ବାଣପୁର: ବହୁ ଅଭିଯୋଗ ପରେ ଶେଷରେ ବଦଳିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ। ଶ୍ରୀ ନନ୍ଦଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ପରିବେଶ ଓ ଜଙ୍ଗଲ ବିଭାଗ ଆଇନକୁ ବେଖାତିର, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅବମାନନା, ସୂଚନା ଅଧିକାର ଆଇନକୁ ନ ମାନି ତଥ୍ୟ ନ ଦେବା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମିଥ୍ୟା ତଥ୍ୟ ଦେବା, କ୍ଷମତାର ଅପବ୍ୟବହାର କରି ୧୦ ନମ୍ବର ୱାର୍ଡ ତଳସାହିରେ ଡ୍ରେନ ନିର୍ମାଣ ଉଦ୍ଦେଶ୍ୟରେ ଜବରଦଖଲ ଉଚ୍ଛେଦ ଆଳରେ ଉଦ୍ଦେଶ୍ୟମୂଳକ ଭାବେ କିଛି ବାସିନ୍ଦାଙ୍କ ଜବରଦଖଲ ଉଚ୍ଛେଦ କରି ଅନ୍ୟମାନଙ୍କୁ ଅନୁଗ୍ରହ ଦେଖାଇବା ଆଦି ଏକାଧିକ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି। ନିକଟରେ ବାଣପୁର ଏନଏସି ର ଜନୈକ ଆଇନଜୀବୀ ଜବରଦଖଲ ଉଚ୍ଛେଦରେ ପାତର ଅନ୍ତର ନୀତି ଲାଗି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନୋଟିସ ମଧ୍ୟ ଶ୍ରୀ ନନ୍ଦଙ୍କୁ ପଠାଇଥିଲେ।
ସେହିପରି ଭାବେ ବାଣପୁର ବୁଦ୍ଧିଜୀବୀମାନେ ବାଣପୁର ଏନଏସି କାର୍ଯ୍ୟାଳୟରେ ସାମ୍ଭାବ୍ୟ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆଇନ ମନ୍ତ୍ରୀଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଥିଲେ। ଏପରିକି ଓଡିଶା ଉଚ୍ଚ ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ଜାରି ରହିଛି। ମାତ୍ର ନଅ ମାସ କାର୍ଯ୍ୟକାଳ ମଧ୍ୟରେ
ଏକାଧିକ ମାମଲାରେ ଛନ୍ଦି ହୋଇପଡ଼ିଥିଲେ ଶ୍ରୀ ନନ୍ଦ। ଏ ନେଇ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ବାଣପୁର ଏନଏସି ଜନସାଧାରଣ।
ଶେଷରେ ଗତକାଲି ତାଙ୍କ ବଦଳି ଭୁବନେଶ୍ୱର ମହାନଗର ନିଗମକୁ ହୋଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁରୂପ ଭାବେ ଗତ ନଅ ମାସ ମଧ୍ୟରେ ବାଣପୁର ଏନଏସି ରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।