Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଲୋଭ ଲାଳସାରୁ ଦୁରେଇ ରହିବା ସହ ମନ୍ଦ ଉଦ୍ଦେଶ୍ୟକୁ ମନରୁ ବାହାର କରି ସତ୍ କର୍ମରେ ଲିପ୍ତ ରହି ନିଜ ପରିବାରରୁ ଛୋଟ ଛୋଟ ଭୁଲ୍ କୁ ସୁଧାରିଲେ ଦୁର୍ନୀତି ଲୋପ ପାଇବ ବୋଲି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଦୁର୍ନୀତି ନିବାରଣର ଆବଶ୍ୟକତା ରହିଛି ଓ ଅବାଳବୃଦ୍ଧ ବନିତା ଙ୍କ ଏହି କ୍ଷେତ୍ରରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଡେପୁଟି କଲେକ୍ଟର ଆୟୁଷୀ ପତି ଓ ଦୀପ୍ତିମୟୀ ପାତ୍ର ନିଜର ବକ୍ତବ୍ୟ ରଖି ଆଜିର ସମାଜରେ ଦୁର୍ନୀତିର ମୁଳ ଉତ୍ପାଟନ ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହିଛି ବୋଲି କହିଛନ୍ତି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଉଦ୍ଦେଶ୍ୟରେ ମିଶନ ଶକ୍ତି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ମହିଳା ସଦସ୍ୟାମାନେ ସାମିଲ ହୋଇ ଦୁର୍ନୀତି ରୋକିବା ନିମନ୍ତେ ସଚେତନତା ମୂଳକ ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ମାନ ଦେଇଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଭିଜିଲାନ୍ସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ରକଳା ଜେନା, ମିଶନ ଶକ୍ତି ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜୀବିକା ମିଶନର ଡିପିଏମ ବିବେକ ରଞ୍ଜନ ବେଉରିଆ, ବିପିସି ସ୍ବପ୍ନା ପାତ୍ର, ବିପିଏମ୍ ପ୍ରିୟଦର୍ଶୀ ଦାସ, ମିଶନ ଶକ୍ତିର ଅଞ୍ଜୁମନ ଆରା, ସୁକାନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗିୟ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଡି ଏସ୍ ପି ଭିଜିଲାନ୍ସ ସଦାନଦ ପାଣି ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବାରେ ବିଭାଗ ର ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ବିବରଣୀ ପ୍ରଦାନ କରିଥିଲେ। ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ଶପଥ ପାଠ କରିଥିଲେ। ଗୃହରେ ଥିବା ଏଲ୍ଇଡି ସ୍କ୍ରିନ ରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ଦୁର୍ନୀତି ନିବାରଣ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ଉପରେ ଭିଡିଓ କ୍ଲିପ୍ ଦେଖିଥିଲେ।

ଏହି ଅବସରରେ ସକାଳ ୯.୦୦ ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି,ନେହେରୁ ଯୁବ କେନ୍ଦ୍ରର ସଭ୍ୟ,ବିଭିନ୍ନ କଲେଜର ଛାତ୍ର ଛାତ୍ରୀ,ବିଭାଗୀୟ ଅଧିକାରୀ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇଥିଲା।ସଭାରେ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ନିଜ ନିଜ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଏବଂ ଦେଶର ପ୍ରଗତିରେ ଏହା ଏକ ବଡ଼ ପ୍ରତିବନ୍ଧକ। ଏହାକୁ ସମୁଳେ ବିନାଶ କରିବା ପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ସହ ଜନସେବା କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବାକୁ ଆହ୍ବାନ କରିଥିଲେ।

