Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଦେଶୀ ନାଗରିକ ମାନଙ୍କ ପାଇଁ ଆୟୁଷ ଭିସା ପ୍ରବର୍ତ୍ତନ କଲେ କେନ୍ଦ୍ର ସରକାର

ଦିଲ୍ଲୀ: ଆୟୁଷ ପ୍ରଣାଳୀ/ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ପାଇଁ ବିଦେଶୀ ନାଗରିକଙ୍କ ନିମନ୍ତେ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରାଯିବା ସମ୍ପର୍କରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆୟୁଷ ଭିସାର ପ୍ରବର୍ତ୍ତନ ଆୟୁଷ ଚିକିତ୍ସା ପ୍ରଣାଳୀ/ଚିକିତ୍ସା ସମ୍ପର୍କିତ ଯତ୍ନ, କଲ୍ୟାଣ ଏବଂ ଯୋଗ ପରି ଚିକିତ୍ସା ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଭିସା ଯୋଜନା ପ୍ରବର୍ତ୍ତନ ପ୍ରସ୍ତାବକୁ ପୂରଣ କରେ।

ଏକ ନୂତନ ଅଧ୍ୟାୟ, ଅର୍ଥାତ୍ ଅଧ୍ୟାୟ ୧୧କ – ଆୟୁଷ ଭିସା ଅଧ୍ୟାୟ ୧୧ – ଭିସା ମାନୁଆଲର ମେଡିକାଲ ଭିସା ପରେ ଅନ୍ତର୍ଭୁକ୍ତ କରାଯାଇଛି , ଯାହା ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ସହିତ ଜଡିତ ଏବଂ ସେହି ଅନୁଯାୟୀ ଭିସା ମାନୁଆଲ, ୨୦୧୯ ର ବିଭିନ୍ନ ଅଧ୍ୟାୟରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି।

କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, “ଆୟୁଷ ଚିକିତ୍ସା ପ୍ରଣାଳୀ/ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ଚାହୁଁଥିବା ବିଦେଶୀ ନାଗରିକ ମାନଙ୍କ ପାଇଁ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହା ଭାରତରେ ଚିକିତ୍ସା ମୂଲ୍ୟଭିତ୍ତିକ ଯାତ୍ରାକୁ ବୃଦ୍ଧି କରିବ।

ଏହି ପଦକ୍ଷେପ ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତୀୟ ପାରମ୍ପରିକ ଔଷଧକୁ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପରିଣତ କରିବା ପାଇଁ ଆମର ପ୍ରୟାସକୁ ଆହୁରି ମଜଭୁତ କରିବ। ଏକ ସ୍ୱତନ୍ତ୍ର ଆୟୁଷ ଭିସା ଶ୍ରେଣୀ ସୃଷ୍ଟି କରିବାରେ ତାଙ୍କର ଉଦ୍ୟମ ପାଇଁ ମୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିବାକୁ ଚାହୁଁଛି।”

ଏହା ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ଏପ୍ରିଲ ମାସରେ ଗୁଜରାଟର ଗାନ୍ଧିନଗର ଠାରେ ବିଶ୍ୱସ୍ତରୀୟ ଆୟୁଷ ନିବେଶ ଏବଂ ନବସୃଜନ ସମ୍ମିଳନୀ (ଜିଏଆଇଆଇଏସ୍) ରେ ଆୟୁଷ ଚିକିତ୍ସା ଆବଶ୍ୟକ କରୁଥିବା ବିଦେଶୀ ନାଗରିକ ମାନଙ୍କୁ ଭାରତକୁ ଯାତ୍ରା କରିବା ନିମନ୍ତେ ସୁବିଧା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଆୟୁଷ ଭିସା ଶ୍ରେଣୀ ସୃଷ୍ଟି କରିବାକୁ ଘୋଷଣା କରିଥିଲେ।

ଆୟୁଷ ଭିସା ଶ୍ରେଣୀର ପ୍ରବର୍ତ୍ତନ ହେଉଛି ସରକାରଙ୍କ ହିଲ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅନୁଯାୟୀ ଭାରତର ରୋଡମ୍ୟାପର ଏକ ଅଂଶ ବିଶେଷ, ଯାହା ଭାରତକୁ ଚିକିତ୍ସା ମୂଲ୍ୟଭିତ୍ତିକ ଯାତ୍ରା ଗନ୍ତବ୍ୟସ୍ଥଳ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମିଳିତ ଭାବେ ବିଶ୍ୱରେ ଭାରତକୁ ଏକ ମେଡିକାଲ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବା ପାଇଁ ୱାନ୍ ଷ୍ଟପ୍ ହିଲ୍ ଇନ୍ ଇଣ୍ଡିଆ ପୋର୍ଟାଲ୍ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି।

