Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ପାଭିଲିୟନରେ ଜନଜାତି ହସ୍ତକଳାର ଝଲକ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ଵାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ଫଳରେ ସେମାନଙ୍କ ଜୀବନ ଶୈଳୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବା ସହିତ ଓଡିଶାର ଜନଜାତି ସମୁଦାୟ ସମେତ ବିଲୁପ୍ତପ୍ରାୟ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେମାନଙ୍କ କଳା, ସଂସ୍କୃତି ଓ ପରମ୍ପରାର ଆଶାତୀତ ସୁରକ୍ଷା ସମ୍ଭବ ହୋଇପାରିଛି। ଯାହାର ଝଲକ ଦେଖିବାକୁ ମିଳିଛି ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନରେ।

ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ସଶକ୍ତିକରଣ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପ୍ରଥମଥର ପାଇଁ ଏହି ବାଣିଜ୍ୟ ମେଳାରେ ଅଂଶ ଗ୍ରହଣ କରୁଛନ୍ତି। ପାଭିଲିୟନର ୧୯ ଓ ୨୦ ନମ୍ବର ଷ୍ଟଲରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଜନଜାତି ସଂପ୍ରଦାୟଙ୍କ ହସ୍ତ ସାମଗ୍ରୀ ମିଳୁଥିବା ବେଳେ, ଆଦିଶା (ADISHA) ଦ୍ଵାରା ୨୧ ନମ୍ବର ଷ୍ଟଲରେ କୋରାପୁଟ କଫି ମିଳୁଛି।

ପାଭିଲିୟନର ମଧ୍ୟ ଭାଗରେ ଥିବା ବୋଇତ ଉପରେ ନବରଙ୍ଗପୁର ଜିଲାରୁ ଆସିଥିବା ଭୋତ୍ତଡା ଜନଜାତି ସଂପ୍ରଦାୟ ଦ୍ଵାରା ଧାନରୁ ପ୍ରସ୍ତୁତ ବିଭିନ୍ନ ଦେବାଦେବୀ ଓ ଗୃହସଜ୍ଜା ସାମଗ୍ରୀ, ରାୟଗଡା ଜିଲ୍ଲାରୁ ଆସିଥିବା ଲାଞ୍ଜିଆ ସଉରା ଜନଜାତିଙ୍କ ଇଡ଼ିତାଲ ଚିତ୍ରକଳା, ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ଶାଲ ପ୍ରସ୍ତୁତିକୁ ମଧ୍ୟ ଦର୍ଶକମାନେ ସେମାନଙ୍କ କ୍ୟାମେରା ମାଧ୍ୟମରେ ସାଇତି ରଖିବା ସହିତ ଭୁରି ଭୁରି ପ୍ରଶଂସା କରୁଛନ୍ତି। ୨୦ ନମ୍ବର ଷ୍ଟଲରୁ ସେସବୁକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏଥିସହିତ, ଜନଜାତି ସମ୍ପ୍ରଦାୟଙ୍କ ଆଭୂଷଣ ପ୍ରତି ବର୍ତ୍ତମାନର ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି, ଓରମାସ ତରଫରୁ ନବରଙ୍ଗପୁର ଜିଲ୍ଲାର ମା ବନଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଜନଜାତି ଅଳଙ୍କାର ବିକ୍ରୟ କରାଯାଉଛି। ଓଡିଶା ପାଭଲିୟନ ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ଜନଜାତି ସଂପ୍ରଦାୟ ସେମାନଙ୍କ ପାରମ୍ପରିକ ବେଶଭୁଷା ଓ ଆଭୂଷଣରେ ରହୁଥିବାରୁ, ସେମାନଙ୍କ ଜୀବନଶୈଳୀ, କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି।

ଏତଦବ୍ୟତୀତ, କୋରାପୁଟ କଫି କିଣିବା ପାଇଁ ଓଡିଶା ପାଭିଲିୟନରେ ମଧ୍ୟ ପ୍ରବଳ ଜନଗହଳି ରହୁଛି। ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଓଡିଶା ପାଭିଲିୟନ ପରିଦର୍ଶନ କରିଥିବା ସମୟରେ କୋରାପୁଟ କଫି ଚାଷ ଓ ଏହାର ପ୍ରକ୍ରିୟାକରଣକୁ ବ୍ୟାପକ କରାଯିବା ସହିତ ଏହାକୁ ବିଶ୍ଵ ବଜାର ସୁବିଧା ପ୍ରଦାନ କରିବା ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ବୋଲି ପ୍ରକାଶ କରିଥିଲେ।