ସପ୍ତାହ ପାଳନ ଅବସରରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଡି ଆଇ ପି ଆର୍ ଓ ମନୋଜ ବେହେରା ସଭାକୁ ପରିଚାଳନା କରିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଡବ୍ଲୁ ଓ, ଡି ଏସ୍ ଡବ୍ଲୁ ଓ, ଯୁବ ସଂଯୋଜକ, ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବିଭାଗୀୟ ଅଧିକାରୀ, ଭିଜିଲାନ୍ସ ବିଭାଗର ସୁଶାନ୍ତ ପଟ୍ଟନାୟକ, ଶରତ ବେହେରା, ରାଜେଶ ନାୟକ, ବିଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ନୂଆଦିଲ୍ଲୀ ଠାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ପକ୍ଷରୁ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ ଆୟୋଗର ଅଭିଯୋଗ ପରିଚାଳନା ପୋର୍ଟାଲ ମଧ୍ୟ ଆରମ୍ଭ କରିଛନ୍ତି।

ସମବେତ ଅତିଥିମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିବସ ଠାରୁ ଆରମ୍ଭ ହୋଇଛି। “ସର୍ଦ୍ଦାର ପଟେଲଙ୍କ ସମଗ୍ର ଜୀବନ ସାଧୁତା, ସ୍ୱଚ୍ଛତା ଓ ଏହିସବୁ ଗୁଣକୁ ନେଇ ଜନସେବା ପଦ୍ଧତି ବିକାଶ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା” ବୋଲି ସେ କହିଛନ୍ତି। ସଚେତନତା ଓ ସତର୍କତା ପାଇଁ ଚାଲିଥିବା ଅଭିଯାନ ଏହିସବୁ ନୀତିଗୁଡ଼ିକ ଉପରେ ପର୍ଯ୍ୟବସିତ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅଭିଯାନ ଏକ ଦୁର୍ନୀତିମୁକ୍ତ ଭାରତ ଗଠନର ସ୍ୱପ୍ନ ଓ ଉତ୍ସାହକୁ ନେଇ କରାଯାଉଛି ଓ ଏହାର ଗୁରୁତ୍ୱ ପ୍ରତ୍ୟେକ ନାଗରିକ ଜୀବନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଉନ୍ନତ ଭାରତ ନିମନ୍ତେ ଆସ୍ଥା ଓ ବିଶ୍ୱାସ ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ। ସରକାରଙ୍କ ଉପରେ ଆସ୍ଥା ଜନସାଧାରଣଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିଥାଏ। ପୂର୍ବ ସରକାରଗଣ ଲୋକମାନଙ୍କ ଆସ୍ଥା ହରାଇବା ସହ ସେମାନଙ୍କୁ ବିଶ୍ୱାସରେ ମଧ୍ୟ ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ସମାଲୋଚନା କରିଥିଲେ। ଦୀର୍ଘ ବର୍ଷ ଧରି ଚଳିଆସିଥିବା ଦାସତ୍ୱ ଦୁର୍ନୀତି, ଶୋଷଣ ଓ ସମ୍ପଦ ଉପରେ ଅଧିକାର ଇତ୍ୟାଦି ସ୍ୱାଧୀନତା ପରେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଅଧିକ ଶକ୍ତିଶାଳୀ ହେଲା। ଦାସତ୍ୱ ଅନୂନ୍ୟ ଚାରି ପିଢ଼ିକୁ ଘୋର କ୍ଷତି ପହଂଚାଇଥିଲା। “ଯୁଗ ଯୁଗ ଧରି ରହିଥିବା ଏଭଳି ଚଳଣିକୁ ଆମେ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନତାର ଅମୃତ କାଳରେ ପରିବର୍ତ୍ତନ କରିବା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିବା ଘୋଷଣାର ନଜିର ଦେଇ ଜନସାଧାରଣଙ୍କ ପ୍ରଗତି ଓ ଦୁର୍ନୀତିର ଦୁଇଟି ମୁଖ୍ୟ କାରଣ ସୁଖ ସ୍ୱାଚ୍ଛନ୍ଦ୍ୟର ଅଭାବ ଓ ସରକାରଙ୍କ ପକ୍ଷରୁ ଅନାବଶ୍ୟକ ଚାପ ବୋଲି କହିଥିଲେ। ଦୀର୍ଘ ଦିନ ଧରି ଏହି ସୁଖ ସୁବିଧାର ଅଭାବ ଜାଣିଶୁଣି ବଳବତ୍ତର ରଖାଯିବା ଯୋଗୁ ଅର୍ଥ ପାଇଁ ଏକ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ହେବାରେ ଲାଗିଲା। ଏହି ଦୌଡ଼ ଦୁର୍ନୀତିର ବାତାବରଣକୁ ଅଧିକ ରୁଦ୍ଧିମନ୍ତ କଲା। ଅଭାବ କଷଣଜନିତ ଦୁର୍ନୀତି ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀକୁ ସବୁଠାରୁ ଅଧିକ ପ୍ରଭାବିତ କଲା। “ଯଦି ଗରୀବ ଓ ମଧ୍ୟବତ୍ତି ଶ୍ରେଣୀ ମୌଳିକ ଆବଶ୍ୟକତା ପୂରଣ ଦିଗରେ ସମସ୍ତ ଶକ୍ତି ଲଗାଇବେ ତେବେ ଦେଶ କିପରି ପ୍ରଗତି କରିବ” ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। “ସେଥିପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଏହି ଅଭାବ ଅସୁବିଧା ଦୂର କରିବା ପାଇଁ ଦୀର୍ଘ ଆଠ ବର୍ଷ ଧରି ଚେଷ୍ଟା କରୁଛୁ। ସରକାର ଯୋଗାଣ ଓ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ହାସଲ କରିବା ପାଇଁ ଯେଉଁ ତିନିଟି ରାସ୍ତା ବଛାଯାଇଛି ସେଗୁଡ଼ିକ ହେଲା – ପ୍ରଯୁକ୍ତିବିଦ୍ୟାର ପ୍ରସାର, ମୌଳିକ ଆବଶ୍ୟକ ସମ୍ପୂର୍ଣ୍ଣ ସ୍ତରକୁ ଦେବା ଓ ଶେଷରେ ଆତ୍ମ ନିର୍ଦ୍ଧାରଣ ଅଭିମୁଖେ ଅଭିଯାନ।”

