ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ବ୍ୟବହାର ପାଇଁ କୃଷି ବିଭାଗ ଆରମ୍ଭ କଲା ପଦକ୍ଷେପ

Published: Sep 15, 2022, 9:59 pm IST

ଭୁବନେଶ୍ୱର: ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊର୍ଦ୍ଧ କୃଷିଜୀବୀ ମହିଳା ଓ କୃଷିଶ୍ରମିକ ହୋଇଥିବାବେଳେ ଛୋଟ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ସେମାନଙ୍କର ଶ୍ରମ ଲାଘବ କରାଯାଇ ପାରୁଥିବା ଦୃଷ୍ଟିରୁ ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଓ ମହିଳା କୃଷିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଘମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ। କୃଷି ଯାନ୍ତ୍ରିକୀକରଣ ପାଇଁ ନିର୍ଦ୍ଧାରିତ ବଜେଟ୍‌ରେ ଶତକଡ଼ା ୩୦ ପ୍ରତିଶତ ଗ୍ରାମୀଣ ମହିଳା କୃଷକମାନଙ୍କ ପାଇଁ ବ୍ୟବସ୍ଥା କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଁ ଗୁରୁତ୍ୱାରୋପ କରିଥିଲେ।

କୃଷି କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଡ୍ରୋନ୍‌ ଆଦିର ଉପଯୋଗିତା ନିମନ୍ତେ କ୍ଷେତ୍ର ପ୍ରଦର୍ଶନ, ତାଲିମ ପ୍ରଦାନ ଓ ଲାଇସେନ୍ସ ଆଦିର ବ୍ୟବସ୍ଥା ନିମନ୍ତେ ଆଶୁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଗ୍ରାମାଞ୍ଚାଳର ପାରମ୍ପରିକ ଗ୍ରାମୀଣ କାରିଗରମାନଙ୍କୁ କିପରି ଭାବରେ କୃଷି ଯାନ୍ତ୍ରିକୀକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଅନୁଧ୍ୟାନ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟର କୃଷି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିର ଉପଯୋଗ ଓ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟଯନ୍ତ୍ରୀ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଏନ୍‌ଆର୍‌ଆର୍‌ଆଇ, ସିୱାର ନିର୍ଦ୍ଦେଶକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତିର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Related posts