ନୂଆଦିଲ୍ଲୀ: ଇରାନର ଚାବାହାର ବନ୍ଦର ଉପରେ ଆମେରିକାର କଟକଣାରୁ ଭାରତ ଛଅ ମାସର ଛାଡ ପାଇଥିବା ନିଶ୍ଚିତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଆଜି କହିଛି ଯେ, ଇରାନରେ ଭାରତର ଚାବାହାର ବନ୍ଦର ଉପରେ ଆମେରିକାର କଟକଣା ଲାଗୁ ହେବ ନାହିଁ।
ଗତ ବର୍ଷ ସରକାର ଇରାନ ସହିତ ଏକ ୧୦ ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହା ଅଧୀନରେ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆ ପୋର୍ଟସ୍ ଗ୍ଲୋବାଲ୍ ଲିମିଟେଡ୍ (IPGL) ଭାରତର ଏକ ରଣନୈତିକ ବନ୍ଦର ଚାବାହାରରେ ୩୭ କୋଟି ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଜେ, “ଆମେ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆମେ ଆମେରିକା ପକ୍ଷ ସହିତ ଆଲୋଚନା ଜାରି ରଖିବୁ। ଉଭୟ ପକ୍ଷ ନିରନ୍ତର ଆଲୋଚନାରେ ଅଛନ୍ତି।”
ଇରାନ ସହିତ ଜଡିତ ବନ୍ଦରଗୁଡ଼ିକ ଉପରେ କଟକଣା ଛାଡ଼ ପ୍ରତ୍ୟାହାର ପାଇଁ ଆମେରିକା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖକୁ ଶେଷ ତାରିଖ ଭାବରେ ଧାର୍ଯ୍ୟ କରିଥିଲା, କିନ୍ତୁ ଏବେ ଏହାକୁ ୬ ମାସ ବୃଦ୍ଧି କରାଯାଇଛି।