ପ୍ରଯୁକ୍ତିବିଦ୍ୟାର ଉପଯୋଗ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)କୁ ପ୍ରଯୁକ୍ତି ସହ ଯୋଡ଼ିଯିବା ଯୋଗୁ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବାରୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ବଂଚାଯାଇପାରିଛି। ଏହାଛଡ଼ା ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର (ଡିବିଟି) ପଦ୍ଧତି ଯୋଗୁ ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଯାଇଛି। ସେହିପରି ସ୍ୱଚ୍ଛ ଡିଜିଟାଲ ଦେଶ ଦେଶ ଓ ଜିଇଏମ ଜରିଆରେ ସ୍ୱଚ୍ଛ ସରକାରୀ ଆହରଣ ଅନେକ ପରିବର୍ତ୍ତନ ଆଣିପାରିଛି। ମୌଳିକ ସୁବିଧା ସମ୍ପୂର୍ଣ୍ଣ ପହଂଚାଇବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇଲେ ସମାଜରେ ବାଛବିଚାର ଦୂର ହେବା ସହ ଦୁର୍ନୀତିର ପରିସର ମଧ୍ୟ ଲୋପ ପାଇଥାଏ। ସମ୍ପୂର୍ଣ୍ଣ ଯୋଜନା ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜଳ ସଂଯୋଗ, ପକ୍କା ଘର, ବିଜୁଳି ଓ ଗ୍ୟାସ ପାଇପ ଉଦାହରଣ ଦେଇଥିଲେ।

ବିଦେଶୀ ସାମଗ୍ରୀ ଉପରେ ଅଧିକ ନିର୍ଭରଶୀଳ ମଧ୍ୟ ଦୁର୍ନୀତିର ଏକ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ସରକାରଙ୍କ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତ ନିଜସ୍ୱ ପ୍ରତିରକ୍ଷା ଉପକରଣ, ଯେପରିକି ରାଇଫଲ ଠାରୁ ଆରମ୍ଭ କରି ଯୁଦ୍ଧ ଓ ପରିବହନ ବିମାନ ପର୍ଯ୍ୟନ୍ତ ନିର୍ମାଣ କରିବ ସେତେବେଳେ ଦୁର୍ନୀତି ସମ୍ଭାବନା ଆପେ ଆପେ ଦୂରେଇଯିବ।

