ଏଥର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କମ୍ପିବ ଡାଲଖାଇ ଓ ବଜାଶାଲ ନୃତ୍ୟ

Published: Nov 23, 2022, 7:40 am IST

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଗାମୀ ୨୪ ତାରିଖ ଦିନ ପାଳିତ ହେବ ଓଡ଼ିଶା ରାଜ୍ୟ ଦିବସ । ଏକାଦଶ ଦିବସରେ ଓଡ଼ିଶା ପାଭିଲିୟନ ପକ୍ଷରୁ ପ୍ରଗତି ମୈଦାନ ପରିସରସ୍ଥ ଆମ୍ଫି ଥିଏଟର-୧ ରେ ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଏହି ଦିବସ ପାଳନ ପାଇଁ ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ସହମତି କ୍ରମେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଓଡ଼ିଶା ରାଜ୍ୟ ଦିବସରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କ ସମେତ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ରବିକାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଓଡ଼ିଶା ରାଜ୍ୟ ଦିବସ ଉପଲକ୍ଷେ ପ୍ରଗତି ମୈଦାନ ପରିସରସ୍ଥ ଆମ୍ଫି ଥିଏଟର-୧ ର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟାଙ୍ଗନାମାନେ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟରେ ମହାକାଳୀ ବନ୍ଦନା ପରିବେଷଣ କରିବେ। ପରେ ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଲୋକପ୍ରିୟ ବଜାଶାଲ ନୃତ୍ୟ ଏବଂ ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରରୁ ଆସିଥିବା ଲହରୀ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ କରିବେ।

ଶେଷରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସଙ୍ଗୀତ ମୂର୍ଚ୍ଛନାର ତାଳେତାଳେ ମୋକ୍ଷ ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଆଧୁନିକ ଫ୍ୟìଜନ ଡ୍ୟାନ୍ସ ପରିବେଷିତ ହେବ। ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ନଭେମ୍ବର ସଂସ୍କରଣକୁ ମଧ୍ୟ ବରେଣ୍ୟ ଅତିଥିମାନେ ଉନ୍ମୋଚନ କରିବେ।

ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଦିଲ୍ଲୀରେ ପହଞ୍ଚିବା ପରେ, ସନ୍ଧ୍ୟାରେ ସ୍ଥାନୀୟ ଓଡ଼ିଶା ଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ୨୪ ତାରିଖ ପୂର୍ବାହ୍ନରେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିବା ପରେ ଅପରାହ୍ନରେ ଆମ୍ଫି ଥିଏଟର-୧ ରେ ଓଡ଼ିଶା ରାଜ୍ୟ ଦିବସକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ଜଣାଇଛନ୍ତି ।

Related posts