Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର କଣ ହୋଇଛି କାମ ?

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି (GEF) ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ପ୍ରକଳ୍ପ ଲକ୍ଷ୍ୟ ହାସଲ ସହିତ ଏହାର ସଫଳ ରୂପାୟନ ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ଗ୍ରୀନ୍‌-ଏଜି ପ୍ରକଳ୍ପ ଏବଂ ସୁସ୍ଥାୟୀ ଧାନ ଓ ଗହମ ଚାଷ ପ୍ରଣାଳୀ ପ୍ରକଳ୍ପର ଅଦ୍ୟାବଧି କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ପ୍ରକଳ୍ପର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା/ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ବିଭିନ୍ନ ସରକାରୀ ବିଭାଗର ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ, ବନ୍ୟପ୍ରାଣୀ ଓ ଯୋଜନା ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ତାକାୟୁକି ହାଗିୱାରା, ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ନେତୃତ୍ୱରେ ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ଅନ୍ୟାନ୍ୟ ସଦସ୍ୟ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଗ୍ରୀନ- ଏଜି (ଜିଇଏଫ୍‌- ୬) ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଲ୍ୟାଣ୍ଡସ୍କେପର ୧୬୫୦ ଗୋଟି ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ବେଳେ ଏଫ୍‌ଓଏଲ୍ୟìଆର୍‌ (ଜିଇଏଫ୍‌-୭) ପ୍ରକଳ୍ପ ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର (ପ୍ରତି ଜିଲ୍ଲାର ୩ଟି ବ୍ଲକ୍‌)ରେ କାର୍ଯ୍ୟକାରୀ କରାଯିବ।

ଶ୍ରୀ ଶୁଭମ ସାକ୍ସେନା, ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କର୍ମଶାଳାକୁ ସ୍ୱାଗତ କରିଥିଲେ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଟିମ୍‌ ଓ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସ୍‌ ପିଏମ୍‌ ୟୁ) ଓଡ଼ିଶାଙ୍କ ଦ୍ୱାରା ପ୍ରକଳ୍ପ ସଂକ୍ର୍ରାନ୍ତରେ ସବିଶେଷ ଉପସ୍ଥାପନା ଓ ଆଲୋଚନା କରାଯାଇଥିଲା।

ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ଉପସ୍ଥାପନା ପରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା/ରଣନୀତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ମାର୍ଗଦର୍ଶନ ସହିତ କର୍ମଶାଳା ଶେଷ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସାର, କୃଷି ଉପକରଣର ଠିକ ଯୋଗାଣ ହେଉ ନ ଥିଲେ ଚଢାଉ କର, ଜିଲ୍ଲାପାଳକୁ କୃଷି ବିଭାଗର ପତ୍ର

ଭୁବନେଶ୍ୱର: ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ ସହ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପୃଷ୍ଠଭୂମିରେ ବିଗତ ବର୍ଷ ପରି ପ୍ରତି ଜିଲ୍ଲାରେ ନିୟମିତ ଯାଞ୍ଚ କାର୍ଯ୍ୟ ନିମନ୍ତେ ଏଗ୍ରି-ଇନ୍‌ପୁଟ ଇନ୍ସପେକଫର, ଜଣେ ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଏକ କିମ୍ବା ଏକାଧିକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରିବାର ଆବଶ୍ୟକତା ରହିଛି। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍‌ସ୍ତରରେ ଅଧିକାରୀଙ୍କୁ ବିଭିନ୍ନ ତଦାରଖ କାର୍ଯ୍ୟ ନିମନ୍ତେ ଅନୁରୂପ ସହାୟତା ଯୋଗାଇଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି।