ସିଭିସି ଏପରି ଏକ ସଂସ୍ଥା ତାହା ସମସ୍ତଙ୍କ ସ୍ୱଚ୍ଛତା ସୁନିଶ୍ଚିତ ନୀତିକୁ ପ୍ରୋତ୍ସାହିତ କରିଥାଏ ବୋଲି କହି ପ୍ରଧାନମନ୍ତ୍ରୀ ଗତଥର କହିଥିବା ‘ଦୁର୍ନୀତି ପ୍ରତିଷେଧକ’ ସିଭିସି କାର୍ଯ୍ୟକାରୀ କରିଥିବାରୁ ଏହାର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ନୀତି ନିବାରଣ ସଂସ୍ଥାକୁ ସେମାନଙ୍କ ହିସାବକିତାବ ସମୀକ୍ଷା ଓ ନିରୀକ୍ଷଣର ଆଧୁନିକୀକରଣ ନେଇ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। “ସରକାର ଦୁର୍ନୀତି ନେଇ ଯେଉଁ ଆଭିମୁଖ୍ୟ ରଖିଛନ୍ତି, ତାହାସବୁ ବିଭାଗରେ ପ୍ରତିଫଳିତ ହେବା ଆବଶ୍ୟକ। ଉନ୍ନତ ଭାରତ ପାଇଁ ଆମକୁ ଶୂନ୍ୟ ସହନଶୀଳତା ଦୁର୍ନୀତିର ପ୍ରଶାସନିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ନୀତି ସମ୍ପର୍କିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପଦ୍ଧତି ଅନୁସରଣ କରିବା ଉପରେ ପରାମର୍ଶ ଦେଇଥିଲେ। ସେ ମଧ୍ୟ ଅପରାଧିକ ମାମଲାଗୁଡ଼ିକର ନିରବଚ୍ଛିନ୍ନ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେବା ସହ ରାଙ୍କିଙ୍ଗ ଅନୁସାରେ ବିଭାଗୀୟ ଦୁର୍ନୀତି ମାମଲାଗୁଡ଼ିକର ତତନ୍ତ ଅଗ୍ରଗତି ନେଇ ମାସିକ ବା ତ୍ରେମାସିକ ଭିତ୍ତିରେ ପ୍ରକାଶ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ। ପ୍ରଯୁକ୍ତିଜ୍ଞାନ ଉପଯୋଗ କରି ଦୁର୍ନୀତି ମାମଲା ନିଷ୍ପାଦନ ଉପରେ କହିଥିଲେ। ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତଥ୍ୟର ଅନୁଶୀଳନ କଲେ ଆମେ ସମ୍ପୃକ୍ତ ବିଭାଗର ଦୁର୍ନୀତିର ମୂଳ କାରଣ ନିର୍ଦ୍ଧାରଣ କରିପାରିବା ବୋଲି ସେ କହିଥିଲେ।

