କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Published: Nov 1, 2022, 12:17 pm IST

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀଗଣ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ସାଧୁତା ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟର ବିକାଶ ଓ ଦ୍ରୁତ ପ୍ରଗତି ନିମନ୍ତେ ଦୁର୍ନୀତି ହ୍ରାସ ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଉପକ୍ରମରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇ ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥି ସହିତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାଉପରେ ଗୁରୁତ୍ୱ ଦିଆଯାଇଛି, ଯଦ୍ଦ୍ୱାରା ଦୁର୍ନୀତି ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଥିଲେ ।

ଉତ୍ସବରେ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେଠ୍‌ୱା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦୁର୍ନୀତିକୁ ରୋକାଯାଇ ପାରିଲେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏଥି ନିମନ୍ତେ ସରକାରୀ କର୍ମଚାରୀଙ୍କ ସମେତ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସହଯୋଗର ଆବଶ୍ୟକତା ରହିଛି । ଦୁର୍ନୀତି ଦୂର କରି ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ଜନସାଧାରଣ ଏହାର ସୁଫଳ ପାଇପାରିବେ ।

ବାହାର ସଂସ୍ଥା ଦ୍ୱାରା ନିୟମିତ ଅଡ଼ିଟ୍‌ କରାଇବା, ଇ-ପ୍ରକୁ୍ୟର୍‌ମେଣ୍ଟ, ଇ-ଟେଣ୍ଡର, ଇ-ମାର୍କେଟିଂ ଆଦିର ବ୍ୟାପକ ପ୍ରଚଳନ ଦ୍ୱାରା ଦୁର୍ନୀତି ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ଜେଠ୍‌ୱା କହିଥିଲେ । ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର ଚିହ୍ନଟ ଏବଂ ନିୟମିତ ଓ ଅଚାନକ ପରିଦର୍ଶନ ଓ ଯାଞ୍ଚ ଆଦି ଦୁର୍ନୀତି ଦୂର କରିବା ଦିଗରେ ସହାୟକ ହେବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଥିଲେ ।

ଏହି ଉତ୍ସବରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆୟୋଜିତ ସ୍ଳୋଗାନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ମିସ୍‌ ସୁଶ୍ରୁତା ଶତପଥୀ, ଶ୍ରୀମତୀ ସାହୁ, ପ୍ରଣତି ପ୍ରିୟଦର୍ଶନୀ ରାଉତ ଓ ମୂରଲୀ ଶିଅଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ପୂର୍ବାହ୍ନରେ କୃଷି ଭବନ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ । ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷିି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ ।

Related posts