ଏଥି ସହିତ କୃଷି ସାମଗ୍ରୀର ସର୍ବୋଚ୍ଚ ଚାହିଦା ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପାଇଁ କୃଷି ସାମଗ୍ରୀର ଯୋଗାଣ ଓ ବଣ୍ଟନ ପ୍ରତି ସଜାଗ ଦୃଷ୍ଟି ରଖିବା ଓ କୌଣସି ପ୍ରକାରର ଅସାଧୁ କାରବାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କାର୍ଯ୍ୟର ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ନିୟମିତ ଅବଗତ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛି। ଏହିସବୁ କାର୍ଯ୍ୟ ପ୍ରତି ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମାଇକେଲ୍‌ କିଚେନ୍‌’ ରେ ଆରମ୍ଭ ହେଲା ମିଲେଟ୍ ଖାଦ୍ୟ ମହୋତ୍ସବ

ଭୁବନେଶ୍ଵର: ଓଡ଼ିଆଙ୍କୁ ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା ଚଖାଉଥିବା ମାଇକେଲ୍ କିଚେନ୍ ରେ ମେ ୫ତାରିଖରୁ ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ ଆୟୋଜନ ହେଲା। ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ମିଲେଟ୍ କୁ ନେଇ ଦେଶ ବିଦେଶର ନୂଆ ନୂଆ ଖାଦ୍ୟ ଚଖାଇବା ଉଦ୍ଦେଶ୍ୟରେ ସେଫ୍‌ ମାଇକେଲ୍‌ ଆରମ୍ଭ କରିଛନ୍ତି ଏହି ଫେଷ୍ଟିଭାଲ। ସୈନିକ ସ୍କୁଲ ସମ୍ମୁଖରେ ଥିବା ତାଙ୍କ ଓଡ଼ିଆ କଜିନ୍‌ ରେସ୍ତୋରାଁ ‘ମାଇକେଲ୍‌ କିଚେନ୍‌’ ହେଉଛି ମାଇକେଲ୍ କିଚେନ୍ ଏବଂ ହୋଟେଲ ସାର୍ଭିସେସ ପ୍ରା. ଲି. ଏକ ୟୁନିଟ୍।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ ର ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ଆନ୍ତର୍ଜାତୀୟ ଏବଂ ଭାରତୀୟ ଖାଦ୍ୟର ମଜା ଦେବା ହେଉଛି ଏହି ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ର ଉଦ୍ଦେଶ୍ୟ।

ଆନ୍ତର୍ଜାତୀୟ ବର୍ଷ ମିଲର୍ସ (TYM 2023) ମନେ ରଖିବା ପାଇଁ ମାଇକେଲ୍ସ କିଚେନ୍ ପନ୍ଦର ଦିନର ଏହି ଖାଦ୍ୟ ମହୋତ୍ସବ ଆୟୋଜିତ କରିଛି। ଏଥିରେ ରହିଛି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ସହ ମାଷ୍ଟର ସେଫ ମାଇକେଲ ଏବଂ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମିଲେଟ ପ୍ରସ୍ତୁତ ଖାଦ୍ୟ। ଏହି ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ ରେ ରହିଛି ଅର୍ଗାନିକ ମିଲେଟ୍ ପ୍ରସ୍ତୁତ ଆମର ନିଜସ୍ୱ ଓଡିଆ ଖାଦ୍ୟ ଛଡା ବିଭିନ୍ନ ଭାରତୀୟ, ଜାପାନୀ, କୋରିଆନ୍, ଇଟାଲୀୟ, ମେକ୍ସିକାନ୍ ଏବଂ ଇଣ୍ଡୋ-ଚାଇନିଜ୍ ପରି ପ୍ରମୁଖ ଆନ୍ତର୍ଜାତୀୟ ପ୍ରକାରର ଖାଦ୍ୟ।

