Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ରେକର୍ଡ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ଵ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍‌ ଟନ୍‌ରୁ ଊଦ୍ଧ୍ୱର୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା।
ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍‌ ଟନ ହେବାବେଳେ ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଉତ୍ପାଦନର ଆକଳନ କରାଯାଇଛି।
ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଡାଲିଜାତୀୟ ଶସ୍ୟ ଉତ୍ପାଦନ ମଧ୍ୟରେ ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ, କୋଳଥ ୯୧ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ମଟର ୨୯ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ମସୁର ୭ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ବରଗୁଡ଼ି ୬୮ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ୍‌ ଟନ ଅନ୍ତର୍ଭୁକ୍ତ।
Categories
ବିଶେଷ ଖବର ରାଜ୍ୟ ଖବର

‘ଘର ଦୁଆରେ ପୁଷ୍ଟି’ ହିତାଧିକାରୀଙ୍କୁ ଫଳଚାରା, ପରିବା ବିହନ କିଟ୍‌ ବଣ୍ଟାଯିବ

ଭୁବନେଶ୍ୱର: ଅପପୁଷ୍ଟି ତଥା ରକ୍ତହୀନତା ସମସ୍ୟାର ସମାଧାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ପୁଷ୍ଟିକର ଫଳଚାରା ଓ ପନିପରିବା ବିହନ କିଟ୍‌ ବିନାମୂଲ୍ୟରେ ବଣ୍ଟନ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରୀ ୭ ତାରିଖରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଉଦ୍ୟାନ କୃଷି ବିଭାଗର ଜିଲ୍ଲା ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବେ ଯୋଜନାର ସମୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧିନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ହିତାଧିକାରୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ କରାଯାଉଥିବାବେଳେ ଚାରା ଓ ପନିପରିବା କିଟ୍‌ ଉଦ୍ୟାନ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଉଛି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ, ସେଥି ନିମନ୍ତେ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ପ୍ରାଚୀନ ସମ୍ବେଦନଶୀଳ ଜନଜାତି ସଂପ୍ରଦାୟ ସମେତ ଟ୍ରାନ୍ସଜେଣ୍ଡର, ପରିବାରର ମୁଖ୍ୟ ବିଧବା ହୋଇଥିଲେ ସେମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟରେ ୮ ଲକ୍ଷ ହିତାଧିକାରୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ହିତାଧିକାରୀ ପରିବାର ଚିହ୍ନଟ ପ୍ରକ୍ରିୟା ସାରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ସାମିଲ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରି କାର୍ଯ୍ୟଖସଡ଼ା ଚୂଡ଼ାନ୍ତ କରିବା ପାଇଁ ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କାର୍ଯ୍ୟକ୍ରମ ସଂପର୍କରେ ସାଧାରଣଲୋକ ଯେପରି ଜାଣିପାରିବେ ସେଥିପାଇଁ ଜିଲ୍ଲା, ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ଓ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଭାବରେ ଅଭିହିତ କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ବୋଲି
ଡ. ପାଢ଼ୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ପରିବାରକୁ ୧୦ଟି ଉନ୍ନତ ମାନର ଫଳଚାରା ଯୋଗାଇ ଦିଆଯାଉଛି । ଏଥିରେ ସଜନା ଛୁଇଁ, କଂଚା କଦଳୀ, ଅମୃତଭଣ୍ଡା, ଲେମ୍ବୁ ଓ ଦେଶୀଆଳୁର ଦୁଇଟି ଲେଖାଏଁ ଚାରା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ସେହିପରି ପନିପରିବା କିଟ୍‌ରେ ବାଇଗଣ, ଭେଣ୍ଡି, କଞ୍ଚାଲଙ୍କା, କଲରା, ଟମାଟୋ ଏବଂ ପାଳଙ୍ଗ ଶାଗର ଉନ୍ନତମାନର ପ୍ରାମାଣିକ ମଂଜି ଯୋଗାଇ ଦିଆଯାଇଛି। ବଣ୍ଟନ ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ହିତାଧିକାରୀ ପରିବାରଙ୍କର ଜିଓ ଟାଗିଂ, ଫଟୋ ଏବଂ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାର ଜିଲ୍ଲାପାଳ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକମାନେ ଜିଲ୍ଲାରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବାବେଳେ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ବ୍ଲକ୍‌ରୁ ଭର୍ଚୁଆଲରେ ଯୋଗଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି ।

