ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ”ପ୍ରାଣନାଥ ଜୟନ୍ତୀ ସମାରୋହ” ଏବଂ “ପ୍ରାଣନାଥ ସଂଗୀତ ସମ୍ମାନ” ପ୍ରଦାନ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
ଏହି ଅବସରରେ ସେ କହିଥିଲେ ଯେ, ଜନସେବା,ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ।ଦେଶରେ ଅନ୍ୟାୟ, ଅନୀତି, ଶୋଷଣ ଓ ଅତ୍ୟାଚାର ବିରୋଧରେ ସେ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ, ଯେଉଁଥିପାଇଁ କି ତାଙ୍କୁ ବନ୍ଦୀ ଜୀବନ କଟାଇବାକୁ ମଧ୍ୟ ପଡ଼ିଥିଲା। ତାଙ୍କର ଦେଶ ପାଇଁ ତ୍ୟାଗ, ସାଧନା ଓ ନିଃସ୍ୱାର୍ଥପର ଜନସେବା ବର୍ତ୍ତମାନର ଯୁବସମାଜ ପାଇଁ ପ୍ରେରଣାର ଉତ୍ସ।
ଏହି ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ବିଧାୟକ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ବିନ୍ଦୁଶ୍ରୀ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଣ ଉପସ୍ଥିତ ଥିଲେ।


