କୋଲକାତା: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଷ୍ଟାର ଫୁଟବଲ୍ ଲିଓନେଲ୍ ମେସିଙ୍କ ଏକ ଝଲକ ଦେଖିବା ପାଇଁ ଏକାଠି ହୋଇଥିବା ପ୍ରଶଂସକମାନେ ଆଶା ଅନୁଯାୟୀ ତାଙ୍କୁ ଦେଖିବାର ସୁଯୋଗ ନ ପାଇ ଉତକ୍ଷିପ୍ତ ହୋଇଛନ୍ତି। ଉତ୍ତେଜିତି ପ୍ରଶଂସକମାନେ ଷ୍ଟାଣ୍ଡରୁ ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଛନ୍ତି। ପରିସ୍ଥିତି ଆହୁରି ବିଗିଡ଼ିବା ପରେ, ଲିଓନେଲ୍ ମେସିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସଲ୍ଟ ଲେକ୍ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା।
ଜଣେ ମେସି ପ୍ରଶଂସକ କ୍ରୋଧର ସହ କହିଥିଲେ ଯେ, “ମେସି ରାଜନେତା ଏବଂ ଅଭିନେତାଙ୍କ ଦ୍ୱାରା ଘେରି ରହିଥିଲେ। ଆମକୁ କାହିଁକି ନିମନ୍ତ୍ରଣ କରାଯାଇଥିଲା? ଆମେ ୧୨,୦୦୦ ଟଙ୍କା ମୂଲ୍ୟର ଟିକେଟ୍ କିଣିଥିଲୁ, କିନ୍ତୁ ତାଙ୍କ ମୁହଁ ମଧ୍ୟ ଦେଖି ପାରିଲୁ ନାହିଁ।”
ଆଉ ଜଣେ ପ୍ରଶଂସକ କହିଥିଲେ ଯେ, “ଏହା ଏକ ସମ୍ପୂର୍ଣ୍ଣ ଖରାପ ଆୟୋଜନ ଥିଲା। ମେସି ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ ଏବଂ ଚାଲିଗଲେ। ସେ ଏକ କିକ୍ ମଧ୍ୟ ମାରି ନଥିଲେ। ଆମର ଟଙ୍କା, ଭାବପ୍ରବଣତା ଏବଂ ସମୟ ସବୁ ନଷ୍ଟ ହୋଇଗଲା।”
ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ, ମେସିଙ୍କ ପାଖରେ କେବଳ ରାଜନେତା ଏବଂ ମନ୍ତ୍ରୀ ଉପସ୍ଥିତ ଥିଲେ, ଯେତେବେଳେ ସାଧାରଣ ଲୋକଙ୍କୁ ତାଙ୍କଠାରୁ ଦୂରରେ ରଖାଯାଇଥିଲା। ଏହି କାରଣରୁ ଷ୍ଟାଡିୟମରେ ହଜାର ହଜାର ଲୋକ ତାଙ୍କୁ ଠିକ୍ ଭାବରେ ଦେଖିପାରିଲେ ନାହିଁ।
କ୍ରୋଧିତ ପ୍ରଶଂସକମାନେ ଏହା ମଧ୍ୟ କହିଥିଲେ ଯେ, ଆୟୋଜକମାନେ ଶାହରୁଖ ଖାନଙ୍କ ଉପସ୍ଥିତି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ମଧ୍ୟ ପୂରଣ ହୋଇନଥିଲା। ଜଣେ ପ୍ରଶଂସକ କହିଛନ୍ତି ଯେ, “ଶାହାରୁଖ ଖାନ ମଧ୍ୟ ଆସୁଥିବା କଥା କୁହାଯାଇଥିଲା, କିନ୍ତୁ କାହାକୁ ଅଣାଯାଇ ନଥିଲା।”
ସଲ୍ଟ ଲେକ୍ ଷ୍ଟାଡିୟମରେ ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଷ୍ଟାଡିୟମରେ ଦେଖାଦେଇଥିବା ବିଶୃଙ୍ଖଳା ଏବଂ ଅବ୍ୟବସ୍ଥା କାର୍ଯ୍ୟକ୍ରମକୁ ବାଧାପ୍ରାପ୍ତ କରିବାକୁ ବାଧ୍ୟ କଲା, ମେସିଙ୍କ ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହିତ ନିର୍ଦ୍ଧାରିତ ସାକ୍ଷାତ ବାଧାପ୍ରାପ୍ତ ହେଲା।
ବିଶୃଙ୍ଖଳିତ ପରିସ୍ଥିତି ଯୋଗୁଁ ଷ୍ଟାଡିୟମରେ ଉପସ୍ଥିତ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିପାରିଲେ ନାହିଁ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ଷମା ପ୍ରାର୍ଥନା:
ମମତା ବାନାର୍ଜୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ: “ଏହି ଭୁଲ ପରିଚାଳନା ଘଟଣାରେ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସିଙ୍କ ସମେତ ସମସ୍ତ କ୍ରୀଡା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କୁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି। ମୁଁ ଜଷ୍ଟିସ୍ (ଅବସରପ୍ରାପ୍ତ) ଆଶିଷ କୁମାର ରାୟଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରୁଛି, ଯେଉଁଥିରେ ଗୃହ ବିଭାଗର ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ରହିବେ। ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ, ଦାୟିତ୍ୱ ନିର୍ଣ୍ଣୟ କରିବ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ପରାମର୍ଶ ଦେବ। ପୁଣି ଥରେ, ମୁଁ ସମସ୍ତ କ୍ରୀଡା ପ୍ରେମୀଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।”