ଦୁର୍ନୀତି ଉପରେ ନଜର ରଖିବା ପାଇଁ ଏହି କାର୍ଯ୍ୟରେ ସାଧାରଣ ନାଗରିକଙ୍କ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସେମାନଙ୍କୁ କୌଣସିମତେ ବଂଚାଇବା ଉଚିତ ନୁହେଁ ଓ ଏହା ଆପଣଙ୍କ ଭଳି ସଂଗଠନର ଦାୟିତ୍ୱ। କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ରାଜନୈତିକ, ସାମାଜିକ ସମର୍ଥନ ପାଇବା ଅନୁଚିତ୍। ପ୍ରତ୍ୟେକ ଦୁର୍ନୀତିଗସ୍ତ ବ୍ୟକ୍ତି ସମାଜ ଆଗରେ ଉପସ୍ଥାପିତ ହେବା ଦରକାର ଓ ସେଥିପାଇଁ ଏକ ବାତାବରଣର ମଧ୍ୟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏକ ବିଚଳିତ କରୁଥିବା ଭଳି ଧାରା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୁର୍ନୀତି ପ୍ରମାଣିତ ହୋଇ କାରାବାସ ପରେ ମଧ୍ୟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଗୌରବମଣ୍ଡନ ହେବା ଦେଖାଯାଉଛି। ଏହା ଭାରତୀୟ ସମାଜ ପାଇଁ ଆଦୌ ଠିକ ନୁହଁ। ଆଜି ମଧ୍ୟ ଦୋଷୀ ସାବ୍ୟସ୍ତ କେତେକଙ୍କ ସପକ୍ଷରେ ଅନେକ ବ୍ୟକ୍ତି ଯୁକ୍ତି ବାଢୁଛନ୍ତି। ସମାଜ ପକ୍ଷରୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ଏସବୁ ବ୍ୟକ୍ତି ବିଶେଷଙ୍କ ପାଇଁ ଆପଣଙ୍କ ବିଭାଗ ଠିକଣା ପଦକ୍ଷେପ ଦେବାର ଆବଶ୍ୟକତା ରହିଛି।” ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ଦେଇଥିବା ସିଭିସି ଭଳି ସଂଗଠନ କୌଣସିମତେ ରକ୍ଷଣାତ୍ମକ ନହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କୌଣସି ରାଜନୀତିକ ଅଭିସନ୍ଧି ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଯେଉଁମାନଙ୍କ ନ୍ୟସ୍ତ ସ୍ୱାର୍ଥ ଅଛି ସେମାନେ ସଂଗଠନର ବ୍ୟକ୍ତିମାନଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ହେବା ପାଇଁ ଓ ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିବେ” ବୋଲି କହି ଈଶ୍ୱରଙ୍କ ଭଳି ଜନତା ଜନାର୍ଦ୍ଦନ ପ୍ରକୃତ ତଥ୍ୟ ଜାଣନ୍ତି ଓ ଯେତେବେଳେ ସମୟ ଆସିବ ସେମାନେ ସତ୍ୟ ପଛରେ ଛିଡ଼ା ହେବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ସତ୍ୟ ପଥରେ ଚାଲି ସେମାନଙ୍କ କର୍ତ୍ତବ୍ୟ ଉତ୍ସର୍ଗୀକୃତ ମନୋଭାବର ସହ  ତୁଲାଇବାକୁ ପରାମର୍ଶ ଦେଇଥିଲେ। “ତୁମେ ଯେତେବେଳେ ଦୋଷ ସିଦ୍ଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସମଗ୍ର ଦେଶ ତୁମ ପଛରେ ଠିଆ ହେବ” ବୋଲି କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାୟିତ୍ୱ ବହୁତ ଅଧିକ ଓ ଆହ୍ୱାନଗୁଡ଼ିକର ମଧ୍ୟ ଅବସ୍ଥାନ୍ତର ଘଟୁଛି। “ମୁଁ ନିଶ୍ଚିତ ଯେ ଆପଣମାନେ ଅମୃତ କାଳରେ ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ଦିଗରେ ବିରାଟ ଭୂମିକା ତୁଲାଇବେ”। ସେ ଆହ୍ୱାନର ମୁକାବିଲା ନିମନ୍ତେ ସବୁବେଳେ ପ୍ରଗତିଶୀଳ ପଦ୍ଧତି ଅନୁସରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କ ସହ କଥାବାର୍ତ୍ତା ହେବା ସହ ଭବିଷ୍ୟତରେ ତର୍କ ପ୍ରତିଯୋଗିତା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଦୁର୍ନୀତି ବିରୁଦ୍ଧରେ ସମ୍ପ୍ରତି ପବିତ୍ର ପ୍ରତିଯୋଗିତାରେ ପାଞ୍ଚ ଜଣ ବିଜେତାଙ୍କ ମଧ୍ୟରେ ଚାରିଜଣ ବାଳିକା ଥିବା ନେଇ ପ୍ରଧାନମନ୍ତ୍ରୀ ଏହି ଯାତ୍ରାରେ ମିଳିମିଶି ସାମିଲ ହେବାକୁ ପରାମର୍ଶ ଦେଇଥିଲେ। “ପରିଚ୍ଛନ୍ନତାର ଗୁରୁତ୍ୱ ଅପରିଚ୍ଛନ୍ନତା ଦୂରୀକରଣରୁ ହିଁ କଳନା କରିହେବ” ବୋଲି ସେ କହିଥିଲେ। “ଯେଉଁମାନେ ଆଇନର ପରିଧି ମଧ୍ୟରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ବେଶ ସହାୟକ ହେବ” ବୋଲି କହି ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ପାଇଁ ଯଥା ସମ୍ଭବ ଅଧିକ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ଦେବାକୁ ପରାମର୍ଶ ଦେଇ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ।

