ଭୁବନେଶ୍ଵର: ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’ ରେ ଏକ ନୂତନ ମୋଡ଼ ନେଇଛି। ସଫଳତାର ସହ ୪୫୦ ଏପିସୋଡରୁ ଅଧିକ ପ୍ରଦର୍ଶିତ ଏହି ମେଗା ଧାରାବାହିକରେ ଆସୁଛି ନୂଆ ପିଢିର ନୂଆ କାହାଣୀ, ଯାହା ସମୟ ସାମୟିକ ହେବା ସହ ନୂଆ ପିଢିର ଦର୍ଶକଙ୍କ ମନ ଜିତିବ ବୋଲି ‘ଭାଗ୍ୟରେଖା’ର ଟିମ୍ କହିଛି।
କାହାଣୀର ନାୟିକା ସ୍ମୃତିରେଖା ଜଣେ କଲେଜ ଛାତ୍ରୀ, ବାପା ବିଜୟ ହେଉଛନ୍ତି ରଘୁରାଜପୁର ଗାଁର ଜଣେ ପ୍ରସିଦ୍ଧ ପଟ୍ଟଚିତ୍ରକାର। ପରିବାରର ଭରଣା ପୋଷଣ ପାଇଁ ସ୍ମୃତିରେଖା ମଧ୍ୟ ବାପାଙ୍କୁ ପଟ୍ଟଚିତ୍ର କଳାରେ ସାହାଯ୍ୟ କରନ୍ତି। ଜୀବନରେ ଦୃଢ ସଙ୍କଳ୍ପ ରଖିଥିବା ସ୍ମୃତିରେଖା ଛୋଟବେଳୁ ନିଜ ମା’ଙ୍କୁ ହରାଇ ନିଜ ବାପା, ସାବତ ମା ଓ ଭାଇ ଭଉଣୀ ସହ ଜୀବନ କାଟୁଥା’ନ୍ତି। ଏହିପରି ଏକ ସଂଘର୍ଷମୟ ଜୀବନରେ ଆସନ୍ତି ନାୟକ ସୌଭାଗ୍ୟ ଯିଏ ପେଷାରେ ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ନାୟକ ଭାବରେ ଲୋକପ୍ରିୟ, କିନ୍ତୁ ସୌଭାଗ୍ୟ ପ୍ରକୃତ ପ୍ରେମରେ ବିଶ୍ୱାସ କରନ୍ତି ନାହିଁ।
ଏପଟେ ସ୍ମୃତିରେଖା ହେଉଛନ୍ତି ସୌଭାଗ୍ୟଙ୍କର ଜଣେ ବଡ ପ୍ରଶଂସକ। ତେବେ ସୌଭାଗ୍ୟ କ’ଣ ନିଜର ଜଣେ ବଡ ପ୍ରଶଂସକ ସ୍ମୃତିରେଖାଙ୍କ ପ୍ରେମରେ ପଡ଼ିବେ? ସ୍ମୃତିରେଖାଙ୍କ ସଂଘର୍ଷମୟ ଜୀବନରେ ଆସିବକି ନୂଆ ପରିବର୍ତ୍ତନ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’।
ଓଡିଆ ମାନଙ୍କ ସଂସ୍କୃତି, ସରଳତା ଓ ସଫଳତାକୁ ପ୍ରତିଫଳିତ କରୁଥିବା ଏହି କାହାଣୀ, ନୂତନ ପିଢିର ଜୀବନ ଭିତରେ ଆସୁଥିବା ରାଗରୁଷା, ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ ଆଧାରିତ, ତେଣୁ କାହାଣୀରେ ଆସୁଥିବା ପରିବର୍ତ୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।