ବାଲୁଗାଁ: ବଡ଼କୁଳ ଓଡ଼ିଆର୍ଟ ପରିସରରେ ୧୧ ତମ ଚିଲିକା ସେଲଡକ ଲୋକ ସଂସ୍କୃତି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଦ୍ୱିତୀୟ ସନ୍ଧ୍ୟାରେ ସାଉଥ କୋରିଆର ଡ୍ରମ ବାଦ୍ୟ, ତାଳ ବାଦ୍ୟ ସହିତ ଶ୍ରୀଲଙ୍କା ନୃତ୍ୟ, ମୟୁରଭଞ୍ଜ ଛଉ, ମଣିପୁରୀ ନୃତ୍ୟ, କୃଷ୍ଣପ୍ରସାଦ ପାଇକ ନୃତ୍ୟ, ସାସ୍ବତୀ ଯୋଶୀଙ୍କ ଓଡିଶୀ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ଶ୍ରୀଲଙ୍କା ନୃତ୍ୟ, ସାସ୍ବତୀ ଯୋଶୀଙ୍କ ଓଡିଶୀ ନୃତ୍ୟ ଓ କୃଷ୍ଣପ୍ରସାଦ ପାଇକ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ।
ପୂର୍ବାହ୍ନରେ ଓଡ଼ିଆର୍ଟ ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶଙ୍କ ନେତୃତ୍ୱରେ ମ୍ୟୁଜିୟମ ପରିଦର୍ଶନ ସାଙ୍ଗକୁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଟେରାକୋଟା, ମାଟି କଣ୍ଢେଇ, ପଟ୍ଟଚିତ୍ର ସମେତ କଳାକୃତି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା।ଅପରାହ୍ନରେ ସ୍ଥାନୀୟ କିଶୋରୀ ଓ ମହିଳା ମାନଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଧ୍ୱନି, ପୁଚି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, କମିଟି ଅଧ୍ୟକ୍ଷା ହେଲେନ ଆଚାର୍ଯ୍ୟ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ସୁଧାଂଶୁ ଶେଖର ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


