ଭୁବନେଶ୍ଵର: କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ବା ପଞ୍ଚୁକ ଏକାଦଶୀ ତିଥିରେ କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜିଉଙ୍କ ପ୍ରଳମ୍ଭାସୁର ସଂହାର ବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଶ୍ରୀମନ୍ଦିରରୁ ପାଟବସ୍ତ୍ର ଆସିଛି। ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଦେବଙ୍କ ପାଇଁ ପାଟବସ୍ତ୍ର ପଠାଇବାର ପରମ୍ପରା ଗତ ୧୫ବର୍ଷ ଧରି କ୍ରମାଗତ ଭାବେ ଚାଲି ଆସିଛି। ମାଦଳା ପାଞ୍ଜିରେ ଏହି ପରମ୍ପରାର ଉଲ୍ଲେଖ ରହିଛି। ତେବେ ଗତ କେତେବର୍ଷ ହେବ ଏହାକୁ ବନ୍ଦ କରି ଦିଆଯାଇଥିଲା। ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉଦ୍ୟମକ୍ରମେ ଏହାକୁ ପୁନର୍ବାର ଆରମ୍ଭ କରାଯାଇଥିଲା।
ଚଳିତବର୍ଷ ଶ୍ରୀମନ୍ଦିରର ସହକାରୀ ପ୍ରଶାସକ ଡକ୍ଟର ପ୍ରଭୁ ପୀୟୁଷମହାପାତ୍ରଙ୍କ ନେତୃତ୍ବରେ ୪ଜଣିଆ ଦଳ ୩ଟି ପାଟବସ୍ତ୍ର ଧରି ତୁଳସୀକ୍ଷେତ୍ରରେ ପହଞ୍ଚିଛନ୍ତି। ଏହି ପାଟବସ୍ତ୍ରକୁ ଶ୍ରୀବଳଦେବଜିଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟରେ ହସ୍ତାନ୍ତର କରାଯାଇଛି। ଶ୍ରୀବଳଦେବ ଜିଉଙ୍କ ପାଇଁ ଘନନୀଳ ପାଟବସ୍ତ୍ର, ମା ସୁଭଦ୍ରାଙ୍କ ପାଇଁ ଲାଲ୍ ପାଟବସ୍ତ୍ର ଏବଂ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ପାଟବସ୍ତ୍ର ଆସିଛି। ଆସନ୍ତା ପଞ୍ଚୁକ ଏକାଦଶୀରେ ଶ୍ରୀଜିଉମାନଙ୍କୁ ଏହି ପାଟବସ୍ତ୍ର ଲାଗି କରାଯିବ।



