ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋରବ 27ରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପାଳନ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଚଳିତ ବର୍ଷର ଥିମ୍ ରହିଛି “ଦୁର୍ନୀତି ନିବାରଣ-ଆମର ସହଭାଗୀ ଦାୟିତ୍ୱ”। ଏହି ଅବସରରେ ଓମ୍ଫେଡ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରଥମ ଦିନରେ ସମସ୍ତ କର୍ମଚାରୀ ଶପଥ ଗ୍ରହଣ କରିଛନ୍ତି।
ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା ସହ ଉତ୍କୋଚ ନେବା କିମ୍ବା ଦେବା, ସମସ୍ତ ଦାୟିତ୍ୱକୁ ସାଧୁତା ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତ ସାଧାନ ପାଇଁ କାର୍ଯ୍ୟ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଶପଥ ନେବା ସହ ଅନ୍ୟମାନଙ୍କୁ ଏ ସଂପର୍କରେ ସଚେତନ କରାଇବା।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଆଜି ଓମ୍ଫେଡର ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ପରିଚାଳନ (ବିତ୍ତ) ସୁରେଶ ଅଲଟିଆ ସମସ୍ତଙ୍କୁ ଶପଥପାଠ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାନବ ସମ୍ବଳ ମୁଖ୍ୟ ଦାୟିତ୍ୱରେ ଥିବା ନିତ୍ୟଦର୍ଶନ ମିଶ୍ର, ବିତ୍ତ ଅଧିକାରୀ ତାପସ ରଞ୍ଜନ ମିଶ୍ର, ଡେପୁଟି ମ୍ୟାନେଜର (ପ୍ରକଳ୍ପ) ଶୁଧାଂଶୁ ଶେଖର ପଣ୍ଡା, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡ଼ଙ୍କ ସମେତ ସମସ୍ତ ଉପବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ପ୍ଲାଣ୍ଟ ଓ ସମବାୟ ସମିତିରେ ସପ୍ତାହ ବ୍ୟାପି ଦୁର୍ନୀତି ନିବାରଣ ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।