ଗତ କାଲି ଅର୍ଥାତ ୨୩ ତାରିଖ ସୁଦ୍ଧା ବିଭାଗର ୩ ଟି ଷ୍ଟଲ ସମେତ ବୋଇତର ଡେକ ଉପରେ ବସିଥିବା ହସ୍ତଶିଳ୍ପୀ ଓ କଳାକାରମାନଙ୍କ ଦ୍ଵାରା ୩ ଲକ୍ଷ ୨୧ ହଜାର ୬୩୭ ଟଙ୍କାର ବ୍ୟବସାୟ ହୋଇଥିବାବେଳେ କେବଳ ଧାନ ହସ୍ତଶିଳ୍ପ ଷ୍ଟଲ ୧ ଲକ୍ଷ ୬୩ ହଜାର ୪୮୨ ଟଙ୍କାର ବ୍ୟବସାୟ କରିଛି ଏବଂ ଅନ୍ୟ ଦୁଇଟି ଷ୍ଟଲ ୧ ଲକ୍ଷ ୫୮ ହଜାର ୧୫୫ ଟଙ୍କାର ବ୍ୟବସାୟ କରିଛନ୍ତି।

୧୪ ତାରିଖରୁ ୨୩ ତାରିଖ ଅର୍ଥାତ ବିଗତ ୧୦ ଦିନ ମଧ୍ୟରେ ଓଡିଶା ପାଭିଲିୟନକୁ ପ୍ରାୟତଃ ୨ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷିତ କରୁଛି ଓଡିଶାର ଆଦିବାସୀ କଳା

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।

ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ପୁଟିତ ଉତ୍କଳୀୟ କଳା-ଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି। ଓଡିଶା ମଣ୍ଡପର ସମ୍ମୁଖ ଭାଗ ଓ ପାଶ୍ୱର୍ ଭାଗରେ ଥିବା ଆମ କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଛି।

ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠର ଉପର ମହଲାରେ ୫୫୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମିତ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓର୍‌ମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ/ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ଉତ୍ପାଦିତ ସମ୍ବଲପୁରୀ, ଟସର ଓ କୋଟପାଡ଼ ହସ୍ତତନ୍ତ ସାମଗ୍ରୀ ସମେତ କାଷ୍ଠ ଶିଳ୍ପ, ପ୍ରସ୍ତର ଶିଳ୍ପ, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି।

ବୋଇତର ଡେକ୍‌ ଉପରେ ବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟା ପ୍ରଦର୍ଶନ କରାଯାଉଛି। ସେହିପରି, ପ୍ରଗତି ମଇଦାନର ଫୁଡ କୋର୍ଟରେ ପର୍ଯ୍ୟଟନ ବିଭାଗ ତରଫରୁ ଖୋଲାଯାଇଥିବା ଫୁଡ ଷ୍ଟଲରେ ଓଡିଶାର ସୁସ୍ୱାଦୁ ଖାଦ୍ୟ ମିଳୁଛି।

ଆଗାମୀ ୧୯ ତାରିଖ ଦିନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଷଷ୍ଠ ଦିବସ ଅପରାହ୍ନରେ ପ୍ରଗତି ମଇଦାନର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ସହିତ ଦେଶବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଯୁଗ୍ମ ନିର୍ଦ୍ଦେଶକ ତଥା ଓଡିଶା ପାଭିଲିୟନର ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ସୁଦୃଶ୍ୟ ଓଡିଶା ମଣ୍ଡପରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ସହିତ ସମତାଳରେ ବିକ୍ରି ମଧ୍ୟ ବୃଦ୍ଧି ପାଉଛି।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ସଙ୍ଗଠନମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ୧୯ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଏହା ଉନ୍ମìକ୍ତ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ମିଳିଲା ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି ।