ପ୍ରଧାନ ସଚିବ ଡକ୍ଟର ପି କେ ମିଶ୍ର, ସଂସଦୀୟ ବ୍ୟାପାର ଓ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, କ୍ୟାବିନେଟ ସଚିବ କେନ୍ଦ୍ର ଦୁର୍ନୀତି ନିବାରଣ ଆୟୁକ୍ତ ସୁରେଶ ଏନ ପଟେଲ ଓ ଦୁର୍ନୀତି ନିବାରଣ ଆୟୁକ୍ତ ଶ୍ରୀ ପି. କେ. ଶ୍ରୀବାସ୍ତବ ଓ ଶ୍ରୀ ଅରବିନ୍ଦ କୁମାର ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି:

ଆରମ୍ଭ କରାଯାଇଥିବା ପୋର୍ଟାଲ ଅଭିଯୋଗ ସମ୍ପର୍କରେ ସବିଶେଷ ତଥ୍ୟ ସହ ଆମୂଳଚୂଳ ବିଷୟରେ ଜାଣିହେବ । ଏହା ଧାରାବାହିକ ସଚିତ୍ର ବୁକଲେଟ “ନୈତିକତା ଓ ଉତ୍ତମ ଆଚରଣ” ପ୍ରକାଶ କରିବ ।

ସିଭିସି ପକ୍ଷରୁ ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇ ଏହାର ଭାଗିଦାରମାନେ ଜୀବନରେ ସଂହତି ନେଇ ସଚେତନ କରାଇଥାଆନ୍ତି । ଚଳିତ ବର୍ଷ ଏହା ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ମଧ୍ୟରେ ପାଳିତ ହେଉଛି । ଏଥର ବାର୍ତ୍ତା “ଏକ ଉନ୍ନତ ଦେଶ ପାଇଁ ଦୁର୍ନୀତିମୁକ୍ତ ଭାରତ” ରଖାଯାଇଛ । ଏହି ଅବସରରେ ଦୁର୍ନୀତି ସଚେତନତା ସପ୍ତାହ ବିଷୟବସ୍ତୁ ଉପରେ ଆଧାରିତ ତଥା ସିଭିସି ପକ୍ଷରୁ ଆୟୋଜିତ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାର ପାଞ୍ଚଜଣ ବିଜୟୀ ଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ଵର: ରାଷ୍ଟ୍ରାୟତ୍ତ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ), ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗୁରୁବାର ଦିନ ଏକ ସଚେତନତା ପଦଯାତ୍ରା ବା ୱାକାଥନ୍‌ ଆୟୋଜନ କରାଯାଇଥିଲା। ବିଏସଏନଏଲର ମୁଖ୍ୟ ମୁଖ୍ୟ ମହାପ୍ରବନ୍ଧକ ଟେଲିକମ ରୁଦ୍ର ନାରାୟଣ ପଲେଇ, ଉପମହାପ୍ରବନ୍ଧକ (ଦୁର୍ନୀତି ନିବାରଣ) କାର୍ତ୍ତିକ ଚରଣ ପତିଙ୍କ ସମେତ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