ଚିକିତ୍ସା ମୂଲ୍ୟଭିତ୍ତିକ ଯାତ୍ରାରେ ନିକଟ ଅତୀତରେ ଭାରତରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଗ୍ଲୋବାଲ୍ ୱେଲନେସ୍ ଇନଷ୍ଟିଚ୍ୟୁଟ୍ (ଜିଡବ୍ଲ୍ୟୁଆଇ) ଦ୍ୱାରା ପ୍ରକାଶିତ ‘ଗ୍ଲୋବାଲ୍ ୱେଲନେସ୍ ଇକୋନୋମି : ଲୁକିଂ ବିୟଣ୍ଡ କୋଭିଡ୍’ ରିପୋର୍ଟ ଅନୁଯାୟୀ, ବିଶ୍ୱ କଲ୍ୟାଣ ଅର୍ଥନୀତି ବାର୍ଷିକ ୯.୯% ହାରରେ ବୃଦ୍ଧି ପାଇବ। ଆୟୁଷ ଭିତ୍ତିକ ସ୍ୱାସ୍ଥ୍ୟ ସେବା ଏବଂ କଲ୍ୟାଣ ଅର୍ଥନୀତି ୨୦୨୫ ସୁଦ୍ଧା ବୃଦ୍ଧି ପାଇ ୭୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଆୟୁଷ ମନ୍ତ୍ରଣାଳୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆୟୁଷ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦିଗ ଉପରେ କାର୍ଯ୍ୟ କରୁଛି। ନିକଟରେ ଆୟୁର୍ବେଦରେ ଚିକିତ୍ସା ମୂଲ୍ୟଭିତ୍ତିକ ଯାତ୍ରା ତଥା ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଆଇଟିଡିସି), ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହୋମିଓପାଥି ସନ୍ଦର୍ଭରେ ହେବ ଉଚ୍ଚତର ଗବେଷଣା: ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସାସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳିଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ବ୍ୟବସ୍ଥା ପ୍ରବର୍ତ୍ତନ ସମୟର ବଡ଼ ଆହ୍ବାନ। ଏହି ଆହ୍ବାନକୁ ସାକାର ରୂପ ଦେବାକୁ ଆଗେଇ ଆସିଛନ୍ତି ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍)।

ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମୀଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି।

ଏହି କ୍ଷେତ୍ରରେ ଉଚ୍ଚତର ଏବଂ ବ୍ୟାପକ ଗବେଷଣାର ପଥ ଉନ୍ମୁକ୍ତ କରିବାର ଯଥେଷ୍ଟ ଆଶା ରହିଛି। ଏପରିକି ହୋମିଓପାଥିର ଉପଯୁକ୍ତ ଉପଯୋଗ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାରକୁ ହ୍ରାସ କରିବା ନେଇ ବିଶ୍ବାସ ଜନ୍ମିଛି।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଥିବା ସ୍ବୟଂଶାସିତ ପ୍ରତିଷ୍ଠାନ ସିସିଆରଏଚ୍ ଏବଂ ଏମ୍ସ ଭୁବନେଶ୍ୱର ମିଳିତ ଭାବେ ଏମ୍ସରେ ଏକୀକୃତ ଚିକିତ୍ସା ବିଭାଗ ପ୍ରତିଷ୍ଠାର ପ୍ରକ୍ରିୟା ଆରମ୍ଭ ହୋଇଛି। ହୋମିଓପାଥିର ବୈଜ୍ଞାନିକ ପ୍ରାମାଣିକତା, ଅନୁସନ୍ଧାନ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଏହି ପ୍ରାଚୀନ ଔଷଧୀର ପ୍ରୟୋଗ ନେଇ ଏହି ବୁଝାମଣାରେ ବିଶେଷ ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ହୋମିଓପାଥି ଚିକିତ୍ସା ନିମନ୍ତେ ପ୍ରମାଣଭିତ୍ତିକ ବ୍ୟବସ୍ଥିତ ଚିକିତ୍ସା ପଦ୍ଧତି ସୃଷ୍ଟି, ବିଭିନ୍ନ ରୋଗ ଉପଶମ କ୍ଷେତ୍ରରେ ଏହାର ପ୍ରୟୋଗଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଦୁଇ ଜାତୀୟ ଅନୁଷ୍ଠାନ ଗବେଷଣା କରିବେ ବୋଲି ପ୍ରକାଶ କରିଛନ୍ତି ଡ. ବିଶ୍ବାସ।

ଏମ୍ସ ଭୁବନେଶ୍ୱର ଭଳି ଜନାଦୃତ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ସହିତ ହୋମିଓପାଥି ସମ୍ପର୍କରେ ଅଧିକ ଗବେଷଣା ନିମନ୍ତେ ହୋଇଥିବା ବୁଝାମଣାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସିସିଆରଏଚ୍ର ମହାନିର୍ଦ୍ଦେଶକ (ଡିଜି) ଡ. ସୁଭାଷ କୌଶିକ। ଏକାଧିକ ରୋଗର ଉପଚାର କରିବାରେ ହୋମିଓପାଥିର ବୈଜ୍ଞାନିକ ପ୍ରମାଣ ରହିଛି। ବିଶେଷ ପାର୍ଶ୍ବପ୍ରତିକ୍ରିୟା ପ୍ରକାଶ ପାଉନଥିବା ଏବଂ ସାଧାରଣ ଲୋକଙ୍କୁ ସୁହାଉଥିବା ହୋମିଓପାଥି ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ଆଧୁନିକ ଚିକିତ୍ସାପ୍ରଣାଳୀ ସହିତ ଏକୀକୃତ ହେଲେ ବ୍ୟାପକ ସମ୍ଭାବନା ସୃଷ୍ଟି କରିବ। ଭାରତ ସରକାରଙ୍କ “ଗୋଟିଏ ରାଷ୍ଟ୍ର, ଗୋଟିଏ ସ୍ୱାସ୍ଥ୍ୟ”ର ଅବଧାରଣାକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୁଝାମଣା ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. କୌଶିକ୍ ଆଶାବ୍ୟକ୍ତ କରିଛନ୍ତି।
କୋଭିଡ୍ ମହାମାରୀ ସମୟରେ ହୋମିଓପାଥିର ଆଦର ବେଶ ବୃଦ୍ଧି ପାଇଥିଲା। ଡେଙ୍ଗୁ, ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ, କୋଭିଡ୍ ପରବର୍ତ୍ତୀ ଜଟିଳ ସମସ୍ୟା, କର୍କଟ ଚିକିତ୍ସା, ବିଭିନ୍ନ ମାନସିକ ରୋଗ ସହିତ ଏକାଧିକ ରୋଗର ଚିକିତ୍ସାରେ ହୋମିଓପାଥିର ପ୍ରୟୋଗ ସୁଫଳ ଆଣିଥିବା ବିଭିନ୍ନ ସମୟରେ ହୋଇଥିବା ପ୍ରୟୋଗାତ୍ମକ ଚିକିତ୍ସାପଦ୍ଧତିରୁ ପ୍ରମାଣିତ ହୋଇଛି।