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ୭ ନମ୍ବର ହଲରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଗତକାଲି ସୂଚନା ମିଳିବା ପରେ ଓଡ଼ିଶା ପାଭିଲିୟନର ପ୍ରତ୍ୟେକ ଷ୍ଟଲର ପରିଚାଳକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ସେହିପରି, ଅନ୍ୟ ରାଜ୍ୟ ପାଭିଲିୟନ୍‌ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଟେରାକୋଟା କଳାକୃତି ଶୈଳୀରେ ନିର୍ମିିତ ଏବଂ ଲାଲ ଇଟାର ଭ୍ରମ ସୃଷ୍ଟି କରୁଥିବା ଓଡ଼ିଶା ପାଭିଲିୟନ ପ୍ରଥମ ଦିନରୁ ହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଚଳିତ ବର୍ଷର ବିଷୟବସ୍ତୁ ‘ଭୋକାଲ୍‌ ଫର୍‌ ଲୋକାଲ, ଲୋକାଲ ଟୁ ଗ୍ଲୋବାଲ’ ଆଧାରରେ ଓଡ଼ିଶା ପାଭିଲିୟନ ଷ୍ଟଲରେ ମିଶନ୍‌ ଶକ୍ତି ମହିଳା ମଣ୍ଡଳ ଏବଂ ଓର୍‌ମାସ୍‌ର ପଞ୍ଜୀକୃତ ଗ୍ରାମ୍ୟ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି।

ସେହିପରି ଡୋକ୍ରା ସାମଗ୍ରୀ, ଲାଖ, କାଇଁଚ ଓ ସବାଇ ଘାସ, ଏବଂ ଅବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମେତ କୋରାପୁଟ କଫି, କନ୍ଧମାଳର ଅଦା ଓ ହଳଦୀ, ଓଡ଼ିଶା ମିଲେଟ ମିଶନ ତରଫରୁ ମିଲେଟ ଜାତୀୟ ଶସ୍ୟରୁ ନିର୍ମିତ ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ବୟନିକା ବସ୍ତ୍ର, ଉତ୍କଳିକାର ରୂପା ତାରକସୀ ଏବଂ କୁଟୀର ଶିଳ୍ପ ସାମଗ୍ରୀ ପାଇଁ ଅସମ୍ଭବ ଭିଡ ଲାଗି ରହିଥିଲା।

ଏଥି ସହିତ, ଆଗାମୀ ଦିନରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଓ ବିଶ୍ୱକପ ହକି ସମ୍ପର୍କରେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୁବନ୍ଦୋବସ୍ତ ହୋଇଥିଲା। ଦର୍ଶକମାନଙ୍କ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା ମିଲେଟ ମିଶନର ମାସ୍କଟ ‘ମିଲି’।

ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଗତ ୧୪ ତାରିଖ ଦିନ ଏହାକୁ ଉଦ୍‌ଘାଟନ କରିଥିବାବେଳେ ବିଭିନ୍ନ ଦିବସରେ ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ, ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଯୋଗଦେଇଥିଲେ।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଭାରତ ସରକାରଙ୍କ ବେସାମରିକ ବିମାନ ଉଡାଣ ସୁରକ୍ଷା ବ୍ୟìରୋର ମହା-ନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢୀ, ରାଷ୍ଟ୍ରୀୟ ନିଯୁକ୍ତି ପ୍ରଦାନ ସଂସ୍ଥାର ସଚିବ ତଥା ମୁଖ୍ୟ ନିର୍ବାହୀ ଶ୍ରୀ ସଂଜୀବ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ରଙ୍ଗଲାଲ ଜାମୁଡା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ବରିଷ୍ଠ ପଦାଧିକାରୀ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରି, ଏହାର ସାଜସଜ୍ଜା, ପରିଷ୍କାର-ପରିଚ୍ଛନ୍ନତା, ଗ୍ରାହକ ଓ ତଥ୍ୟ ସଂଗ୍ରହକାରୀଙ୍କ ପ୍ରତି ଉତ୍କୃଷ୍ଟ ଆତିଥେୟତା ପାଇଁ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶା ପାଭିଲିୟନ୍‌ ପୁରସ୍କାର ପାଇବା ପାଇଁ ପ୍ରମୁଖ ଦାବିଦାର ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି, ଗତ ୨୪ ତାରିଖ ଦିନ ପ୍ରଗତି ମୈଦାନର ଆମ୍ଫି ଥିଏଟରରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସକୁ ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଉଦ୍‌ଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଉକ୍ତଦିନ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସୁପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ଫ୍ୟìଜନ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ଲକ୍ଷାଧିକ ଜନ ସମାଗମ ହୋଇଥିବାବେଳେ ଆନୁମାନିକ ୪୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା।

