ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଆଜି ୨୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ବିଦ୍ୟାଳୟ ଛାଡ଼ି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଅଗ୍ରସର ହୋଇ ଲୋୟର ପି.ଏମ୍.ଜି. ର ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ଦେଇନାହାଁନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି।
ପ୍ରକାଶଥାଉକି, ଗତ ଆନ୍ଦୋଳନ ସମୟରୁ ଅନେକ ଥର ଶିକ୍ଷକ ନେତୃତ୍ୱ ଓ ସରକାରଙ୍କ ମଧ୍ୟରେ ସମସ୍ୟା ସମାଧାନ ନିମନ୍ତେ ଆଲୋଚନା ହୋଇଛି। ମାତ୍ର ସରକାର ବାରମ୍ବାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନହୋଇ ଶୀତଳଭଣ୍ଡାରରେ ପଡ଼ିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅଦ୍ୟାବଧି ସରକାର ସମସ୍ୟା ସମାଧାନ କରିବା ପାଇଁ ତିନୋଟି କମିଟି ଯଥା- ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, ପଲିଟିକାଲ କମିଟି, ସଚିବସ୍ତରୀୟ କମିଟି ଗଠନ କରିସାରିଛନ୍ତି। ତିନି ତିନୋଟି କମିଟି ଥାଇ ମଧ୍ୟ ସରକାର ସମସ୍ୟା ସମାଧାନକୁ ବିଳମ୍ବ କରିବା ଲକ୍ଷ୍ୟରେ ପୁଣି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଛଅ ମାସ ଭିତରେ ସମସ୍ୟା ସମାଧାନ କରିବେ ବେଲି ପବିତ୍ର ବିଧାନସଭା ଗୃହରେ ଘୋଷଣା କରିଛନ୍ତି। ଏହି କମିଟି ତୁରନ୍ତ ବସି ଛଅମାସ ପରିବର୍ତ୍ତେ ଯଥାଶୀଘ୍ର ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଶୀତ କାକରକୁ ଖାତିର ନକରି ନିଜର ହକ୍ ହାସଲ ପାଇଁ ସମଗ୍ର ଓଡ଼ିଶାରୁ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ସେମାନଙ୍କର ଦାବି ହାସଲ ନହେବା ଯାଏଁ ସେମାନେ ଏମିତି ଶୀତ କାକରରେ ଦିନରାତି ରାଜରାସ୍ତାରେ ପଡ଼ି ରହିବେ। ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀମଧ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା, ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ପ୍ରଚଳିତ ସମାନ ସୁବିଧା ସୁଯୋଗ ଯଥା- ଶିକ୍ଷାଉପକରଣ, ପୋଷାକ ଓ ସାଇକେଲ ଯୋଗାଇ ଦେବା ଇତ୍ୟାଦି ରହିଛି।
ଧାରଣା ସ୍ଥଳରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍ଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଏହି କି ଶିକ୍ଷାବ୍ୟବସ୍ଥାର ଆରମ୍ଭରୁ ପ୍ରଚଳିତ ଅନୁଦାନ ପ୍ରଥାକୁ ଗତ ସରକାର ୨୦୧୫ ମସିହାରେ ପ୍ରକାଶ କରିଥିବା ବିଜ୍ଞପ୍ତି ଆଧାରରେ ଅଗଣତାନ୍ତ୍ରିକ, ଅମାନବୀୟ ଭାବରେ ୨୦୧୩ ମସିହା ଠାରୁ ଉଚ୍ଛେଦ କରି ଶିକ୍ଷାର ବିକାଶଧାରାକୁ କଣ୍ଠରୋଧ କରିବା ସହିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ନକରିବା ଏବଂ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କ ପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କର ଅବସରକାଳୀନ ସୁବିଧା (ପେନ୍ସନ୍, ଗ୍ରାଚ୍ୟୁଇଟ୍ ଇତ୍ୟାଦି) ବ୍ୟବସ୍ଥା ଥିଲେ ମଧ୍ୟ ଉକ୍ତ ସୁବିଧା ଗୁଡ଼ିକୁ ପ୍ରଦାନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ଏହି ବିଦ୍ୟାଳୟଗୁଡ଼ିକରୁ ୫୦ରୁ ୬୦ ଶତକଡ଼ା ଶିକ୍ଷକ ଓ କର୍ମଚାରୀ ଅବସର ଗ୍ରହଣ କରି ଖାଲି ହାତରେ ଘରକୁ ଫେରି ଅତ୍ୟନ୍ତ ଦୟନୀୟ ଓ ଅସହାୟ ଭାବରେ ଅବସର ପରବର୍ତ୍ତୀ ଜୀବନ ବିତାଉଛନ୍ତି। ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ସ୍ଥାନରେ ପୁନଃନିଯୁକ୍ତି ବ୍ୟବସ୍ଥା ପ୍ରଚଳନ ହେଉନଥିବାରୁ ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହୋଇ ବନ୍ଦ ଅବସ୍ଥାକୁ ଚାଲି ଆସିଲେଣି।
ପ୍ରକାଶଥାଉକି ବ୍ୟବସ୍ଥା ଅନୁଯାୟୀ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଅବସର ବୟସ ସୀମା ୫୮ ବର୍ଷ ଥିଲା ବେଳେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଏହା ୬୦ ବର୍ଷ ଥିଲା। ଅଧୁନା ସରକାରୀ ବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅବସର ବୟସସୀମା ୬୦ ବର୍ଷ ହୋଇଥିବା ସ୍ଥଳେ ଏହି ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାକୁ ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏକକ ସଂଖ୍ୟା ଗରିଷ୍ଠତା ହାସଲ ସହ ସରକାର ଗଢ଼ିଥିବା ବର୍ତ୍ତମାନର ସରକାର ପାଖରେ ଓଡ଼ିଶାରେ ଏକ ପ୍ରକାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାବ୍ୟବସ୍ଥା ପ୍ରଚଳନ ପାଇଁ ଇଚ୍ଛାଶକ୍ତି ଥିବା କଥା ସୂଚିତ ହେଉଥିବାରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରି ସମସ୍ତ ସମସ୍ୟାଗୁଡ଼ିକୁ ଗୋଟିଏ କଲମ ଗାରରେ ସମାଧାନ କରିବା ପାଇଁ ନେତୃତ୍ୱମାନେ ମତବ୍ୟକ୍ତ କରିଛନ୍ତି।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ଖୁବ୍ ଶୀଘ୍ର ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।