ଦୁଇ ଅନୁଷ୍ଠାନର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ବରିଷ୍ଠ ମେଡିକାଲ୍ ଅଫିସର (ଆୟୁଷ ବିଭାଗ) ଡ. ପ୍ରଶାନ୍ତ କୁମାର ସାହୁ, ଡ. ଶୁଭାଷୀଶ ସରକାର, ଡ. ଆସିଫ ସର୍ଦ୍ଦାର, ଡ. ଅଜିତ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁଙ୍କ ସମେତ ସିସିଆରଏଚ୍ରୁ ଡ. ଦେବଦତ୍ତ ନାୟକ, ଡ. ଉମାକାନ୍ତ ପୃଷ୍ଟି, ଡ. କରନ୍ପ୍ରୀତ ନହର୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍ସରେ ଥିବା ଏକ ଉତ୍ସର୍ଗୀକୃତ ଆୟୂଷ ବିଭାଗ ଅଧିନରେ ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଆଦି ମାଧ୍ୟମରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି 7ମ ଆୟୁର୍ବେଦ ଦିବସ ମହା ସମାରୋହରେ ଆୟୋଜନ କରାଯାଇଛି। ଚଳିତ ବର୍ଷର 7ମ ଆୟୁର୍ବେଦ ଦିବସ ‘‘ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ’’ ର ଥିମ ସହିତ ଆୟୋଜନ କରାଯାଇଛି ଯଦ୍ବାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ। ଛଅ ସପ୍ତାହ ବ୍ୟାପି ଚାଲୁଥିବା ଏହି ସମାରୋହରେ ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ ଦେଖା ଯାଇଛି। ଭାରତ ସରକାରଙ୍କ  26 ରୁ ଅଧିକ ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଶନ ତଥା ଦୂତାବାସର ସହଯୋଗ ଦ୍ବାରା ଆୟୁଷ ମନ୍ତ୍ରଣାଳୟରର ସଂସ୍ଥାନ/ ପରିଷଦ ଦ୍ବାରା 5000 ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍‌, ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ; ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ଆୟୁଷ ମନ୍ତ୍ରଣାଳୟର ବିଶେଷ ସଚିବ ପ୍ରମୋଦ କୁମାର ପାଠକ ଏବଂ ଏଆଇଆଇଏର ନିର୍ଦ୍ଦେଶକ ପ୍ରଫେସର ତନୁଜା ମନୋଜ ନେସାରିଙ୍କ  ସହିତ ବିଦେଶୀ ଦୂତାବାସ ଏବଂ ଡବ୍ଲୁଏଚଓ-ଏସଇଏଆରଓ ର ପ୍ରତିନିଧିମାନେ ମଧ୍ୟ ସାମିଲ୍ ହୋଇଥିଲେ।

ଉପରୋକ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପିଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଟେ। ଆୟୁର୍ବେଦ ଏବେ ବିଶ୍ବ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ କାରଣରୁ ହୋଇପାରିଛି।

ଅର୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ‘‘ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ବାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ, ରୋଗ ହେବା ପରେ ଏହାର ଚିକିତ୍ସା ବିଷୟରେ ନୁହେଁ।

ଡା. ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦେଶରେ ସ୍ବାସ୍ଥ୍ୟର ଆୟୁଷ ପ୍ରଣାଳୀକୁ ଗତି ପ୍ରଦାନ କରିଛି ଏବଂ ଏବେ ଆୟୁର୍ବେଦକୁ 30 ଟି ଦେଶରେ ସ୍ବୀକୃତି ମିଳିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆୟୁଷର ବର୍ତ୍ତମାନ ଟର୍ଣ୍ଣଓଭର 18.1 ବିଲିୟନ ଡଲାର ଅଟେ।

ମୀନାକ୍ଷି ଲେଖି କହିଛନ୍ତି ଯେ, ‘‘ଏହା ଆମର ପୂର୍ବପୁରୁଷଙ୍କ ବିଜ୍ଞାନର ପ୍ରଶଂସା କରିବାର ସମୟ ଅଟେ। 5000 ବର୍ଷ ରୁ ଅଧିକ ପୁରୁଣା ଏହି ବିଜ୍ଞାନର ସମାରୋହ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଦାରଖରେ ଆୟୁର୍ବେଦ ଦିବସର ଅବସରରେ ପାଳନ କରାଯାଉଛି। ସେମାନେ ସର୍ବଦା ଆୟୁର୍ବେଦ ବିଜ୍ଞାନକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଗତ କିଛି ବର୍ଷ ଧରି ଏହା ଶୀର୍ଷରେ ପହଞ୍ଚି ସାରିଛି।

ପ୍ରଫେସର ତନୁଜା ନୋସାରି କହିଛନ୍ତି ଯେ ‘‘ଆଇ ସପୋର୍ଟ ଆୟୁର୍ବେଦ’’ ଅଭିଯାନକୁ ସମସ୍ତଙ୍କ ଠାରୁ ଅସୀମ ସମର୍ଥନ ମିଳିଛି ଏବଂ 6 ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ଦୀର୍ଘଅବଧି କାର୍ଯ୍ୟକ୍ରମରେ ଆୟୁର୍ବେଦ ଦିବସରେ ଆଧାରିତ ବିଭିନ୍ନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ 1.7 କୋଟିରୁ ଅଧିକ ଲୋକମାନେ ଅଂଶଗ୍ରହଣ କରିଛନ୍ତି ଏବଂ 56 ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ଯାହା ସହାୟତାରେ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ, ସମନ୍ବୟ ଏବଂ ସଂଯୋଜନା କ୍ଷେତ୍ରକୁ ଅନୁସନ୍ଧାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର କରାଯାଇଛି।

