Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷିତ କରୁଛି ଓଡିଶାର ଆଦିବାସୀ କଳା

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।

ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ପୁଟିତ ଉତ୍କଳୀୟ କଳା-ଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି। ଓଡିଶା ମଣ୍ଡପର ସମ୍ମୁଖ ଭାଗ ଓ ପାଶ୍ୱର୍ ଭାଗରେ ଥିବା ଆମ କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଛି।

ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠର ଉପର ମହଲାରେ ୫୫୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମିତ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓର୍‌ମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ/ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ଉତ୍ପାଦିତ ସମ୍ବଲପୁରୀ, ଟସର ଓ କୋଟପାଡ଼ ହସ୍ତତନ୍ତ ସାମଗ୍ରୀ ସମେତ କାଷ୍ଠ ଶିଳ୍ପ, ପ୍ରସ୍ତର ଶିଳ୍ପ, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି।

ବୋଇତର ଡେକ୍‌ ଉପରେ ବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟା ପ୍ରଦର୍ଶନ କରାଯାଉଛି। ସେହିପରି, ପ୍ରଗତି ମଇଦାନର ଫୁଡ କୋର୍ଟରେ ପର୍ଯ୍ୟଟନ ବିଭାଗ ତରଫରୁ ଖୋଲାଯାଇଥିବା ଫୁଡ ଷ୍ଟଲରେ ଓଡିଶାର ସୁସ୍ୱାଦୁ ଖାଦ୍ୟ ମିଳୁଛି।

ଆଗାମୀ ୧୯ ତାରିଖ ଦିନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଷଷ୍ଠ ଦିବସ ଅପରାହ୍ନରେ ପ୍ରଗତି ମଇଦାନର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ସହିତ ଦେଶବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଯୁଗ୍ମ ନିର୍ଦ୍ଦେଶକ ତଥା ଓଡିଶା ପାଭିଲିୟନର ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ସୁଦୃଶ୍ୟ ଓଡିଶା ମଣ୍ଡପରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ସହିତ ସମତାଳରେ ବିକ୍ରି ମଧ୍ୟ ବୃଦ୍ଧି ପାଉଛି।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ସଙ୍ଗଠନମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ୧୯ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଏହା ଉନ୍ମìକ୍ତ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି ।

ଷ୍ଟଲରେ ଉତ୍ପାଦଗୁଡିକୁ ଚାଖିବାର ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ଉତ୍ପାଦ କିଣୁଥିବା ପରିଲକ୍ଷିତ ହେଉଛି । ବିସ୍କୁଟ ମଧ୍ୟରେ ଉଭୟ ମିଠା ଓ ଲୁଣିଆ ବିସ୍କୁଟ ରହିଛି । ଯାହାକି ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରୁଛି । ଏହି ଷ୍ଟଲରେ ଭଲ ବିକ୍ରିବଟା ହୋଇଥିବାବେଳେ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ଆଗ୍ରହ କ୍ରମେ ଆସନ୍ତା କାଲିଠାରୁ କୃଷି ବିଭାଗ ଷ୍ଟଲରେ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ପିଠା ମିଳିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ମିଲି ସହିତ ଫଟୋ ଉଠାଇବା ପାଇଁ ମଧ୍ୟ ଦର୍ଶକମାନଙ୍କ ଗହଳି ଲାଗି ରହୁଛି ।

ସେହିପରି ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମଣ୍ଡପର ୧୬ ନମ୍ବର ଷ୍ଟଲରେ ବିକ୍ରି ଜୋର ଧରିଛି କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଆଣିଥିବା ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ । ଜି.ଆଇ. ଟ୍ୟାଗ ମାନ୍ୟତାପ୍ରାପ୍ତ କନ୍ଧମାଳ ହଳଦୀ ସମେତ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଅଦା, ଗୋଲମରିଚ, ଧଳା ରାଶି, ସୋରିଷ, ମୁଗଡାଲି, ମାଣ୍ଡିଆ ଆଦି ଶସ୍ୟ ଓ ମସଲା ଏବଂ ସେଥିରୁ ପ୍ରସ୍ତୁତ ପାମ୍ପଡ କିଣିବା ପାଇଁ ଉକ୍ତ ଷ୍ଟଲରେ ଗ୍ରାହକମାନଙ୍କ ପ୍ରବଳ ଭିଡ ଲାଗି ରହୁଛି । ଏହି ଷ୍ଟଲ ମଧ୍ୟ ବେଶ ଭଲ ବ୍ୟବସାୟ କରିଛି ।

ଆସନ୍ତା ୨୪ ତାରିଖ ଅପରାହ୍ନରେ ପ୍ରଗତି ମଇଦାନଠାରେ ଓଡ଼ିଶା ଦିବସ ପାଳନ ହେବ । ଏଥିରେ ଓଡିଶାରୁ ଆସିଥିବା ବଛା ବଛା ସାଂସ୍କୃତିକ ଦଳ ଗୁଡିକ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟସଙ୍ଗୀତ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପାଭିଲିଅନ୍‌ ସୂତ୍ରରୁ ପ୍ରକାଶ ।

ଆଜି ଓଡ଼ିଶା ମଣ୍ଡପକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଭ୍ରମଣରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହିତ ଓଡ଼ିଶା ମଣ୍ଡପର ବିଭିନ୍ନ କଳାକୃତି ସହ ଫଟୋ ଉଠାଉଛନ୍ତି ।