ପୁରୀ: ପୁରୀରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର ସମ୍ମିଳନୀ ରବିବାର ଉଦଯାପିତ ହୋଇଛି। ସମ୍ମିଳନୀରେ ୮୦ରୁ ଅଧିକ ଶକ୍ତି କ୍ଷେତ୍ରର ନେତୃବର୍ଗ ଏବଂ ବୈଷୟିକ ବିଶେଷଜ୍ଞ ଯୋଗ ଦେଇ ବିଚାରବିମର୍ଶ କରିଛନ୍ତି। ନୀତି ଆୟୋଗ CEO ସମ୍ମିଳନୀରେ ଯୋଗ ଦେଇ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରାମର୍ଶ ଦେଇଛନ୍ତି। ତେବେ ସବୁ ରାଜ୍ୟର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ସମ୍ମିଳନୀର ନିର୍ଯ୍ୟାସ ଘୋଷଣା କରାଯିବ। ଏଥିରେ ୭ ରାଜ୍ୟର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବେଳେ ବାକି ରାଜ୍ୟ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରାଯିବ।
ସମ୍ମିଳନୀରେ ୪ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉଦଯାପନୀ କାର୍ଯ୍ୟକ୍ରମରେ କହିଛନ୍ତି, ଶକ୍ତି କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହଯୋଗରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। କୋରାପୁଟ ଏବଂ ନବରଙ୍ଗପୁର ଭଳି ସ୍ଥାନରେ ମଧ୍ୟ ପବନଚାଳିତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ଵ ଦିଆଯିବ।