ଷ୍ଟଲରେ ଉତ୍ପାଦଗୁଡିକୁ ଚାଖିବାର ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ଉତ୍ପାଦ କିଣୁଥିବା ପରିଲକ୍ଷିତ ହେଉଛି । ବିସ୍କୁଟ ମଧ୍ୟରେ ଉଭୟ ମିଠା ଓ ଲୁଣିଆ ବିସ୍କୁଟ ରହିଛି । ଯାହାକି ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛି । ଏହି ଷ୍ଟଲରେ ଭଲ ବିକ୍ରିବଟା ହୋଇଥିବାବେଳେ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ଆଗ୍ରହ କ୍ରମେ ଆସନ୍ତା କାଲିଠାରୁ କୃଷି ବିଭାଗ ଷ୍ଟଲରେ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ପିଠା ମିଳିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ମିଲି ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ଦର୍ଶକମାନଙ୍କ ଗହଳି ଲାଗି ରହୁଛି ।

ସେହିପରି ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମଣ୍ଡପର ୧୬ ନମ୍ବର ଷ୍ଟଲରେ ବିକ୍ରି ଜୋର ଧରିଛି କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଆଣିଥିବା ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ । ଜି.ଆଇ. ଟ୍ୟାଗ ମାନ୍ୟତାପ୍ରାପ୍ତ କନ୍ଧମାଳ ହଳଦୀ ସମେତ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଅଦା, ଗୋଲମରିଚ, ଧଳା ରାଶି, ସୋରିଷ, ମୁଗଡାଲି, ମାଣ୍ଡିଆ ଆଦି ଶସ୍ୟ ଓ ମସଲା ଏବଂ ସେଥିରୁ ପ୍ରସ୍ତୁତ ପାମ୍ପଡ କିଣିବା ପାଇଁ ଉକ୍ତ ଷ୍ଟଲରେ ଗ୍ରାହକମାନଙ୍କ ପ୍ରବଳ ଭିଡ ଲାଗି ରହୁଛି । ଏହି ଷ୍ଟଲ ମଧ୍ୟ ବେଶ ଭଲ ବ୍ୟବସାୟ କରିଛି ।

ଆସନ୍ତା ୨୪ ତାରିଖ ଅପରାହ୍ନରେ ପ୍ରଗତି ମଇଦାନଠାରେ ଓଡ଼ିଶା ଦିବସ ପାଳନ ହେବ । ଏଥିରେ ଓଡିଶାରୁ ଆସିଥିବା ବଛା ବଛା ସାଂସ୍କୃତିକ ଦଳ ଗୁଡିକ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟସଙ୍ଗୀତ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପାଭିଲିଅନ୍‌ ସୂତ୍ରରୁ ପ୍ରକାଶ ।

ଆଜି ଓଡ଼ିଶା ମଣ୍ଡପକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଭ୍ରମଣରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହିତ ଓଡ଼ିଶା ମଣ୍ଡପର ବିଭିନ୍ନ କଳାକୃତି ସହ ଫଟୋ ଉଠାଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଯୁକ୍ତି ପାଇଲେ ୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ମୁଖ୍ୟମନ୍ତ୍ରୀ କଲେ ଅଭିନନ୍ଦନ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଆଜି ୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ମହିଳା ଅଛନ୍ତି। ଲୋକ ସେବା ଭବନରେ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଅଧିକାରୀମାନଙ୍କୁ ତ୍ରୁଣମୂଳ ସ୍ତରରେ ଥିବା ଲୋକ ଏବଂ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, “ଆପଣଙ୍କୁ ଆରାମ-ଜୋନରୁ ବାହାରକୁ ଆସିବାକୁ ପଡ଼ିବ, ଏବଂ ଆଦିବାସୀ ଅଞ୍ଚଳ, ଅପହଞ୍ଚ ପାହାଡ଼ିଆ ଅଞ୍ଚଳ ଉପରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ପଡିବ।