ଏହି ଅବସରରେ ‘ଦି ଆୟୁର୍ବେଦିକ ଫାର୍ମାକୋପିଆ ଅଫ ଇଣ୍ଡିଆ’, ‘ଦି ଆୟୁର୍ବେଦିକ ଫର୍ମୁଲାରି ଅଫ୍ ଇଣ୍ଡିଆ’ ଉପରେ ଏକ ପୁସ୍ତକର ବିମୋଚନ କରାଯାଇଛି। ଔଷଧୀୟ ବୃକ୍ଷର ସ୍ବାସ୍ଥ୍ୟ ଲାଭ ବିଷୟରେ ସଚେତନତା ସୃଜନ କରିବା ପାଇଁ, ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଶ୍ବଗନ୍ଧା – ଏକ ସ୍ବାସ୍ଥ୍ୟ ପ୍ରବର୍ତ୍ତକ ଉପରେ ଏକ ପ୍ରଜାତି ବିଶିଷ୍ଟ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ପାଞ୍ଚ ଲଘୁ ଭିଡିଓ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରଣ କଲେ ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି। ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ 21 ଜୁନ୍ 2022 ରେ କରାଯିବ।

ବର୍ଷ 2022 ପାଇଁ ଆବେଦନ ପ୍ରକ୍ରିୟାଟି ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/) ରେ ଚାଲୁ ରହିଛି। ଆବେଦନ /ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍ ଭାବରେ ଦାଖଲ କରାଯାଇପାରିବ। ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ। ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରା ଯାଇ ପାରିବ। ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି। ଏହି ପୁରସ୍କାର ସେହି ଆବେଦକ/ ନୋମିନିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି।

ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏ ର ପେଜ୍ https://innovateindia.mygov.in/pm-yoga-awards-2022/ କୁ ଯାଇ ନାମାଙ୍କନ ପ୍ରକ୍ରିୟାକୁ ବୁଝି ପାରିବେ ତଥା ଏଥିରେ ଅଂଶଗ୍ରହଣ କରିପାରିବେ। ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ 28 ମାର୍ଚ୍ଚ 2022 ରେ ଆରମ୍ଭ କରାଯାଇଛି ତଥା ପ୍ରବେଶିକା ଜମା କରିବାର ଅନ୍ତିମ ତାରିଖ ହେଉଛି 27 ଏପ୍ରିଲ୍ 2022।

ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦକ ମଧ୍ୟ ପ୍ରତ୍ୟକ୍ଷ ଭାବରେ ମଧ୍ୟ ଆବେଦନ ଦାଖଲ କରିପାରିବେ ବା ଯୋଗ କ୍ଷେତ୍ରରେ କାମ କରୁଥିବା କୌଣସି ପ୍ରମୁଖ ବ୍ୟକ୍ତି ବା ସଙ୍ଗଠନ ଦ୍ବାରା ନାମାଙ୍କିତ ହୋଇ ପାରିବେ। ଆବେଦକ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଜାତୀୟ ବା ଆନ୍ତର୍ଜାତୀୟ ପୁରସ୍କାର କ୍ଷେତ୍ରରେ ଗୋଟିଏ ପୁରସ୍କାର ବର୍ଗ ପାଇଁ ନାମାଙ୍କନ କରିପାରିବେ ବା ନିଜେ ନାମାଙ୍କିତ ହୋଇ ପାରିବେ।

ଚୟନ ପ୍ରକ୍ରିୟା ଏକ ବହୁତ ଶୃଙ୍ଖଳିତ ପ୍ରକ୍ରିୟା ଅଟେ ଯେଉଁଥିପାଇଁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦୁଇଟି କମିଟିର ଗଠନ କରିଛନ୍ତି – ଯାଞ୍ଚ କମିଟି ଓ ମୂଲ୍ୟାଙ୍କନ କମିଟି ଯେଉଁମାନେ ପୁରସ୍କାର ପାଇଁ ବିଜେତାଙ୍କ ନାମକୁ ଚୂଡ଼ାନ୍ତ ରୂପ ପ୍ରଦାନ ପାଇଁ ଚୟନ ଓ ମୂଲ୍ୟାଙ୍କନ କରିବେ। ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷତା କ୍ୟାବିନେଟ୍ ସେକ୍ରେଟାରି କରିବେ।

ଯୋଗ ମାନବତାକୁ ଶାରିରୀକ ଓ ମାନସିକ ଆରୋଗ୍ୟର ବାର୍ତ୍ତା ପ୍ରଦାନ କରିଥାଏ। କୋଭିଡ୍ -19 ମହାମାରୀ ସମୟରେ ଏହି ବାର୍ତ୍ତା ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି। ସମଗ୍ର ବିଶ୍ବର ଲୋକମାନେ ସୁସ୍ଥ ରହିବା ଏବଂ ଶକ୍ତିର ସଞ୍ଚାର କରିବା ପାଇଁ ଯୋଗକୁ ନିଜର ଜୀବନରେ ସାମିଲ୍ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଯୋଗକୁ ମିଳୁଥିବା ପରିଚୟ ଏବଂ ତାହାକୁ ଗ୍ରହଣ କରିବାର ଭାବନା ସେହି ସମୟରେ ଅଧିକ ବ୍ୟାପକ ହୋଇ ପାରିଲା ଯେତେବେଳେ ଜାତି ସଂଘ ବର୍ଷ 2014 ରେ ପ୍ରସ୍ତାବ 69/131 ମାଧ୍ୟମରେ 21 ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛନ୍ତି।

ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ 2022 ର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ 13 ମାର୍ଚ୍ଚ 2022 ଠାରୁ ଅଭିଯାନ ମଧ୍ୟ ଆରମ୍ଭ କରି ଦିଆଯାଇଛି। ଶହେ ଦିନର ଏହି କାଉଣ୍ଟ ଡାଉନ୍ 100 ଟି ସହରର 100 ଟି ଅନୁଷ୍ଠାନକୁ ସାମିଲ୍ କରିବ। ଏହି ପ୍ରକ୍ରିୟା 21 ଜୁନ୍ 2022 ପର୍ଯ୍ୟନ୍ତ ଜାରି ରହିବ। ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଯୋଗାଭ୍ୟାସର ପ୍ରଦର୍ଶନ 21 ଜୁନ୍ 2022 କୁ 75 ଟି ପ୍ରମୁଖ ସାଂସ୍କୃତିକ ସ୍ଥାନରେ ମଧ୍ୟ କରାଯିବ। ଉପରୋକ୍ତ 100 ଦିନରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ପ୍ରଦର୍ଶନ, କର୍ମଶଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ। ମନ୍ତ୍ରଣାଳୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏମୟୋଗା ଆପ୍, ନମସ୍ତେ ଆପ୍, ୱାଇ-ବ୍ରେକ୍ ଆପ୍ଲିକେସନ ତଥା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ଲାଭକୁ ପ୍ରସାରିତ କରିବେ। ମାଇଁ ଗଭ୍ ପ୍ଲାଟଫର୍ମରେ ଚାଲୁ ରହିଥିବା କାର୍ଯ୍ୟକ୍ରମରେ ଫଟୋ ପ୍ରତିଯୋଗୀତା, କ୍ବିଜ୍, ଆଲୋଚନା, ଶପଥ, ସର୍ବେକ୍ଷଣ, ଜିଙ୍ଗିଲ୍ ଆଦି ସାମିଲ୍ ରହିଛି।

Categories
MakarSankrati ଜାତୀୟ ଖବର ବିଶେଷ ଖବର

ମକର ସଂକ୍ରାନ୍ତିରେ ହେଲା ସୂର୍ଯ୍ୟ ନମସ୍କାର, ଯୋଗଦେଲେ ଏକ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବିଶ୍ବ ସ୍ତରୀୟ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ
ଦ୍ୱାରା ଟ୍ୱିଟ୍ କରି ଏହି ଅବସରରେ ଗ୍ଲୋବାଲ୍ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଆଜାଦି କା ଅମୃତ ମହୋତ୍ସବ ଉତ୍ସବରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶ୍ବବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ସୂର୍ଯ୍ୟ ନମସ୍କାରରେ ରହିଛି ଆଠଟି ଆସନ ଯାହା 12 ଷ୍ଟେପ ମାଧ୍ୟମରେ କରାଯାଇଥାଏ। ଅଂଶଗ୍ରହଣକାରୀ ଏହି ସବୁ କଷ୍ଟକର ଆସନ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଆୟୁଷ୍ମାନ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋନୋୱାଲ କହିଛନ୍ତି, ଲୋକଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ପାଇଁ ସରକାର ପ୍ରତିବଦ୍ଧ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁମାନେ ଘରେ ସୂର୍ଯ୍ୟ ନମସ୍କାର କରିଛନ୍ତି ସେମାନେ ଭିଡିଓ ଅପଲୋଡ କରିବା ପାଇଁ କୁହାଯାଇଛି। ଏହାଦ୍ବାରା ସାରା ପୃଥିବୀରେ ସୂର୍ଯ୍ୟ ନମସ୍କାରର ମହତ୍ବ ସଂପର୍କରେ ସମସ୍ତେ ଅବଗତ ହେବେ। ପରବର୍ତ୍ତି ସମୟରେ ଏହି ସୂର୍ଯ୍ୟ ନମସ୍କାର କୁ ଆହୁରି ବ୍ୟାପକ କରାଯିବ। ସେଥିପାଇଁ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Categories
MakarSankrati ଜାତୀୟ ଖବର ବିଶେଷ ଖବର

ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ: ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି, ଆମର ଆଶା ରହିଛି ଯେ ଏହି ସଂଖ୍ୟା ଏକ କୋଟି ଅତିକ୍ରମ କରିବ ବୋଲି ସେ କହିଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ର ଭାଇ କହିଥିଲେ ଯେ ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ସକ୍ରିୟ କରିଥାଏ। ମଲିକ୍ୟୁଲାର ଜେନେଟିକ୍ସ ଉପରେ ଯୋଗର ପ୍ରଭାବ କିଭଳି ପଡ଼ିଥାଏ ତାହାର ଅଧ୍ୟୟନ କରାଯାଉଛି ବୋଲି ସେ କହିଥିଲେ।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହା ହେଉଛି ‘‘ଜୀବନ ଶକ୍ତି ପାଇଁ ସୂର୍ଯ୍ୟ ନମସ୍କାର’’ ବୋଲି ସେ କହିଥିଲେ।

ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ, ଜାତୀୟ ଯୋଗ କ୍ରୀଡ଼ା ମହାସଂଘ, ଯୋଗ ପ୍ରାମାଣୀକରଣ ବୋର୍ଡ, ଫିଟ୍‌ ଇଣ୍ଡିଆ ଏବଂ ଆହୁରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କ୍ରୀଡ଼ାବିତ୍‌ମାନେ ସୂର୍ଯ୍ୟ ନମସ୍କାରକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଖେଳାଳୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରତିଯୋଗୀ ଏବଂ ଯୋଗ ପ୍ରତି ଆଗ୍ରହୀ ଲୋକମାନେ ସମ୍ପୃକ୍ତ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ ଏବଂ ୧୪ ଜାନୁଆରୀରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରୁଥିବାର ଭିଡିଓ ଅପଲୋଡ୍‌ କରିବେ। ସମ୍ପୃକ୍ତ ୱେବସାଇଟରେ ପଞ୍ଜୀକରଣର ଲିଙ୍କ ଉପଲବ୍ଧ ରହିଛି ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପ୍ରତିଯୋଗୀ ଏବଂ ଯୋଗ ଆଗ୍ରହୀ ଲୋକମାନେ ନିମ୍ନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ:

https://yoga.ayush.gov.in/suryanamaskar

https://yogacertificationboard.nic.in/suryanamaskar/

https://www.75suryanamaskar.com

Categories
MakarSankrati ଧର୍ମ ବିଶେଷ ଖବର ସଂସ୍କୃତି

ମକର ସଂକ୍ରାନ୍ତି ଦିନ ଆୟୋଜିତ ହେବ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ  ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ଦିନ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଆୟୋଜନ କରୁଛି। ଏହି ପ୍ରଦର୍ଶନ କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଯୋଗ ଦେବେ।

ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହିଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ। ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀଜଗତ ଉପରେ ସୂର୍ଯ୍ୟଙ୍କର କିରଣ ପଡି ସେମାନଙ୍କୁ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ।  ସୂର୍ଯ୍ୟ ସମସ୍ତ ଶକ୍ତିର ମୌଳିକ ଉତ୍ସ ହୋଇଥିବାରୁ ଜଟିଳ ଖାଦ୍ୟ ଶୃଙ୍ଖଳର ପରିଚାଳନା ସହିତ ମନୁଷ୍ୟମାନଙ୍କ ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ। ବୈଜ୍ଞାନିିକ ଦୃଷ୍ଟି କୋଣରୁ ଦେଖାଯୋଏ ଯେ ସୂର୍ଯ୍ୟ ନମସ୍କାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗତ ମହାମାରୀ ସମୟରେ ଏହାର ଗୁରୁତ୍ୱ ଉପଲବ୍‌‌ଧି କରାଯାଇଥିଲା। ଶରୀରରେ ସୂର୍ଯ୍ୟକିରଣ ପଡିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ। ବିଶ୍ୱବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ୱୀକାର କରିଛନ୍ତି।

ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଏହି ବାର୍ତ୍ତା ବିଶ୍ୱକୁ ଦିଆଯାଉଛି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆଜିର ବିଶ୍ୱର ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ଦୈନନ୍ଦିନ ଜୀବନରେ ସୌରଶକ୍ତି ବ୍ୟବହାର କରି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡିବା ପ୍ରକ୍ରିୟା ହ୍ରାସ କରାଯିବା ଉଚିତ। ଅଙ୍ଗାରକାମ୍ଳ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି।

ମକର ସଂକ୍ରାନ୍ତି ଦିନଟିର ଗୁରୁତ୍ୱ ଆମର ସାଂସ୍କୃତିକ, ପରମ୍ପରା ଏବଂ ଅଧ୍ୟାତ୍ମିକ ଜୀବନରେ ରହିଛି। ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଶରୀର ଓ ମନ ମଧ୍ୟରେ ସମନ୍ୱୟ ସ୍ଥାପନ ହୋଇଥାଏ। ଏହାକୁ ପ୍ରତ୍ୟୁଷରୁ ଅଭ୍ୟାସ କରାଯିବା ଉଚିତ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍‌ଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ସମୟରେ ଦୁନିଆର ସମସ୍ତ ବିତ୍ତଶାଳୀ ଦେଶ ଏହି ମହାମାରୀ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଆମର ଲୋକମାନଙ୍କୁ ଏହି ମହାମାରୀରୁ ବଞ୍ଚାଇ ପରିଥିବା କହିଥିଲେ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ଶ୍ରୀ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଶ୍ରୀ ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା କହି, ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ ବୋଲି କହିଥିଲେ।

ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରାଚୀନ ଓ ପ୍ରସାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନିର୍ବାଚନ କମିଶନ, ଭାରତ ସରକାର ଗତ ଦୁଇ ଦଶନ୍ଧିରେ ଆୟୁର୍ବେଦର ଲୋକପ୍ରିୟତା ବଢିବା ସହିତ ଏହାର କମ୍ ମୂଲ୍ୟରେ ଭଲ ଚିକିତ୍ସା ଯୋଗାଇ ଦେବା ସହ ଆଦର ବଢିବା ବିଷୟରେ ନିଜର ଖୁସି ପ୍ରକାଶ କରିଥିଲେ। ଆୟୁଷ ଡ଼ାଇରେକ୍ଟ ଶ୍ରୀ ମାଝି ପ୍ରତିଷ୍ଠାନର ଏହିଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ କରି କିଭଳି ଭାବରେ ଏହି ପ୍ରୟାସକୁ ରାଜ୍ୟର କୋଣ ଅନୁକୋଣକୁ ପହଞ୍ଚା ଯାଇପାରିବ ଆଲୋଚନା କରିଥିଲେ।

