ରାଜ୍ୟରେ ରେକର୍ଡ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ଵ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ

Published: May 12, 2023, 10:40 am IST
ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍‌ ଟନ୍‌ରୁ ଊଦ୍ଧ୍ୱର୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା।
ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍‌ ଟନ ହେବାବେଳେ ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଉତ୍ପାଦନର ଆକଳନ କରାଯାଇଛି।
ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଡାଲିଜାତୀୟ ଶସ୍ୟ ଉତ୍ପାଦନ ମଧ୍ୟରେ ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ଵ, କୋଳଥ ୯୧ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ମଟର ୨୯ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ମସୁର ୭ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ, ବରଗୁଡ଼ି ୬୮ ହଜାର ମେଟ୍ରିକ୍‌ ଟନରୁ ଉର୍ଦ୍ଧ୍ଵ ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ୍‌ ଟନ ଅନ୍ତର୍ଭୁକ୍ତ।

Related posts