ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

Published: Nov 22, 2022, 7:51 am IST

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି ।

ଷ୍ଟଲରେ ଉତ୍ପାଦଗୁଡିକୁ ଚାଖିବାର ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ଉତ୍ପାଦ କିଣୁଥିବା ପରିଲକ୍ଷିତ ହେଉଛି । ବିସ୍କୁଟ ମଧ୍ୟରେ ଉଭୟ ମିଠା ଓ ଲୁଣିଆ ବିସ୍କୁଟ ରହିଛି । ଯାହାକି ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛି । ଏହି ଷ୍ଟଲରେ ଭଲ ବିକ୍ରିବଟା ହୋଇଥିବାବେଳେ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ଆଗ୍ରହ କ୍ରମେ ଆସନ୍ତା କାଲିଠାରୁ କୃଷି ବିଭାଗ ଷ୍ଟଲରେ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ପିଠା ମିଳିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ମିଲି ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ଦର୍ଶକମାନଙ୍କ ଗହଳି ଲାଗି ରହୁଛି ।

ସେହିପରି ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମଣ୍ଡପର ୧୬ ନମ୍ବର ଷ୍ଟଲରେ ବିକ୍ରି ଜୋର ଧରିଛି କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଆଣିଥିବା ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ । ଜି.ଆଇ. ଟ୍ୟାଗ ମାନ୍ୟତାପ୍ରାପ୍ତ କନ୍ଧମାଳ ହଳଦୀ ସମେତ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଅଦା, ଗୋଲମରିଚ, ଧଳା ରାଶି, ସୋରିଷ, ମୁଗଡାଲି, ମାଣ୍ଡିଆ ଆଦି ଶସ୍ୟ ଓ ମସଲା ଏବଂ ସେଥିରୁ ପ୍ରସ୍ତୁତ ପାମ୍ପଡ କିଣିବା ପାଇଁ ଉକ୍ତ ଷ୍ଟଲରେ ଗ୍ରାହକମାନଙ୍କ ପ୍ରବଳ ଭିଡ ଲାଗି ରହୁଛି । ଏହି ଷ୍ଟଲ ମଧ୍ୟ ବେଶ ଭଲ ବ୍ୟବସାୟ କରିଛି ।

ଆସନ୍ତା ୨୪ ତାରିଖ ଅପରାହ୍ନରେ ପ୍ରଗତି ମଇଦାନଠାରେ ଓଡ଼ିଶା ଦିବସ ପାଳନ ହେବ । ଏଥିରେ ଓଡିଶାରୁ ଆସିଥିବା ବଛା ବଛା ସାଂସ୍କୃତିକ ଦଳ ଗୁଡିକ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟସଙ୍ଗୀତ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପାଭିଲିଅନ୍‌ ସୂତ୍ରରୁ ପ୍ରକାଶ ।

ଆଜି ଓଡ଼ିଶା ମଣ୍ଡପକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଭ୍ରମଣରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହିତ ଓଡ଼ିଶା ମଣ୍ଡପର ବିଭିନ୍ନ କଳାକୃତି ସହ ଫଟୋ ଉଠାଉଛନ୍ତି ।

Related posts