ଆମ ପାଖରେ ଅଛି ମାଣ୍ଡିଆ ଗୁପଚପ୍, ଆଳୁ ଭର୍ତା, ବଡି ଚୁରା ସହିତ ଦହିପଖାଳ ପରି କିଛି ଲୋକପ୍ରିୟ ଖାଦ୍ୟ ବୋଲି ମାଷ୍ଟର ସେଫ ରୋଷେୟା ମାଇକେଲ୍ ଏବଂ ତାଙ୍କ ଟିମ୍ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦ୍ୟାନ କୃଷିକୁ ଲୋକପ୍ରିୟ କରାଇବା ପାଇଁ ପଦକ୍ଷେପ, ଛତୁଚାଷରୁ ଆରମ୍ଭ ହେଲା ଉଦ୍ୟମ

ଭୁବନେଶ୍ୱର : କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛି। ଚାଷୀମାନେ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କଲେ ଉଦ୍ୟାନ କୃଷିରୁ ଅଧିକ ଲାଭବାନ ହୋଇପାରିବେ।

ରାଜ୍ୟର ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ଉଦ୍ୟାନ କୃଷିର ବ୍ୟାପକ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କ ମଧ୍ୟରେ ଉଦ୍ୟାନ କୃଷିକୁ ଅଧିକ ଲୋକପି୍ରୟ କରାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଓ ବ୍ୟୟବରାଦିର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷିର ଉପଯୁକ୍ତ ସମନ୍ୱୟରେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ।

ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ପ୍ରାଥମିକତା ପ୍ରଦାନ କରି ବଜେଟ୍‌ରେ ଆଶାତୀତ ଭାବେ ବୟବରାଦି ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଜନାର ସଫଳ ରୂପାୟନ ନିମନ୍ତେ ବୟବରାଦିର ଅର୍ଥ ଠିକଣା ସମୟରେ ଖର୍ଚ୍ଚ କରି ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଚାଷୀମାନଙ୍କ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଫଳଚାଷ ଓ ପନିପରିବା ଚାଷ ନିମନ୍ତେ ମଂଜି ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ରବିଋତୁରେ ଚାଷୀମାନଙ୍କୁ ଗୁଣାତ୍ମକ ଆଳୁ ବିହନ ଯୋଗାଣ କାର୍ଯ୍ୟର ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ଏଥି ସହିତ ରାଜ୍ୟରେ ଛତୁଚାଷର ବ୍ୟାପକ ସୁଯୋଗ ରହିଥିବା ଓ ଏଥି ନିମନ୍ତେ କମ୍‌ ପରିମାଣର ଜମିର ଆବଶ୍ୟକତା ଦୃଷ୍ଟିରୁ ଛତୁଚାଷ ନିମନ୍ତେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉନ୍ନତ ମାନର ଚାରା ଉତ୍ପନ ନିମନ୍ତେ ବ୍ଲକ୍‌ସ୍ତରରେ ଅଧିକରୁ ଅଧିକ ନର୍ସରୀ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଡିସେମ୍ବର ମାସରେ ବୟବରାଦିର ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଅଣୁ ଜଳସେଚନ, ଜାତୀୟ ଉଦ୍ୟାନ କୃଷି ମିଶନ, ଅଏଲ୍‌ ପାମ୍‌ ଚାଷ ଓ ପାମ୍‌ ଅଏଲ୍‌ କାରଖାନା ପ୍ରତିଷ୍ଠା ଆଦିର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା ।

ଏଥି ସହିତ ମୃତ୍ତିକା ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର କୃଷି ବନିକରଣ, ଫାର୍ମପଣ୍ଡ ପ୍ଲସ୍‌, ରିୱାର୍ଡ ଯୋଜନାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ବର୍ଷାପୁଷ୍ଟ ଅଞ୍ଚଳରେ ସମନ୍ୱିତ କୃଷି ପଦ୍ଧତିର ସଠିକ୍‌ ପରିଚାଳନା ଦ୍ୱାରା ଚାଷୀମାନଙ୍କର ଆୟ ବୃଦ୍ଧିରେ ବ୍ୟାପକ ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଜଳବିଭାଜିକା ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇଦେଇ ଚାଷୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଅଣାଯାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ ଚଢ଼ା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

ଭୁବନେଶ୍ୱର: ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ଆଜି ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ପରିଷଦର କାର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ।

ପରିଷଦର ବୈଠକରେ ରାଜ୍ୟରେ ବୁଣାକାର ଓ କାରିଗରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସଦସ୍ୟମାନେ ଆଲୋକପାତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତାମତ ରଖିଥିଲେ । ବୈଠକରେ ସଭାପତିତ୍ୱ କରି ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁ ରାଜ୍ୟର ସମସ୍ତ ବୁଣାକାର ଓ କାରିଗରମାନଙ୍କର ସମସ୍ୟା ଓ ଉନ୍ନତି ନିମନ୍ତେ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ସରକାରଙ୍କ ସହ ସମନ୍ୱୟ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉକ୍ତ ବୈଠକରେ ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶକ, ବୟନଶିଳ୍ପ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଯୋଗଦେଇ ସଦସ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ପରିଷଦର ସଦସ୍ୟ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏକାମ୍ର ହାଟଠାରେ ଚାଲିଛି ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’କୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପୋହି (POHI) ୨୦୨୨-୨୩ ଯୋଜନାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଅନୁଷ୍ଠିତ ଏହି ମେଳା ଜନସାଧାରଣଙ୍କ ନିମନ୍ତେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି ସହ ବୁଣାକାରମାନଙ୍କୁ ନିୟମିତ କାମ ଯୋଗାଇଦେବା ନିମନ୍ତେ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ଆସିଥିବା ୩୫ଟି ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଏବଂ ବିକ୍ରୟ କରିବେ।

ଏଥି ନିମନ୍ତେ ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ଉପରେ ଗ୍ରାହକମାନଙ୍କୁ ୧୦ ପ୍ରତିଶତରୁ ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଉଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କି୍ରଷ୍ଣା ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିିବ ଶ୍ରୀ ସରୋଜ ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିଶିର କୁମାର ନାଗ, ସଭାପତି ଶ୍ରୀ ସମ୍ବିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମିତିର ବାଣିଜ୍ୟ ଅଧିକାରୀ ଶ୍ରୀ ହେମନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ।

ପ୍ରକାଶଯୋଗ୍ୟ ଯେ ଏକାମ୍ର ହାଟରେ ଅକେଫାବର ୨ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୭୧ ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୮୭୬ ଜଣ ହସ୍ତଶିଳ୍ପ କାରିଗର ଯଥାକ୍ରମେ ୭୯୩.୫୬ ଲକ୍ଷ ଟଙ୍କା ଏବଂ ୬୩୩.୩୨ ଲକ୍ଷ ଟଙ୍କାର ବିକ୍ରିବଟା କରିଛନ୍ତି। ଏଠାରେ ଥିବା ଫୁଡ୍‌ ଷ୍ଟଲମାନଙ୍କରେ ମଧ୍ୟ ୨୭୫.୪୩ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ଅବଧି ମଧ୍ୟରେ ହାଟକୁ ୨.୧୭ ଲକ୍ଷ ଲୋକ ଆସିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀଗଣ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ସାଧୁତା ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟର ବିକାଶ ଓ ଦ୍ରୁତ ପ୍ରଗତି ନିମନ୍ତେ ଦୁର୍ନୀତି ହ୍ରାସ ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଉପକ୍ରମରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇ ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥି ସହିତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାଉପରେ ଗୁରୁତ୍ୱ ଦିଆଯାଇଛି, ଯଦ୍ଦ୍ୱାରା ଦୁର୍ନୀତି ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଥିଲେ ।