ପଦଯାତ୍ରା ସମୟରେ ପ୍ରତିଯୋଗୀମାନେ ‘‘ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ’’ ବିଷୟବସ୍ତୁର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତି ନିରାକରଣ ପାଇଁ ବାର୍ତ୍ତା ପ୍ରଚାର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀଗଣ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ସାଧୁତା ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟର ବିକାଶ ଓ ଦ୍ରୁତ ପ୍ରଗତି ନିମନ୍ତେ ଦୁର୍ନୀତି ହ୍ରାସ ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଉପକ୍ରମରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇ ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥି ସହିତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାଉପରେ ଗୁରୁତ୍ୱ ଦିଆଯାଇଛି, ଯଦ୍ଦ୍ୱାରା ଦୁର୍ନୀତି ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଥିଲେ ।

ଉତ୍ସବରେ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେଠ୍‌ୱା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦୁର୍ନୀତିକୁ ରୋକାଯାଇ ପାରିଲେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏଥି ନିମନ୍ତେ ସରକାରୀ କର୍ମଚାରୀଙ୍କ ସମେତ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସହଯୋଗର ଆବଶ୍ୟକତା ରହିଛି । ଦୁର୍ନୀତି ଦୂର କରି ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ଜନସାଧାରଣ ଏହାର ସୁଫଳ ପାଇପାରିବେ ।

ବାହାର ସଂସ୍ଥା ଦ୍ୱାରା ନିୟମିତ ଅଡ଼ିଟ୍‌ କରାଇବା, ଇ-ପ୍ରକୁ୍ୟର୍‌ମେଣ୍ଟ, ଇ-ଟେଣ୍ଡର, ଇ-ମାର୍କେଟିଂ ଆଦିର ବ୍ୟାପକ ପ୍ରଚଳନ ଦ୍ୱାରା ଦୁର୍ନୀତି ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ଜେଠ୍‌ୱା କହିଥିଲେ । ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର ଚିହ୍ନଟ ଏବଂ ନିୟମିତ ଓ ଅଚାନକ ପରିଦର୍ଶନ ଓ ଯାଞ୍ଚ ଆଦି ଦୁର୍ନୀତି ଦୂର କରିବା ଦିଗରେ ସହାୟକ ହେବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଥିଲେ ।

ଏହି ଉତ୍ସବରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆୟୋଜିତ ସ୍ଳୋଗାନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ମିସ୍‌ ସୁଶ୍ରୁତା ଶତପଥୀ, ଶ୍ରୀମତୀ ସାହୁ, ପ୍ରଣତି ପ୍ରିୟଦର୍ଶନୀ ରାଉତ ଓ ମୂରଲୀ ଶିଅଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ପୂର୍ବାହ୍ନରେ କୃଷି ଭବନ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ । ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷିି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ଗ୍ରହଣ ଅନୁଷ୍ଠିତ

ଖୋର୍ଦ୍ଧା: ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୩୧.୧୦.୨୦୨୨ ଠାରୁ ତା.୦୬.୧୧.୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସତ୍ୟନିଷ୍ଠାର ଶପଥପାଠ କରାଇଛନ୍ତି। ଏହି ମର୍ମରେ ଜିଲ୍ଲା କାର୍ଯ୍ୟାଳୟ ଓ ବିଭିନ୍ନ ବ୍ଲକସ୍ଥିତ ଓସୱାନ ହଲରେ ଅଧିକାରୀ ଓ କର୍ମଚାରୀ ମନେ ସତ୍ୟନିଷ୍ଠର ଶପଥ ନେଇଛନ୍ତି।

ଜଟଣୀ ବ୍ଲକରେ ଆଜି ଜନଶୁଣାଣି ଶିବିର ଥିବାରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ସଂପୃକ୍ତ ବିଡିଓ ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ବ୍ଲକ ଓସୱାନ ହଲରେ ଯୋଗଦେଇ ଶପଥ ନେଇଥିଲେ।

ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କକ୍ଷରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଆପଦ କାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଶପଥପାଠରେ ସାମିଲ ହୋଇଥିଲେ।

ଅନୁରୂପ ଭାବେ ବିଭିନ୍ନ ବ୍ଲକରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ, ଆଶା ଓ ଅଙ୍ଗନୱାଡି କର୍ମୀ, ବୁଦ୍ଧିଜୀବୀ, ସାଧାରଣ ନାଗରିକ ମଧ୍ୟ ଯୋଗଦେଇଥିଲେ।