ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଆୟୋଜିତ ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ବୋଲି କହିଥିଲେ।
ବିଶିଷ୍ଟ ଅତିଥି ଭାବେ ଓ.ଏସ.ଏସ.ଏସ.ଏ.ର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡା ମାଧ୍ୟମରେ ଶିଷ୍ଟାଚାର, ଶିସ୍ଟ ଓ ଦଳୀୟ ଭାବନା ଗଢ଼ି ତୋଳିବାକୁ ଆହ୍ୱାନ ଜଣାଇଥିଲେ।
ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଅତିରିକ୍ତ ଜିଲ୍ଲା ଅଧିକାରିଣୀ ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ ଓ ବନଲତା ବେହେରା, ନୟାଗଡ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ସଂଗଠନ ସମ୍ପାଦକ ତଥା ପି.ଏମ. ଶ୍ରୀ ବି.ସି. ହାଇସ୍କୁଲ ରଣପୁରର ପ୍ରଧାନ ଶିକ୍ଷକ ଡ଼. ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଙ୍ଗନାଥ ଦାଶ, ଅବସର ପ୍ରାପ୍ତ ଖେଳ ଶିକ୍ଷକ ତଥା ରାଜ୍ୟ ନିରୀକ୍ଷକ ତ୍ରିନାଥ ସାହୁ ଓ ସମାଜସେବୀ ପରେଶ ମିଶ୍ର ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ସଭାର ସଭାପତିତ୍ୱ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ କରିଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପରେ କ୍ରୀଡା ପତାକା ଉତ୍ତୋଳନ କରାଯାଇ ପ୍ରତିଯୋଗିତାର ଔପଚାରିକ ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସଭାକୁ ଆନନ୍ଦମୟ କରିଥିଲା। ସଭାର ମଞ୍ଚ ପରିଚାଳନା ସତ୍ୟ ନାରାୟଣ ମହାପାତ୍ର କରିଥିଲେ।
ସମସ୍ତ କ୍ରୀଡା ଶିକ୍ଷକ, ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ଶିକ୍ଷକ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ତିନି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