ରାଜ୍ୟର ପୂର୍ବତନ ମହିଳା କମିଶନର ନମ୍ରତା ଚଢା ସ୍କୁଲ୍ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜର ପ୍ରିନ୍ସିପାଲ ଶ୍ରୀ ଦାସ ଏହିଭଳି କାର୍ଯ୍ୟକ୍ରମ ସହ ଆୟୋଜକ ସହ ଆୟୋଜକ ହୋଇଥିବାରୁ ନିଜକୁ ଧନ୍ୟ ମନେ କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ।

ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ସୋଭେନିଅରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନା ସହିତ କାର୍ଯ୍ୟକ୍ରମରେ ସେମିନାର ମାଧ୍ୟମରେ ଡ଼ାକ୍ତର ଦୀପକ ସ୍ୱାଇଁ, ଡ଼ାକ୍ତର ଜି.ସି ଭୂୟାଁ, ଡ଼ାକ୍ତର ଭବାନୀ ଶଙ୍କର ପାଲ, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡ଼ାକ୍ତର ସ୍ନେହମୟୀ ମିଶ୍ର, ଡ଼ାକ୍ତର କେଦାରନାଥ ନାୟକ ଆଦି ପାରମ୍ପରିକ ଚିକିତ୍ସା ଉପରେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ। ସେମିନାରର ପ୍ରଥମ ଅଧିବେଶନକୁ ଡ଼ାକ୍ତର ଅଶୋକ ପଣ୍ଡା ଓ ଦ୍ୱିତୀୟ ଅଧିବେଶନକୁ ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆୟୁର୍ବେଦ ଶଲ୍ୟ ଚିକିତ୍ସାକୁ ଏଲୋପାଥିକ ଡ଼ାକ୍ତରଙ୍କ ବିରୋଧ: ସୁଶ୍ରୁତଙ୍କ ପ୍ରତି ଅପମାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାରା ଭାରତବର୍ଷରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏକ ନୂଆ ଆଶା ଓ ସମ୍ଭାବନା ଭାବରେ ଆୟୁର୍ବେଦ ସ୍ନାତକୋତ୍ତର ଡ଼ିଗ୍ରୀ ପ୍ରାପ୍ତ ଆୟୁର୍ବେଦ ଆୟୁଷ ଡ଼ାକ୍ତରଙ୍କୁ ଶଲ୍ୟ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସ୍ୱାଗତ କରିବା ବଦଳରେ ଆଜି ଏଲୋପାଥ୍ୟାକି ଡ଼ାକ୍ତରମାନେ ବିରୋଧକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି।

ଏଲୋପ୍ୟାଥିକ ଡ଼ାକ୍ତରମାନେ ଆୟୁର୍ବେଦ ଡ଼ାକ୍ତରଙ୍କ ଶଲ୍ୟ ଚିକିତ୍ସାକୁ ବିରୋଧ କରିବା ଏକ ପ୍ରକାର ଅସୁସ୍ଥ ପରମ୍ପରାଂକୁ ମୂଳଦୂଆ ପକାଇଛି ବୋଲି ଆୟୁଷ ଡ଼ାକ୍ତରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆୟୁର୍ବେଦ ଚିକିତ୍ସା ଦୁଇହଜାର ବର୍ଷ ତଳର ତଥାପି ଏଇ ଚିକିତ୍ସା ବିଜ୍ଞାନକୁ ଆଦରି ନେଇ ଜୀବିକା ଉପାର୍ଜନର କ୍ୟାରିୟର କରି ଏହାର ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ୱାସ୍ଥ୍ୟସେବାରେ ଯୋଡ଼ିବା ସମୟରେ ଏଲୋପ୍ୟାଥିକ ଡ଼ାକ୍ତର ମାନଙ୍କ ବିରୋଧରେ ଆମେ କେବେ କୌଣସି କଟାକ୍ଷ କରି କହିନାହୁଁ।

ଆଜି ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ରୁତପ୍ରଗତି କରିଛି ସତ କିନ୍ତୁ ଶଲ୍ୟ ଶାସ୍ତ୍ରର ମୁଖ୍ୟ ପ୍ରଣେତା ହେଉଛନ୍ତି ମହର୍ଷି ସୁଶ୍ରୁତ। ତାଙ୍କର ଜ୍ଞାନର ମୌଳିକ ସତ୍ତାକୁ ହିଁ ଆଧୁନିକ ଚିକିତ୍ସା ବିଜ୍ଞାନ ଆଧାର ଭାବରେ ନେଇ ପରବର୍ତ୍ତୀ ବିଜ୍ଞାନ ଆଜି ଆଗେଇ ଆସିଛି। ଆୟୁର୍ବେଦ ଡ଼ାକ୍ତରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ତାଲିମ ଦିଆଯାଇ ଶଲ୍ୟ ସ୍ନାତକୋତ୍ତର ଡ଼ିଗ୍ରୀ ଲାଭପରେ ଚିକିତ୍ସା କରିବାକୁ ଆୟୁଷ ମନ୍ତ୍ରଣାଳୟର ନିଷ୍ପତ୍ତି ଭାରତ ଚିକିତ୍ସା ବିଜ୍ଞାନ ପାଇଁ ଆଶୀର୍ବାଦ।