ଆଜିର ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୁ ନାୟାର, ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିମଳ କୁମାର ଦୁବେ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆୟୋଜନ ଦାୟିତ୍ୱରେ ଥିବା ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ସ୍ୱତନ୍ତ୍ର ଅଧିକାରୀ କର୍ଣ୍ଣେଲ ପୁଷ୍ପମ କୁମାରଙ୍କ ସମେତ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଉପାୟୁକ୍ତ ଶ୍ରୀ ସୁଧାଂଶୁ ଶେଖର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ଏବଂ ବାଣିଜ୍ୟ ମେଳା ପାଇଁ ନିୟୋଜିତ ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଓଡ଼ିଶାକୁ ପ୍ରାପ୍ତ ଆନୁମାନିକ ୪୬୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଓଡ଼ିଶା ମଣ୍ଡପର ଡିଜାଇନ ଭୁବନେଶ୍ୱରର ଭର୍ଚ୍ୟୟାଲ କମ୍ୟୁନିକେଶନ୍‌ କରିଥିବା ବେଳେ କଟକର ଭାରତୀ ଚିତ୍ରାଳୟ ଏହାର ନିର୍ମାଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ଦିବସ, ପରିବେଷଣ ହେଲା ଓଡିଶୀ ସହ ଲୋକନୃତ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ। ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍‌ ଲୋକାରଣ୍ୟ ହୋଇଯାଇଥିଲା। ସବୁ ବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା। ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଲ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ।

ନିର୍ଦ୍ଧାରିତ ସମୟରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରିବା ପରେ, ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ମହାକାଳୀ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ପରେ ପରେ, ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରରୁ ଆସିଥିବା ଲହରୀ ଅନୁଷ୍ଠାନର କଳାକାରମାନଙ୍କ ସମ୍ବଲପୁରୀ ଡାଲଖାଇ ନୃତ୍ୟର ତାଳେତାଳେ ଝୁମି ଉଠିଥିଲା ଆମ୍ଫି ଥିଏଟର। ଦର୍ଶକମାନଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ପରିବେଷଣ କରିଥିଲେ ଲୋକପ୍ରିୟ ବଜାଶାଲ ନୃତ୍ୟ।

ଶେଷରେ, ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସଙ୍ଗୀତ ମୂର୍ଚ୍ଛନାର ତାଳେତାଳେ ମୋକ୍ଷ ଡ୍ୟାନ୍ସ ଗ୍ରୁପର କଳାକାରମାନେ ଆଧୁନିକ ଫ୍ୟୁଜନ ଡ୍ୟାନ୍ସ ମାଧ୍ୟମରେ ଓଡ଼ିଶାର ବୈଭବମୟୀ ଚିତ୍ରକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ନଭେମ୍ବର ସଂସ୍କରଣକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଏବଂ ଉପସ୍ଥିତ ଅତିଥିଗଣ ଉନ୍ମୋଚନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇଙ୍କ ସମେତ ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର ଯୋଗ ଦେଇଥିଲେ।

ସେହିପରି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂସ୍ଥାର ସାଧାରଣ ପରିଚାଳକ ଶ୍ରୀ ଆର.ଏସ.ସାହୁ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ କମିଶନର ଶ୍ରୀ ରବିକାନ୍ତ ଓ ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ଶ୍ରୀ ସୁବାଷ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯକ୍ରମକୁ ସୁପରିଚିତ ସଂଯୋଜିକା ଶ୍ରୀମତୀ ସଂହତି ପାଣି ସଂଯୋଜନା କରିଥିଲ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କମ୍ପିବ ଡାଲଖାଇ ଓ ବଜାଶାଲ ନୃତ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଗାମୀ ୨୪ ତାରିଖ ଦିନ ପାଳିତ ହେବ ଓଡ଼ିଶା ରାଜ୍ୟ ଦିବସ । ଏକାଦଶ ଦିବସରେ ଓଡ଼ିଶା ପାଭିଲିୟନ ପକ୍ଷରୁ ପ୍ରଗତି ମୈଦାନ ପରିସରସ୍ଥ ଆମ୍ଫି ଥିଏଟର-୧ ରେ ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଏହି ଦିବସ ପାଳନ ପାଇଁ ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ସହମତି କ୍ରମେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଓଡ଼ିଶା ରାଜ୍ୟ ଦିବସରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କ ସମେତ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ରବିକାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଓଡ଼ିଶା ରାଜ୍ୟ ଦିବସ ଉପଲକ୍ଷେ ପ୍ରଗତି ମୈଦାନ ପରିସରସ୍ଥ ଆମ୍ଫି ଥିଏଟର-୧ ର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟାଙ୍ଗନାମାନେ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟରେ ମହାକାଳୀ ବନ୍ଦନା ପରିବେଷଣ କରିବେ। ପରେ ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଲୋକପ୍ରିୟ ବଜାଶାଲ ନୃତ୍ୟ ଏବଂ ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରରୁ ଆସିଥିବା ଲହରୀ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ କରିବେ।

ଶେଷରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସଙ୍ଗୀତ ମୂର୍ଚ୍ଛନାର ତାଳେତାଳେ ମୋକ୍ଷ ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଆଧୁନିକ ଫ୍ୟìଜନ ଡ୍ୟାନ୍ସ ପରିବେଷିତ ହେବ। ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ନଭେମ୍ବର ସଂସ୍କରଣକୁ ମଧ୍ୟ ବରେଣ୍ୟ ଅତିଥିମାନେ ଉନ୍ମୋଚନ କରିବେ।

ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଦିଲ୍ଲୀରେ ପହଞ୍ଚିବା ପରେ, ସନ୍ଧ୍ୟାରେ ସ୍ଥାନୀୟ ଓଡ଼ିଶା ଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ୨୪ ତାରିଖ ପୂର୍ବାହ୍ନରେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିବା ପରେ ଅପରାହ୍ନରେ ଆମ୍ଫି ଥିଏଟର-୧ ରେ ଓଡ଼ିଶା ରାଜ୍ୟ ଦିବସକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ଜଣାଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ଶୋଭାପାଉଛି ମହିଳା ସଶକ୍ତିକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଧାରରେ ମିଶନ ଶକ୍ତି ବିଭାଗ ଅଧୀନରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଗଠିତ ୭ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ। ତାହା ସହିତ, ସହରୀ ସଭ୍ୟତାର ଚାକଚକ୍ୟରୁ ମୁହଁ ଫେରେଇ କ୍ରମଶଃ ଗ୍ରାମ୍ୟ ସଭ୍ୟତା ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି, ଏହି ଷ୍ଟଲମାନଙ୍କରେ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ମିଶନ ଶକ୍ତି ବିଭାଗର ୫ ଟି ଷ୍ଟଲ ମଧ୍ୟରୁ ଗୋଟିଏ ଷ୍ଟଲରେ କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଦ୍ୱାରା ସଂଗୃହୀତ ଓ ପ୍ରକ୍ରିୟାକୃତ ହଳଦୀ, ଅଦା, ଗୋଲମରିଚ, ପାମ୍ପଡ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ରହିଥିବାବେଳେ ଅନ୍ୟ ଏକ ଷ୍ଟଲରେ ପୁରୀ ଜିଲାର ରଘୁରାଜପୁର ସ୍ଥିତ ଗୃହଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲରେ ମିଳୁଛି ବିଶ୍ୱପ୍ରସିଦ୍ଧ ପଟ୍ଟଚିତ୍ର।

ପ୍ରଥମ ଥର ପାଇଁ ବାଲେଶ୍ୱରର ବାମପଦା ଜଉ କଣ୍ଢେଇ ମହିଳା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ଷ୍ଟଲରେ ସମସ୍ତ ବୟସର ଲୋକଙ୍କ ଭିଡ ଲାଗିରହୁଛି । ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇଁ ଜଉ ନିର୍ମିତ ଗୌରୀଶଙ୍କର କଣ୍ଢେଇ, ମହିଳାମାନଙ୍କ ପାଇଁ ବିଭିନ୍ନ ଡିଜାଇନର ଚୁଡି ଓ ଶଙ୍ଖା, ଗୃହ ସାଜସଜ୍ଜା ସାମଗ୍ରୀ, ପିଲାମାନଙ୍କ ପାଇଁ ଜଉ କଣ୍ଢେଇ ଆଦି ମିଳୁଛି।

