ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢି ଚାଲିଛି ବ୍ରାଉନ ସୁଗାର କାରବାର। ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲମ୍ବିଛି ନିଶା ମାଫିଆଙ୍କ ନେଟୱର୍କ। ପରିବାର ର ମହିଳାଙ୍କୁ ଏହି କାରବାର ରେ ବ୍ୟବହାର କରାଯାଉଛି। ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଧେଶରେ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକଗୋଡା ଦଳେଇ ସାହିରୁ ଏକ ବଡ ଧରଣ ର ନିଶା ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଛି।
ଗଞ୍ଜାମରୁ ନିଶା ମାଫିଆ ଆସି ଏଠି କାରବାର କରୁଥିବା ସମୟରେ ବୋଲଗଡ଼ ଆଇଆଇସି ଙ୍କ ଟିମ୍ ତାଙ୍କୁ କାବୁ କରିଥିଲା। ଏହି ମାଫିଆଙ୍କ ନିକଟରୁ ୩୧୦ଗ୍ରାମ ବ୍ରାଉନ ସୁଗାର, ନଗଦ ୪ଲକ୍ଷ ଟଙ୍କା, ୩ଟି ବାଇକ୍, ଗୋଟେ ବନ୍ଧୁକ ଜବତ୍ ହୋଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୧ଲକ୍ଷ ଟଙ୍କା ହେବ। ଜଣେ ମହିଳାଙ୍କ ସମେତ ୭ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୫ଜଣ ଅଭିଯୁକ୍ତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ଜଣ ବୋଲି ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।