ଏହାକୁ ଠିକ୍ ଭାବରେ ଅନୁଶୀଳନ ନକରି ଏଲୋପ୍ୟାଥିକ ଡ଼ାକ୍ତରମାନେ ଆମର ଆୟୁର୍ବେଦ ଡ଼ାକ୍ତରଙ୍କ ଶଲ୍ୟ ଚିକିତ୍ସା ସେବାକୁ ବିରୋଧ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ। ସୁନାମ ଥିବା ଆୟୁର୍ବେଦ କଂପାନୀର ଔଷଧକୁ ଏଲୋପାଥିକ ଡ଼ାକ୍ତରମାନେ ଦିଅନ୍ତି ଏବଂ ବହୁ ବଡ଼ବଡ଼ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଏଲୋପାଥିକ ଡ଼ାକ୍ତର ମାନେ ଆୟେୁର୍ବେଦ ପ୍ରଶସ୍ତି ପାଠ କରି ଆୟୁର୍ବେଦ କଂପାନୀ ମାନଙ୍କୁ ଉତ୍ସାହିତ କରି ଆସୁଥିବାବେଳେ ଆୟୁର୍ବେଦ ଡ଼ାକ୍ତରଙ୍କ ଶଲ୍ୟ ଚିକିତ୍ସାକୁ ବିରୋଧ ଏକ ପ୍ରକାର ଅବିବେକର କାମ।

ଯେଉଁଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆୟୁର୍ବେଦର ଚିକିତ୍ସାଙ୍କୁ ଉତ୍ତମ ଭାବି ଆୟୁର୍ବେଦ ଚିକିତ୍ସାର ଉନ୍ନତି ପାଇଁ ଦୁଇଦୁଇଟି ଆୟୁର୍ବେଦ କଲେଜ ଖୋଲିବା ନିଷ୍ପତ୍ତି ନେଇଛନ୍ତି ସେଠାରେ ଏଲୋପାଥିକ ଡ଼ାକ୍ତର ଏବଂ ତଥାକଥିତ ସମାଜସେବୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଡ଼ାକ୍ତର ଅଭାବ ହେତୁ ଗ୍ରାମାଞ୍ଚଳରେ ଆୟୁଷ ଡ଼ାକ୍ତରମାନେ କମ୍ ଦରମା ନେଇ ସ୍ୱାସ୍ଥ୍ୟ ସେବା ଦିଅନ୍ତି। କୋଭିଡ଼୍ ସମୟରେ ସରକାର ମଧ୍ୟ ଆୟୁଷ ଡ଼ାକ୍ତରଙ୍କ ଭରଷାରେ ଆଜି କୋଭିଡ଼୍‌ରୁ ବିଜୟୀ ଲାଭ କରିଛନ୍ତି। ଯେତେବେଳେ ଏଲୋପାଥିକ ଡ଼ାକ୍ତରମାନେ ମେଡ଼ିକାଲ୍‌ରେ ଚିକିତ୍ସା କରୁଥିଲେ ସେତେବେଳେ ଆୟୁଷ ଡ଼ାକ୍ତରମାନେ ଘର ଘର ଦ୍ୱାର ଦ୍ୱାର, ସାହି ସାହି, ଗ୍ରାମ ଗ୍ରାମ ବୁଲି ଲକ୍ଷଣଥିବା ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା ସେବା ଯୋଗାଇ ଦେଇଥିଲେ।

କୋଭିଡ଼୍ ସେବାରେ ଆୟୁର୍ବେଦ ଡ଼ାକ୍ତରଙ୍କ ସେବା ଏଲୋପାଥିକ ଡ଼ାକ୍ତର ସେବାଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଏହିମାନଙ୍କ ଦ୍ୱାରା ହିଁ ଭାରତରେ କୋଭିଡ଼୍ ସ୍ଥିତି ଆୟତ୍ତକୁ ଆସିଛି। ତେବେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ସହ ବିଭିନ୍ନ ଉପାୟରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ନାମରେ ଲୁଟୁଥିବା କିଛି ଅସାଧୁ ଡ଼ାକ୍ତରଙ୍କ ବିରୋଧରେ ଏ ସମାଜ କିମ୍ବା କୌଣସି ଆୟୁଷ ଡ଼ାକ୍ତର ପ୍ରଶ୍ନ ଉଠାଇନାହାନ୍ତି। ଆଜି ଆୟୁର୍ବେଦ ଡ଼ାକ୍ତରମାନେ ଯଦି ମୁହଁ ଖୋଲିବେ ଏବଂ ଏଲୋପାଥିକ ଡ଼ାକ୍ତରୀ ଚିକିତ୍ସା ଭିତରେ ରୋଗୀ ଶୋଷଣ ସଂପର୍କରେ ରହସ୍ୟ ଖୋଲିବେ ଏହା ସେମାନଙ୍କ ହଜମ ମଧ୍ୟ ହେବନି।

ଆୟୁର୍ବେଦ ଚିକିତ୍ସାକୁ ଉନ୍ନତ ଦିଗରେ ନେବାରେ ଆୟୁଷ ମନ୍ତ୍ରଣାଳୟ ନିଷ୍ପତ୍ତିକୁ ଆଜି ହଜମ କରିପାରୁନଥିବା ଏଲୋପାଥିକ ଡ଼ାକ୍ତରମାନେ ପ୍ରଥମେ ନିଜର ଚିକିତ୍ସା ବିଜ୍ଞାନ ଭିତରେ ନିଜ ଜ୍ଞାନକୁ ସୀମିତ ରଖନ୍ତୁ। ଅନ୍ୟର ଜ୍ଞାନ, ଅନ୍ୟର ଚିକିତ୍ସାକୁ କଟାକ୍ଷ କରି ଅପମାନିତ କରିବାର ଏମାନଙ୍କୁ ଅଧିକାର ଦେଲା କିଏ ବୋଲି ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁର ଅଂଚଳର ବହୁ ବରିଷ୍ଠ ଆୟୁଷ ଡ଼ାକ୍ତର ପ୍ରଶ୍ନ ଉଠାଇଛନ୍ତି। ଆୟୁର୍ବେଦ ଡ଼ାକ୍ତରଙ୍କୁ ଶଲ୍ୟ ଚିକିତ୍ସା ପାଇଁ ବିରୋଧ ସୁଶ୍ରୁତଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।