ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆସନ୍ତା ୧୭ରୁ ୧୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ବିକ ପାରମ୍ପରିକ ଔଷଧ ସମ୍ମିଳନୀ ଅନୁଷ୍ଠିତ ହେଉଛି। ତା ପୂର୍ବରୁ ସୋମବାର ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଗୁଜୁରାଟରେ ୨୦୨୩ରେ ଏହି ସମ୍ମିଳନୀର ପ୍ରଥମ ସଂସ୍କରଣର ସଫଳ ଆୟୋଜନ ପରେ ଭାରତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ ସମ୍ମିଳନୀ ଆୟୋଜନ କରିବା ଗର୍ବର ବିଷୟ ବୋଲି କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ପ୍ରତାପରାଓ ଯାଧବ କହିଛନ୍ତି। ସେ କହିଛନ୍ତି ଯେ, ଏହି ସମ୍ମିଳନୀ ମାନବତାର ସ୍ୱାସ୍ଥ୍ୟ, ଖୁସି ଏବଂ କଲ୍ୟାଣ ପାଇଁ ପାରମ୍ପରିକ ଔଷଧକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ସାମୂହିକ ବିଶ୍ୱ ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦର୍ଶାଏ। ଏହା ଭାରତର “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ” ଦୃଷ୍ଟିକୋଣ ସହିତ ମେଳ ଖାଉଛି।
ଶ୍ରୀ ଜାଧବ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି “ସନ୍ତୁଳନର ପୁନରୁଦ୍ଧାର: ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଜ୍ଞାନ ଏବଂ ଅଭ୍ୟାସ”। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନରୁ ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ବିଶ୍ୱ ସ୍ୱାସ୍ଥ୍ୟ ନେତା, ଗବେଷକ, ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ଅଭ୍ୟାସକାରୀମାନେ ଏକତ୍ରିତ ହେବେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଏହି ସମ୍ମିଳନୀ ଲାଗି ୧୦୦ରୁ ଅଧିକ ଦେଶରୁ ଅଂଶଗ୍ରହଣ ଆଶା କରାଯାଉଛି।
କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆୟୁଷ ମନ୍ତ୍ରଣାଳୟ ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ବୈଜ୍ଞାନିକ ଭାବରେ ଅଧ୍ୟୟନ କରାଯାଇଥିବା ଔଷଧୀୟ ଉଦ୍ଭିଦ ମଧ୍ୟରୁ ଅନ୍ୟତମ ଅଶ୍ୱଗନ୍ଧା ଉପରେ ସ୍ବତନ୍ତ୍ରଭାବେ ଏକ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଏହି କାର୍ଯ୍ୟକ୍ରମ ପାରମ୍ପରିକ ଏବଂ ସମସାମୟିକ ସ୍ୱାସ୍ଥ୍ୟ ଅଭ୍ୟାସରେ ଏହାର ଗୁରୁତ୍ୱକୁ ଦର୍ଶାଇବ।
ପାରମ୍ପରିକ ଔଷଧ କ୍ଷେତ୍ରରେ ସମଗ୍ର ବିଶ୍ବରେ ଭାରତ ନେତୃତ୍ବ ନେଉଥିବା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ପ୍ରଣାଳୀ – ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନି, ସିଦ୍ଧ, ସୋୱା-ରିଗ୍ପା ଏବଂ ହୋମିଓପାଥି – ଶତାବ୍ଦୀ ଧରି ଲୋକଙ୍କ ସେବା କରିଆସୁଛି ଏବଂ ଆଜି ସମଗ୍ର ବିଶ୍ୱରେ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ନିର୍ଭରଯୋଗ୍ୟ ସମାଧାନ ଭାବରେ ସ୍ୱୀକୃତି ପାଇଛି। ଗୁଜରାଟର ଜାମନଗରରେ ଭାରତର ସହଭାଗୀତାରେ ସ୍ଥାପିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ବ ପାରମ୍ପରିକ ଔଷଧ କେନ୍ଦ୍ର ଭାରତର ପାରମ୍ପରିକ ଜ୍ଞାନ ପ୍ରଣାଳୀ ପ୍ରତି ବଢ଼ୁଥିବା ବିଶ୍ୱର ବିଶ୍ୱାସକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି।
ଶ୍ରୀ ଯାଧବ ଆଗାମୀ ଶିଖର ସମ୍ମିଳନୀ ଯୋଜନା କରିବାରେ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପାରମ୍ପରିକ ଔଷଧ ପ୍ରତି ସଚେତନତା ବୃଦ୍ଧି ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ।
କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗଦେବାର ଆଶା କରାଯାଉଛି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଶିଖର ସମ୍ମିଳନୀ ଦ୍ୱାରା ସୃଷ୍ଟି ହୋଇଥିବା ଆଲୋଚନା ଏବଂ ସହଯୋଗ ବିଶ୍ୱକୁ ସ୍ୱାସ୍ଥ୍ୟସେବାର ଏକ ଅଧିକ ସାମଗ୍ରିକ, ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଆଡ଼କୁ ନେଇଯିବ।
