ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରର ୨ ଟି ଦୋକାନରୁ ରାତିରେ ମୋବାଇଲ ଚୋରି ଅଭିଯୋଗରେ ରେଢ଼ାଖୋଲ ଥାନା ରଥସାହିର ରାମ ଚନ୍ଦ୍ର ବନ୍ଦ୍ରଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ହରିଜନପଡ଼ାର ହିମାଂଶୁ ନାଗ ଓ ମନମୋହନ ବେହେରା ରେଢ଼ାଖୋଲ ସହରରେ ମୋବାଇଲ ଦୋକାନ ଦେଇଛନ୍ତି। ଗତ ଏପ୍ରିଲ ମାସ ୩୦ ତାରିଖରେ ଏବଂ ସେପ୍ଟେମ୍ବର ମାସ ୭ତାରିଖରେ ଦୋକାନ ଘରର ଆଜବେଷ୍ଟର ଓ ସ୍କାଇଲାଇଟ ଭାଙ୍ଗି ଅଭିଯୁକ୍ତ ରାମ ଚନ୍ଦ୍ର ବନ୍ଦ୍ର ମଧ୍ୟ ରାତିରେ ଚୋରି କରି ଫେରାର ହୋଇ ଯାଇଥିଲା। ହିମାଂଶୁ ନାଗ ଙ୍କ ଗତ ମଇ ମାସ ୧ତାରିଖରେ ଓ ମନ ମୋହନ ବେହେରା ସେପ୍ଟେମ୍ବର ମାସ ୭ତାରିଖରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ରେଢ଼ାଖୋଲ ପୋଲିସ ଫୋନ୍ ଟ୍ରାକିଙ୍ଗ କରି ଅଭିଯୁକ୍ତକୁ ନିଜ ଘରୁ ଗିରଫ କରିଥିଲା। ତା ନିକଟରୁ ୨୧ଟି ମୋବାଇଲ ଫୋନ୍ ଓ ୪ଟି ମୋବାଇଲ ଚାର୍ଜର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ଚୋର ୩୦ଟି ମୋବାଇଲ ଚୋରି କରି ନେଇଥିବା ବେଳେ ଆଉ ୯ଟି ମୋବାଇଲ ଜବତ କରି ପାରି ନ ଥିବା ଜଣାପଡିଛି।
ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ଆଜି ରେଢ଼ାଖୋଲ ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ରେଢ଼ାଖୋଲ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେର ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।



