ଆଜି ରାଜ୍ୟସଭାରେ ଆତଙ୍କବାଦ ନିରୋଧୀ ବିଲ ସଂଶୋଧନ ୨୦୧୯ ପାସ୍ ହୋଇଛି । ଏହି ବିଲ ସପକ୍ଷରେ ୧୪୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ୪୨ଜଣ ଭୋଟ କରିଥିଲେ । ତେବେ ଏହି ବିଲ ଉପସ୍ଥାପନା କରିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିପକ୍ଷ ମଧ୍ୟରେ ବହୁ ବାକ୍ ଯୁଦ୍ଧ ହୋଇଥିଲା। ବିଲ ପାସ୍ ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଏବଂ ଦିଗବିଜୟ ସିଂହ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଆତଙ୍କବାଦ ସହ ଲଢେଇ କରିବା ଏହି ବିଲର ଉଦ୍ଦେଶ୍ୟ । ଆତଙ୍କବାଦ ବିପକ୍ଷରେ ଏକଜୁଟ ହେବା ନିହାତି ଆବଶ୍ୟକ । ସଂସ୍ଥା ସହ ଲିଙ୍କ୍ ନଥିଲେ ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ । ଅନେକଗୁଡ଼ିଏ ଦେଶ ଆତଙ୍କବାଦୀ ପାଇଁ ଆଇନ୍ କରିଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ।