ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖାରିବନ୍ଧ ଗ୍ରାମ ପୋଖରୀରୁ ନାଭାଲ ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଆଜି ସକାଳେ ଉକ୍ତ ପୋଖରୀରେ ଏକ ଯୁବକଙ୍କ ଶରୀର ଭାସୁଥିବାର ଦେଖି ପୋଲିସକୁ ଗାଁ ଲୋକେ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଯୁବକଙ୍କ ଶରୀରକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦିଗୀ ଗ୍ରାମର ବାମଦେବ ପଣ୍ଡାଙ୍କ ପୁତ୍ର ପ୍ରଶାନ୍ତ କୁମାର ପଣ୍ଡା (୨୩)। ପ୍ରଶାନ୍ତ କାମ ଉଦ୍ଦେଶ୍ୟରେ କିଛି ମାସ ହେବ ଖାରିବନ୍ଧ ଗ୍ରାମ ନିକଟରେ ଅସ୍ଥାୟୀ ବାସ କରୁଥିଲେ। ତାଙ୍କୁ ଫିଟସ ରୋଗ ଥିବା ବେଳେ ଆଜି ବଡି ଭୋରରୁ ଶୌଚ ହେବା ଉଦ୍ଦେଶ୍ୟରେ ପୋଖରୀ ମଧ୍ୟକୁ ଯାଇଥିବା ବେଳେ ଫିଟସ ମାରିଥିଲା ଏବଂ ପୋଖରୀ ମଧ୍ୟରେ ବୁଡ଼ି ଯାଇଥିଲେ। ବଡି ଭୋର ସମୟ ହୋଇଥିବାରୁ କୌଣସି ଗ୍ରାମବାସୀ ପୋଖରୀ ନିକଟରେ ଉପସ୍ଥିତ ନଥିବାରୁ ଉକ୍ତ ଘଟଣା କେହି ଜାଣିପାରିନଥିଲେ। ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୧୩/୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।