ସେହିପରି ଆଦିବାସୀ ଚିତ୍ରକଳା ଏବଂ ପୌରାଣିକ କଥାବସ୍ତୁ ଚିତ୍ରରେ ଚିତ୍ରିତ ଝୋଟ ନିର୍ମିତ ବ୍ୟାଗ ନେଇ ଆସିଥିବା କୋଣାର୍କର ଓମ ଗାୟତ୍ରୀ ମହିଳା ମଣ୍ଡଳ ଷ୍ଟଲରେ ମଧ୍ୟ ଭିଡ ଲାଗି ରହୁଛି। ଅନ୍ୟ ଷ୍ଟଲରେ ବୁଲୁଥିବା ଲୋକଙ୍କ ହାତରେ ଦେଖିବାକୁ ମିଳୁଛି ଏହି ମହିଳା ମଣ୍ଡଳ ଦ୍ୱାରା ନିର୍ମିତ ବିଭିନ୍ନ ଆକୃତି ଓ ଡିଜାଇନର ଝୋଟ ବ୍ୟାଗ। ଏହି ଷ୍ଟଲରେ ଝୋଟରେ ନିର୍ମିତ ଲାପଟପ ବ୍ୟାଗ, ମହିଳାଙ୍କ ମନିପର୍ସ, ଭାନିଟି ବ୍ୟାଗ, ପାଣି ବୋତଲ ବ୍ୟାଗ, ଅନ୍ୟାନ୍ୟ ବ୍ୟବହାର ପାଇଁ ବ୍ୟାଗ ଆଦି ମିଳୁଛି।

ମୟୂରଭଞ୍ଜର ଜୟ ମା ଦୁର୍ଗା ମହିଳା ମଣ୍ଡଳ ଆଣିଥିବା ତମ୍ବା ନିର୍ମିତ ଡୋକରା ସାମଗ୍ରୀ ଷ୍ଟଲରେ ଜନଜାତି ବ୍ୟବହାର କରୁଥିବା ବିଭିନ୍ନ ଡିଜାଇନର ଅଳଙ୍କାର ମଧ୍ୟ ମିଳୁଥିବାରୁ ଏହି ଷ୍ଟଲଟି ସମସ୍ତଙ୍କର ବିଶେଷ କରି ଯୁବପିଢିଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଓଡିଶା ପାଭିଲିୟନର ସାଜସଜ୍ଜା ଓ ପରିପାଟୀ ବେଶ୍‌ ରୁଚିସମ୍ପନ୍ନ ହୋଇଥିବାରୁ ସେଲଫି ନେବା ପାଇଁ ଲୋକମାନଙ୍କର ଏଠାରେ ଗହଳି ଦେଖିବାକୁ ମିଳୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି ।

ଷ୍ଟଲରେ ଉତ୍ପାଦଗୁଡିକୁ ଚାଖିବାର ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ଉତ୍ପାଦ କିଣୁଥିବା ପରିଲକ୍ଷିତ ହେଉଛି । ବିସ୍କୁଟ ମଧ୍ୟରେ ଉଭୟ ମିଠା ଓ ଲୁଣିଆ ବିସ୍କୁଟ ରହିଛି । ଯାହାକି ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛି । ଏହି ଷ୍ଟଲରେ ଭଲ ବିକ୍ରିବଟା ହୋଇଥିବାବେଳେ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ଆଗ୍ରହ କ୍ରମେ ଆସନ୍ତା କାଲିଠାରୁ କୃଷି ବିଭାଗ ଷ୍ଟଲରେ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ପିଠା ମିଳିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ମିଲି ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ଦର୍ଶକମାନଙ୍କ ଗହଳି ଲାଗି ରହୁଛି ।

ସେହିପରି ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମଣ୍ଡପର ୧୬ ନମ୍ବର ଷ୍ଟଲରେ ବିକ୍ରି ଜୋର ଧରିଛି କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଆଣିଥିବା ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ । ଜି.ଆଇ. ଟ୍ୟାଗ ମାନ୍ୟତାପ୍ରାପ୍ତ କନ୍ଧମାଳ ହଳଦୀ ସମେତ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଅଦା, ଗୋଲମରିଚ, ଧଳା ରାଶି, ସୋରିଷ, ମୁଗଡାଲି, ମାଣ୍ଡିଆ ଆଦି ଶସ୍ୟ ଓ ମସଲା ଏବଂ ସେଥିରୁ ପ୍ରସ୍ତୁତ ପାମ୍ପଡ କିଣିବା ପାଇଁ ଉକ୍ତ ଷ୍ଟଲରେ ଗ୍ରାହକମାନଙ୍କ ପ୍ରବଳ ଭିଡ ଲାଗି ରହୁଛି । ଏହି ଷ୍ଟଲ ମଧ୍ୟ ବେଶ ଭଲ ବ୍ୟବସାୟ କରିଛି ।