ଏହି ଅବସରରେ ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର ପାଇଁ ଡବ୍ଲୁଏଚ୍ଓର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍ରିଟସ୍ ଏବଂ ପାରମ୍ପରିକ ଔଷଧ ସଂପର୍କରେ ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକଙ୍କ ବରିଷ୍ଠ ପରାମର୍ଶଦାତା ଡକ୍ଟର ପୁନମ ଖେତ୍ରପାଳ କହିଥିଲେ ଯେ ଦ୍ୱିତୀୟ ଡବ୍ଲୁଏଚ୍ଓ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ ସମ୍ମିଳନୀ ବିଶ୍ୱ ସ୍ୱାସ୍ଥ୍ୟ ସହଯୋଗକୁ ଆଗକୁ ବଢାଇବାରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ। ସେ କହିଛନ୍ତି ଯେ, ୧୦୦ରୁ ଅଧିକ ଦେଶର ଅଂଶଗ୍ରହଣ ସହିତ, ଏହି ସମ୍ମିଳନୀ ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପାରମ୍ପରିକ, ପରିପୂରକ, ସମନ୍ୱିତ ଏବଂ ସ୍ୱଦେଶୀ ଔଷଧର ପ୍ରମାଣ-ଆଧାରିତ, ସମାନ ଏବଂ ସ୍ଥାୟୀ ସମନ୍ୱୟ ଲାଗି ଏକ ଦଶନ୍ଧି ଲାଗି ରୋଡମ୍ୟାପ ପ୍ରସ୍ତୁତ କରିବ।
ପାରମ୍ପରିକ ଔଷଧ ଉପରେ ବିଶ୍ୱ ନିର୍ଭରଶୀଳତା ବଢୁଥିବା କଥା ଉଲ୍ଲେଖକରି ସେ ଗବେଷଣା, ନବସୃଜନ ଏବଂ ନିୟାମକ ସୁଦୃଢ଼ୀକରଣ ମାଧ୍ୟମରେ ପ୍ରମାଣର ବ୍ୟବଧାନ ପୂରଣ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଶିଖର ସମ୍ମିଳନୀର ଏକ ଅଂଶ ସ୍ୱରୂପ, “ଅଶ୍ୱଗନ୍ଧା: ପାରମ୍ପରିକ ଜ୍ଞାନରୁ ବିଶ୍ୱ ପ୍ରଭାବ – ପ୍ରମୁଖ ବିଶ୍ୱ ବିଶେଷଜ୍ଞଙ୍କ ଦୃଷ୍ଟିକୋଣ” ଶୀର୍ଷକ ଏକ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଡିସେମ୍ବର ୧୭-୧୯, ୨୦୨୫ ରେ ଅନୁଷ୍ଠିତ ହେବ। ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଡବ୍ଲୁଏଚଓ-ଜିଟିଏମସି ଦ୍ୱାରା ଆୟୋଜିତ ଏହି ଅଧିବେଶନ ଅଶ୍ୱଗନ୍ଧାର ବୈଜ୍ଞାନିକ ଜ୍ଞାନକୁ ସୁଦୃଢ଼ କରିବା ପାଇଁ ପ୍ରମୁଖ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅଭ୍ୟାସକାରୀମାନଙ୍କୁ ଏକତ୍ର କରିବ। ଏହି ଆଲୋଚନାରେ ଏହାର ଆଡାପ୍ଟୋଜେନିକ, ନ୍ୟୁରୋପ୍ରୋଟେକ୍ଟିଭ୍ ଏବଂ ଇମ୍ୟୁନୋମୋଡୁଲେଟ୍ରି ଗୁଣ ଉପରେ ସମସାମୟିକ ତଥ୍ୟ ଏବଂ ପାରମ୍ପରିକ ଜ୍ଞାନରୁ ପ୍ରାପ୍ତ ଚିନ୍ତାଧାରା ଉପରେ ଆଲୋକପାତ କରାଯିବ। ସୁରକ୍ଷା ମୂଲ୍ୟାଙ୍କନ ଉପରେ ଗୁରୁତ୍ୱ ଦେଇ, ଏହି ଅଧିବେଶନର ଲକ୍ଷ୍ୟ ଉଚ୍ଚ-ଗୁଣବତ୍ତା, ପ୍ରମାଣ-ଆଧାରିତ ଅଶ୍ୱଗନ୍ଧା ଉତ୍ପାଦଗୁଡ଼ିକର ବିଶ୍ୱସ୍ତରୀୟ ଗ୍ରହଣକୁ ଆହୁରି ପ୍ରୋତ୍ସାହିତ କରିବା।
ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଧୀରେନ୍ଦ୍ର ଓଝା, ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଶ୍ରୀ ଆଲାର୍ମେଲମାଙ୍ଗାଇ ଡି, ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଶ୍ରୀ ମୋନାଲିସା ଦାଶ; ଏବଂ ଆୟୁଷ ମନ୍ତ୍ରଣାଳୟର ଉପ-ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ପାଉଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।
ନଭେମ୍ବର ୯-୧୦, ୨୦୨୫ରେ ଅନୁଷ୍ଠିତ ରାଷ୍ଟ୍ରଦୂତଙ୍କ ସ୍ୱାଗତ ପରେ ଏହି ପ୍ରିଭ୍ୟୁ ଇଭେଣ୍ଟ ଅନୁଷ୍ଠିତ ହେଉଛି, ଯେଉଁଠାରେ କୂଟନୀତିଜ୍ଞମାନଙ୍କୁ ଭାରତ-ଡବ୍ଲୁଏଚଓ ସହଯୋଗ ଏବଂ ଶିଖର ସମ୍ମିଳନୀର ବିଶ୍ୱସ୍ତରୀୟ ଗୁରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା।
ଆଜିର କାର୍ଯ୍ୟକ୍ରମ ସହିତ, ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ପାଇଁ ଆନୁଷ୍ଠାନିକ ଭାବରେ ଅବଗଣନା ଆରମ୍ଭ କରିଛି। ଏହା ବିଶ୍ୱ ସ୍ତରରେ ସାମଗ୍ରିକ, ସମନ୍ୱିତ ଏବଂ ସ୍ଥାୟୀ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।


