ଭୁବନେଶ୍ଵର: ହିନ୍ଦୀ କେବଳ ଭାବନାର ଭାଷା ନ ହୋଇ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ପ୍ରଗତିର ଭାଷା ହେଉ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। ରାଜଭବନର ନ୍ୟୁ ଅଭିଶେକ ହଲଠାରେ ବିଶ୍ବହିନ୍ଦୀ ପରିଷଦ ଓଡିଶା ପ୍ରାନ୍ତ ଆନୁକୂଲ୍ୟରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ଗତ ଦଶନ୍ଧି ଧରି ଏହି ସଂଗଠନ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରି ଆସୁଛି। ଶ୍ରୀ ୱାଇ ଲକ୍ଷ୍ମୀ ପ୍ରସାଦରଙ୍କ ପ୍ରେରଣା ଦାୟକ ନେତୃତ୍ବରେ ପରିଷଦ ହିନ୍ଦୀକୁ ନବସୃଜନର ଭାଷା ଭାବରେ ପ୍ରତିଷ୍ଠିତ କରିବାରେ ପ୍ରଶଂସନୀୟ କାର୍ଯ୍ୟ କରିଛି।
ଏହି ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଶ୍ବ ହିନ୍ଦୀ ପରିଷଦର ସଭାପତି ପଦ୍ମଭୂଷଣ ୱାଇ ଲକ୍ଷ୍ମୀ ପ୍ରସାଦ, ସାଧାରଣ ସଂପାଦକ ଡକ୍ଟର ବିପିନ କୁମାର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶ୍ବ ହିନ୍ଦୀ ପରିଷଦର ନୂଆ ଦିଳ୍ଲୀର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚିତ ହୋଇଥିଲା।



