ରଣପୁର: ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜର ପାତାଳେଶ୍ଵର ଜଙ୍ଗଲରେ ଖୋଲା କୂଅରେ ପଡି ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ୪ ରୁ ୫ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ହାତୀର ଶବ ପଚି ସଢ଼ି ଯାଇ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ହାତୀ ପଲ ଜଙ୍ଗଲରେ ଯାଉଥିବା ବେଳେ କୂଅ ରେ ଖସି ପଡ଼ିଥିବା ସନ୍ଦେହ କରା ଯାଉଛି। ଗତ ୫ ଦିନ ତଳେ ୧୮ କିଆ ହାତୀ ପଲ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲେ। ସ୍ଥାନୀୟ ଅଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟ କ୍ଷତି କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲ କୁ ଗାଁ ନିକଟରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରି ଆସୁଥିଲେ। ହାତୀ ପଲକୁ ବନ ବିଭାଗ ଘଉଡ଼ାଇବା ସମୟରେ ଗୋଟିଏ ହାତୀ ଖୋଲା କୂଅ ରେ ପଡ଼ିଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ।
ଗତକାଲି ଗାଈଆଳ ଗାଇ ଧରି ଆସିବାବେଳେ ପ୍ରବଳ ଗନ୍ଧ ହୋଇଥିଲା। କୂଅ ଭିତରେ ହାତୀ ପଡି ଯାଇଥିବା ଗାଈଆଳ ଦେଖିବାକୁ ପାଇଥିଲା। ଗାଈଆଳ ଠାରୁ ଖବର ଜଣା ପଡିବା ପରେ ଗାଁ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। ଖବର ପ୍ରଘଟ ପରେ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଅଛି। ତେବେ ବନ ବିଭାଗର ଅବହେଳା ରୁ ହାତୀ ର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଆଜି ବନ ବିଭାଗ ଏକ ଟିମ ପହଂଚି ମୃତ୍ୟୁ ହାତୀକୁ କୂଅରୁ କାଢ଼ିବା ସହିତ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ଏହି କାର୍ଯ୍ୟ ଅଗ୍ନିଶମ ବିଭାଗ ମଧ୍ୟ ତାଙ୍କୁ ସହଯୋଗ କରିଥିଲା।