ଆସନ୍ତା ୨୪ ତାରିଖ ଅପରାହ୍ନରେ ପ୍ରଗତି ମଇଦାନଠାରେ ଓଡ଼ିଶା ଦିବସ ପାଳନ ହେବ । ଏଥିରେ ଓଡିଶାରୁ ଆସିଥିବା ବଛା ବଛା ସାଂସ୍କୃତିକ ଦଳ ଗୁଡିକ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟସଙ୍ଗୀତ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପାଭିଲିଅନ୍‌ ସୂତ୍ରରୁ ପ୍ରକାଶ ।

ଆଜି ଓଡ଼ିଶା ମଣ୍ଡପକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଭ୍ରମଣରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହିତ ଓଡ଼ିଶା ମଣ୍ଡପର ବିଭିନ୍ନ କଳାକୃତି ସହ ଫଟୋ ଉଠାଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ,ବରିଷ୍ଠ ପଦାଧିକାରୀଙ୍କ ପରିଦର୍ଶନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ସପ୍ତମ ଦିବସ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାକୁ ଗତକାଲିଠାରୁ ଦର୍ଶକମାନଙ୍କ ସୁଅ ଛୁଟିଛି। ଗତକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍‌କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି। ପାଭିଲିୟନ୍‌ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍‌ଫି ନେବା ପରିଲକ୍ଷିତ ହୋଇଥିଲା।

ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ପ୍ରଥମେ ଓଡ଼ିଶା ମଣ୍ଡପକୁ ପରିଭ୍ରମଣ କରିବା ପରେ ନିକଟସ୍ଥ ଅନ୍ୟ କେତେକ ରାଜ୍ୟର ମଣ୍ଡପ ବୁଲି ଦେଖିଥିଲେ। ପରେ ପରେ ଉପସ୍ଥିତ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ଓଡ଼ିଶା ମଣ୍ଡପର ସାଜସଜ୍ଜାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ଚଳିତ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଆଗାମୀ ବର୍ଷରେ ଏହାଠାରୁ ଉନ୍ନତ ଓ ଉତ୍କୃଷ୍ଟ ମାନର କରିବାକୁ ପରାମର୍ଶ ଦେଇଥିଲେ।

ବିଗତ ଦିନମାନଙ୍କରେ ଦର୍ଶକମାନଙ୍କ ଉପସ୍ଥିତି, କ୍ରୟ-ବିକ୍ରୟର ସ୍ଥିତି, ବହୁଳ ପ୍ରଚାରପ୍ରସାର ପାଇଁ ଗଣମାଧ୍ୟମ ଜରିଆରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମେତ ଓଡ଼ିଶା ଦିବସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ।

ଅନୁରୂପ ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବେସାମରିକ ବିମାନ ଉଡ଼ାଣ ପ୍ରାଧିକରଣର ମହାନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଆଜି ଓଡ଼ିଶା ମଣ୍ଡପର ସମସ୍ତ ଷ୍ଟଲକୁ ବୁଲି ଦେଖିଥିଲେ। ଏହି ଅବସରରେ ସେ ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ୱାବଧାନରେ ହୋଇଥିବା ମଣ୍ଡପ ଡିଜାଇନ ସମେତ ଅନ୍ୟ ସମସ୍ତ ଆନୁଷଙ୍ଗିକ ସାଜସଜ୍ଜା ଓ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ବିଶେଷ କରି, କୋରାପୁଟ କଫି, ହକି ଓ ମିଲେଟ୍‌ର ପ୍ରଚାର-ପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ‘ମିଲି’ ସହ ସେଲ୍‌ଫି ନେବା ସହିତ ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ଓଡ଼ିଶା ମଣ୍ଡପରେ ପ୍ରବଳ ଜନସମାଗମକୁ ଦୃଷ୍ଟିରୁ ରଖି ଦିଲ୍ଲୀ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।