୀ ଏଠାରେ ଭର୍ତ୍ତି ହୋଇ ଚିକିତ୍ସା ପାଇଛନ୍ତି। ସେହିପରି ଅନେକ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇଛି। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ବୋଲି ସେ କହିଛନ୍ତି।