ଚାଷରେ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା କରିବାକୁ ପ୍ରସ୍ତୁତ ରୁହନ୍ତୁ।  ଉଦ୍ୟାନ କୃଷକ କ୍ୟାରିୟର ଭାବରେ, ଆସନ୍ତା ୩୦ ବର୍ଷ ମଧ୍ୟରେ ଆପଣଙ୍କର ଭୂମିକା ରାଜ୍ୟରେ ଉଦ୍ୟାନ କୃଷି କ୍ଷେତ୍ରର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ଟି ପଦକ୍ଷେପ ଅନୁଯାୟୀ ଅଧିକାରୀମାନେ ଦଳଗତ କାର୍ଯ୍ୟ ଏବଂ ଟେକ୍ନୋଲୋଜି ମାଧ୍ୟମରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ସହିତ କାର୍ଯ୍ୟ କରିବେ।

ଲୋକମାନଙ୍କ ନିକଟରେ ନିଜକୁ ଲୋକସେବକ ବୋଲି ଭାବିବା ଆବଶ୍ୟକ। ଉଦ୍ୟାନ କୃଷି କ୍ଷେତ୍ରରେ ଆମର ରୂପାନ୍ତରର ମିଶନକୁ ହୃଦୟଙ୍ଗମ କରି ସେମାନେ ଆମ ରାଜ୍ୟର ସମ୍ପତ୍ତି ବୋଲି ପ୍ରମାଣ କରିବେ ବୋଲି ସେ ଆଶା କରାଯାଉଛି। ନବୀନ ଆହୁରି ମଧ୍ୟ କହିଛନ୍ତି ଯେ କୃଷିର ଆୟ ବୃଦ୍ଧି ସହିତ କୃଷି କ୍ଷେତ୍ରର ବିକାଶ ମୋ ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକତା।କୃଷି କ୍ଷେତ୍ରର ସାମଗ୍ରିକ କାର୍ଯ୍ୟ ମଧ୍ୟରେ କୃଷକଙ୍କ ଆୟ ବୃଦ୍ଧିରେ ଉଦ୍ୟାନ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।

କୃଷକମାନଙ୍କର ବ୍ୟକ୍ତିଗତ ଘରୋଇ ଆୟ ବୃଦ୍ଧିରେ ଉଦ୍ୟାନ କୃଷି ସାହାଯ୍ୟ କରିଥାଏ ଏବଂ ପୃଷ୍ଟିକର ଅଭାବକୁ ଦୂର କରିବାରେ ମଧ୍ୟ ଏହା ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି। ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ଚାଷୀଙ୍କ ଘର ପଛପଟେ ରୋଷେଇ ଘରର ଉଦ୍ୟାନର ବିକାଶ ରାଜ୍ୟରେ ପୃଷ୍ଟିକର ସମସ୍ୟାର ସମାଧାନ ପାଇଁ ଏକ ଉତ୍ସାହଜନକ ପ୍ରୟାସ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଉଦ୍ୟାନ କୃଷି କ୍ଷେତ୍ରର ଗତିକୁ ନବୀକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ମିଶନ ଯଥା ଜ୍ୟାକଫ୍ରୁଟ୍ ମିଶନ୍, ମସଲା ମିଶନ୍, ପୁଷ୍ପଗୁଚ୍ଛ ମିଶନ୍, ଛତୁ ମିଶନ୍ ଏବଂ ଦ୍ବାର ପାଖରେ ପୁଷ୍ଟିକର ମିଶନ୍ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଦ୍ରୁତ ଗତିରେ ନିଯୁକ୍ତି ଡ୍ରାଇଭ୍ କରିଛନ୍ତି ଏବଂ ପ୍ରତ୍ୟେକ ବିଭାଗ ଖାଲି ପଦବୀ ପୂରଣ କରୁଛନ୍ତି।

କୃଷକମାନଙ୍କୁ ଫସଲକୁ ବିବିଧ କରିବା ଏବଂ ଉଦ୍ୟାନ କୃଷିରେ ନଗଦ ଫସଲକୁ ସ୍ଥାନାନ୍ତର କରିବାକୁ ଉତ୍ସାହିତ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଅଧିକାରୀମାନେ ଋତୁପୂର୍ଣ୍ଣା ସେନାପତି, ସୁସ୍ମିତା ମେହେର ଏବଂ ରବି ଶଙ୍କର ପଣ୍ଡା କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯାଇଥିଲା।