ଉତ୍ସବରେ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେଠ୍‌ୱା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦୁର୍ନୀତିକୁ ରୋକାଯାଇ ପାରିଲେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏଥି ନିମନ୍ତେ ସରକାରୀ କର୍ମଚାରୀଙ୍କ ସମେତ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସହଯୋଗର ଆବଶ୍ୟକତା ରହିଛି । ଦୁର୍ନୀତି ଦୂର କରି ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ଜନସାଧାରଣ ଏହାର ସୁଫଳ ପାଇପାରିବେ ।

ବାହାର ସଂସ୍ଥା ଦ୍ୱାରା ନିୟମିତ ଅଡ଼ିଟ୍‌ କରାଇବା, ଇ-ପ୍ରକୁ୍ୟର୍‌ମେଣ୍ଟ, ଇ-ଟେଣ୍ଡର, ଇ-ମାର୍କେଟିଂ ଆଦିର ବ୍ୟାପକ ପ୍ରଚଳନ ଦ୍ୱାରା ଦୁର୍ନୀତି ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ଜେଠ୍‌ୱା କହିଥିଲେ । ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର ଚିହ୍ନଟ ଏବଂ ନିୟମିତ ଓ ଅଚାନକ ପରିଦର୍ଶନ ଓ ଯାଞ୍ଚ ଆଦି ଦୁର୍ନୀତି ଦୂର କରିବା ଦିଗରେ ସହାୟକ ହେବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଥିଲେ ।

ଏହି ଉତ୍ସବରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆୟୋଜିତ ସ୍ଳୋଗାନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ମିସ୍‌ ସୁଶ୍ରୁତା ଶତପଥୀ, ଶ୍ରୀମତୀ ସାହୁ, ପ୍ରଣତି ପ୍ରିୟଦର୍ଶନୀ ରାଉତ ଓ ମୂରଲୀ ଶିଅଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ପୂର୍ବାହ୍ନରେ କୃଷି ଭବନ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ । ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷିି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ବ୍ୟବହାର ପାଇଁ କୃଷି ବିଭାଗ ଆରମ୍ଭ କଲା ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊର୍ଦ୍ଧ କୃଷିଜୀବୀ ମହିଳା ଓ କୃଷିଶ୍ରମିକ ହୋଇଥିବାବେଳେ ଛୋଟ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ସେମାନଙ୍କର ଶ୍ରମ ଲାଘବ କରାଯାଇ ପାରୁଥିବା ଦୃଷ୍ଟିରୁ ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଓ ମହିଳା କୃଷିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଘମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ। କୃଷି ଯାନ୍ତ୍ରିକୀକରଣ ପାଇଁ ନିର୍ଦ୍ଧାରିତ ବଜେଟ୍‌ରେ ଶତକଡ଼ା ୩୦ ପ୍ରତିଶତ ଗ୍ରାମୀଣ ମହିଳା କୃଷକମାନଙ୍କ ପାଇଁ ବ୍ୟବସ୍ଥା କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଁ ଗୁରୁତ୍ୱାରୋପ କରିଥିଲେ।

କୃଷି କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଡ୍ରୋନ୍‌ ଆଦିର ଉପଯୋଗିତା ନିମନ୍ତେ କ୍ଷେତ୍ର ପ୍ରଦର୍ଶନ, ତାଲିମ ପ୍ରଦାନ ଓ ଲାଇସେନ୍ସ ଆଦିର ବ୍ୟବସ୍ଥା ନିମନ୍ତେ ଆଶୁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଗ୍ରାମାଞ୍ଚାଳର ପାରମ୍ପରିକ ଗ୍ରାମୀଣ କାରିଗରମାନଙ୍କୁ କିପରି ଭାବରେ କୃଷି ଯାନ୍ତ୍ରିକୀକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଅନୁଧ୍ୟାନ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟର କୃଷି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିର ଉପଯୋଗ ଓ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟଯନ୍ତ୍ରୀ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଏନ୍‌ଆର୍‌ଆର୍‌ଆଇ, ସିୱାର ନିର୍ଦ୍ଦେଶକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତିର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।