ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଲୁସୁରା ନିକଟରେ ଥିବା ଭୀମମଣ୍ଡଳୀ ଏବେ ବି ଲୋକ ଲୋଚନକୁ ଆସି ପାରିନାହିଁ। ଭୀମ ମଣ୍ଡଳୀର ସଠିକ ସର୍ବେକ୍ଷଣ ଅଭାବରୁ ଏହାର ସଂପୂର୍ଣ୍ଣ ଇତିହାସ ଲୋକଲୋଚନକୁ ଆସିପାରୁନାହିଁ। ତେଣୁ ରେଢ଼ାଖୋଲର ଅଜ୍ଞାତ ଇତିହାସକୁ ଲୋକଲୋଚନକୁ ଆଣିବା ଏବଂ ଏହାକୁ ଓଡିଶା ତଥା ଭାରତ ଇତିହାସରେ ସ୍ଥାନ ଦେବା ଲକ୍ଷ୍ୟରେ ବିଗତ ବର୍ଷରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼ ଅତୁଲ କୁମାର ପ୍ରଧାନ ତାଙ୍କର ଗବେଷଣା କାର୍ଯ୍ୟ ଜାରି ରଖିଛନ୍ତି।
ଏହି ସର୍ବେକ୍ଷଣରୁ ରେଢ଼ାଖୋଲ ତଥା ନାକ୍ଟିଦେଉଳ ଅଂଚଳରୁ ବହୁ ସଂଖ୍ୟକ ପ୍ରାଗଐତିହାସିକ ସ୍ଥଳ, ଆଦ୍ୟ ଐତିହାସିକ ସ୍ଥଳ, ଏବଂ ମନ୍ଦିର ସ୍ଥାପତ୍ୟ ଖଣ୍ଡର ଭଗ୍ନାବଶେଷ ସାମ୍ନାକୁ ଆସିଥିଲା। ବିଗତ ମାସରେ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ଏହି ଅଂଚଳର ଭୀମ ମଣ୍ଡଳୀରେ ଏକ ୫ଦିନିଆ କାର୍ଯ୍ୟଶାଳା ମଧ୍ୟ କରିଥିଲେ ଯେଉଁଥିରେ ସେମାନେ ସେହି ଅଂଚଳର ଇତିହାସ, ସଂସ୍କୃତି, ପ୍ରତ୍ନତତ୍ଵ, ପ୍ରଥା ପରମ୍ପରା ଆଦି ବିଷୟରେ ସବିଶେଷ ବବରଣୀ ସଂଗ୍ରହ କରିଥିଲେ। ତେଣୁ ରେଢ଼ାଖୋଲ ଇତିହାସର ପ୍ରାଚୀନତା, ସାଂସ୍କୃତିକ କ୍ରମ ବିକାଶ ଏବଂ ପ୍ରାଚୀନ ନଗରୀକରଣର ପ୍ରମାଣ ପାଇବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ରେଢ଼ାଖୋଲର ପୁରୁଣାଗଡ଼ର ଉତଖନନ ପାଇଁ ଏକ ପ୍ରସ୍ତାବ ପଠାଇଥିଲେ।
ଏହି ପ୍ରସ୍ତାବ ଉପରେ ତର୍ଜମା କରି ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ଡ଼ ଅତୁଲ କୁମାର ପ୍ରଧାନଙ୍କ
ନିର୍ଦ୍ଦେଶନା ତଥା ବିଭାଗର ଡ଼ ସନ୍ତୋଷ କୁମାର ମଲ୍ଲିକଙ୍କ ସହ ନିର୍ଦ୍ଦେଶନାରେ ଏହି ସ୍ଥାନକୁ ଉତଖନନ ପାଇଁ ଅନୁମତି ପତ୍ର ପ୍ରଦାନ କରିଛି। ଏହି ଉତଖନନ କାର୍ଯ୍ୟରେ ଇତିହାସର ଛାତ୍ରଛାତ୍ରୀ, ଗବେଷକ ତଥା ବିଷୟ ବିଶେଷଜ୍ଞମାନେ ଯୋଗଦେବେ।
୨୦୨୨ ମସିହାରେ ମଧ୍ୟ ଡ଼ ପ୍ରଧାନଙ୍କ ନିର୍ଦ୍ଦେଶନାରେ ବରଗଡର ବରପାଲି ସ୍ଥିତ ଅସୁରଗଡ ଉତଖନନରୁ ୨୦୦୦ ହଜାର ବର୍ଷର ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଥିଲା। ବିଗତ ବର୍ଷରେ ଜିଏମୟୁ ଇତିହାସ ବିଭାଗ ଉତଖନନ, ସର୍ବେକ୍ଷଣ, ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ତଥା ରାଷ୍ଟ୍ରୀୟ ସମ୍ପାନ ଆୟୋଜନ କରି ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ମଧ୍ୟରେ ନିଜର ଇତିହାସ ଏବଂ ଐତିହ୍ୟ ପ୍ରତି ସଚେତନତା କାର୍ଯ୍ୟ କରୁଛି।
ଡ଼ ପ୍ରଧାନଙ୍କ ମତରେ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ କେବଳ ଇତିହାସର ପାଠ୍ୟପୁସ୍ତକରେ ସୀମାବଦ୍ଧ ନରହି ଏହିପରି ଉତଖନନ ଏବଂ ସର୍ବେକ୍ଷଣ ମାଧ୍ୟମରେ କିଭଳି ନୂଆ ଇତିହାସ ସୃଷ୍ଟି କରାଯାଏ ତାହାର ଜ୍ଞାନ ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।