ଲୋକମାନଙ୍କୁ ସେମାନଙ୍କର ନୂତନ କ୍ଷମତାରେ ସେବା କରିବାର ସୁଯୋଗ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୫ ଟି  ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରମୁଖ୍ୟ ଶାସନ ସଚିବ କୃଷି ଏବଂ କୃଷକଙ୍କ ସଶକ୍ତିକରଣ ଶ୍ରୀ ଅରବିନ୍ଦ ପାଢୀ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ନିର୍ଦ୍ଦେଶକ ଉଦ୍ୟାନ କୃଷି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀଗଣ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ସାଧୁତା ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟର ବିକାଶ ଓ ଦ୍ରୁତ ପ୍ରଗତି ନିମନ୍ତେ ଦୁର୍ନୀତି ହ୍ରାସ ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଉପକ୍ରମରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇ ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥି ସହିତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାଉପରେ ଗୁରୁତ୍ୱ ଦିଆଯାଇଛି, ଯଦ୍ଦ୍ୱାରା ଦୁର୍ନୀତି ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଥିଲେ ।

ଉତ୍ସବରେ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେଠ୍‌ୱା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦୁର୍ନୀତିକୁ ରୋକାଯାଇ ପାରିଲେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏଥି ନିମନ୍ତେ ସରକାରୀ କର୍ମଚାରୀଙ୍କ ସମେତ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସହଯୋଗର ଆବଶ୍ୟକତା ରହିଛି । ଦୁର୍ନୀତି ଦୂର କରି ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ଜନସାଧାରଣ ଏହାର ସୁଫଳ ପାଇପାରିବେ ।

ବାହାର ସଂସ୍ଥା ଦ୍ୱାରା ନିୟମିତ ଅଡ଼ିଟ୍‌ କରାଇବା, ଇ-ପ୍ରକୁ୍ୟର୍‌ମେଣ୍ଟ, ଇ-ଟେଣ୍ଡର, ଇ-ମାର୍କେଟିଂ ଆଦିର ବ୍ୟାପକ ପ୍ରଚଳନ ଦ୍ୱାରା ଦୁର୍ନୀତି ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ଜେଠ୍‌ୱା କହିଥିଲେ । ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର ଚିହ୍ନଟ ଏବଂ ନିୟମିତ ଓ ଅଚାନକ ପରିଦର୍ଶନ ଓ ଯାଞ୍ଚ ଆଦି ଦୁର୍ନୀତି ଦୂର କରିବା ଦିଗରେ ସହାୟକ ହେବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଥିଲେ ।

ଏହି ଉତ୍ସବରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆୟୋଜିତ ସ୍ଳୋଗାନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ମିସ୍‌ ସୁଶ୍ରୁତା ଶତପଥୀ, ଶ୍ରୀମତୀ ସାହୁ, ପ୍ରଣତି ପ୍ରିୟଦର୍ଶନୀ ରାଉତ ଓ ମୂରଲୀ ଶିଅଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ପୂର୍ବାହ୍ନରେ କୃଷି ଭବନ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ । ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷିି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ କୃଷି ବିଭାଗର ନୂଆ ପଦକ୍ଷେପ, ୩୦ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ନିଯୁକ୍ତି

ଭୁବନେଶ୍ବର: କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି।

ନୋଡାଲ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଷର ସ୍ଥିତି, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ ଆଦି ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ନୋଡାଲ ଅଧିକାରୀମାନେ ଜିଲ୍ଲାଗସ୍ତ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ସ୍ଥିତି, ଫସଲ ଋଣ ଯୋଗାଣ, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍‌ ମିଶନ, କ୍ଷେତପୋଖରୀ ଖନନ, ଫସଲ ଚାଷରେ ବିବିଧିକରଣ, ସୌର ଜଳନିଧି ପ୍ରକଳ୍ପ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଆଦିର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଏହାର ପୂରଣର ସମୀକ୍ଷା କରିବେ।

ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ ସମେତ ଆଳୁ, ମସଲାଚାଷ, ବ୍ଲକ୍‌ସ୍ତରୀୟ ନର୍ସରୀ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏରେ ବୃକ୍ଷରୋପଣ ଆଦି ସଂପର୍କରେ ସବିଶେଷ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ସହିତ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପ୍ରସ୍ତାବ ଦେବେ।

ନୋଡାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ବିହନ, ମୃତ୍ତିକା, ସାର ଓ କୀଟନାଶକ ପରୀକ୍ଷାଗାର, ଡିଲର ପଏଣ୍ଟ, କୃଷି ଏବଂ ଉଦ୍ୟାନ କୃଷି ଫାର୍ମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତିଷ୍ଠିତ ପ୍ରକଳ୍ପ, ଆଗ୍ରୋ ସର୍ଭିସ ସେଣ୍ଟର, ଯୁଗ୍ମଦେୟ ଗୋଷ୍ଠୀଗୁଡ଼ିକ ନିୟମିତ ପରିଦର୍ଶନ କରି ହିତାଧିକାରୀ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିବା ପାଇଁ କୁହାଯାଇଛି।

ଏତଦ୍‌ବ୍ୟତୀତ ସମନ୍ୱିତ କୃଷି ଫାର୍ମ, ଏମ୍‌ଜିଏନ୍‌ଆର୍‌ଇଜିଏରେ ଫାର୍ମ ପଣ୍ଡ ଖନନ, କୂପ ଖନନ, ଭର୍ମି କମ୍ପୋଷ୍ଟ ୟୁନିଟ୍‌, ଅଣଧାନ ଫସଲ, ଡାଲି, ତୈଳବୀଜ, ମାଣ୍ଡିଆ, କପା, ଝୋଟ ଆଦିି ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିବେ। ଏଥି ସହିତ କୃଷିରେ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଓ ‘ଆମ କୃଷି’ର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର, ଚଳିତ ଖରିଫରେ ରାଜ୍ୟରେ କମ୍‌ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଯେଉଁସବୁ ସ୍ଥାନରେ କମ୍‌ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍‌ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ ନିଷ୍କାସନ ଉପରେ ବୈଠକରେ ଗୁରୁତ୍ୱ ଦଆଯାଇଛି। କୃଷି, ସମବାୟ ଓ ଜଳସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ ଚାଷଜମି ଅନୁଧ୍ୟାନ କରି କଣ୍ଟିଜେଣ୍ଟ ପ୍ଲାନ୍‌ ପ୍ରସ୍ତୁତ ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ଷେତ୍ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ନିୟମିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ କୁହାଯାଇଛି । ବୈଠକରେ ମନ୍ତ୍ରୀ ଡ.ସାହୁ କହିଲେ ଯେ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ ସେପେଫମ୍ବର ମାସରେ ପ୍ରାକ୍‌ରବିରେ ଅଣଧାନ ଓ ବିକଳ୍ପ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯେପରି ଫସଲ କ୍ଷତି ହେଲେ କ୍ଷତି ଭରଣା କରାଯାଇପାରିବ । ଏଥି ସହିତ ବୀମା କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ତୁରନ୍ତ କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଅଧିକ ଫସଲ ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏତଦ୍‌ବ୍ୟତୀତ କୃଷି ଶ୍ରମଜୀବୀମାନଙ୍କୁ ଏମ୍‌ଜିଏନ୍‌ଆର୍‌ଜିଏରେ କର୍ମସଂସ୍ଥାନ ଯୋଗାଇଦେଇ ରୋଜଗାରକ୍ଷମ କରାଯିବାକୁ ପଦକ୍ଷେପ ନିଆଯିବ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ ସଂପୃକ୍ତ ବିଭାଗର ସମସ୍ତ କର୍ମଚାରୀ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ଉପଦେଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନିମନ୍ତେ ଆଡ୍‌ଭାଇଜାରି ଜାରି କରାଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଜଳସଂପଦ ବିଭାଗର ଯନ୍ତ୍ରୀମୁଖ୍ୟ ତଥା ସ୍ୱତନ୍ତ୍ର ଶାସନ ସଚିବ ଅସୀମ କୁମାର ମହାପାତ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଭକ୍ତଚରଣ ମହାନ୍ତି, ମେଗା ଲିଫଫ ଇରିଗେସନ୍‌ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଓୟୁଏଟିର ଡିନ୍‌ ସଂପ୍ରସାରଣ ପ୍ରଫେସର ପି.ଜେ. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।