ଭୁବନେଶ୍ଵର: ଡାକ୍ତରମାନଙ୍କର ବିଭିନ୍ନ ଦାବୀକୁ ଅଣଦେଖା କରୁଥିବା ସରକାରଙ୍କ ଉପରେ ଅଭିଯୋଗ ହୋଇଛି। ଡାକ୍ତରମାନେ ବାରମ୍ବାର ଦାବୀ ଉପସ୍ଥାପନ କରୁଥିଲେ ମଧ୍ୟ ସରକାର ପ୍ରତାରଣା କରୁଛନ୍ତି। ଯାହାକୁ ନେଇ ଡାକ୍ତରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ପକ୍ଷରୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଏକ ଚିଠି ଜାରି କରାଯାଇଛି। ଜାରି କରାଯାଇଥିବା ଚିଠିରେ ସରକାରଙ୍କୁ ଏକ ପ୍ରକାର ଚେତାବନୀ ମଧ୍ୟ ଦିଆଯାଇଛି। ଦାବୀ ପୂରଣ ନହଲେ ଆସନ୍ତା ୨୬ ତାରିଖରୁ ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ବହିର୍ବିଭାଗ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି।
ଚିଠି ମାଧ୍ୟମରେ ଓମସା ପକ୍ଷରୁ କୁହାଯାଇଛି ଯେ, “ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖା ପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ଅନ୍ୟ କିଛି ଦାବୀ ପାଇଁ ସରକାରଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ବାରମ୍ବାର ସରକାରଙ୍କ ଅଣଦେଖା ଓ ପ୍ରତାରଣା ଆଜି ଡାକ୍ତରମାନଙ୍କୁ ଆନ୍ଦୋଳନ କରିବା ପାଇଁ ବାଧ୍ୟ କରୁଛି। ତଥାପି ରୋଗୀ ସେବାକୁ ଗୁରୁତ୍ଵ ଦେଇ ମାତ୍ର ଏକ ଘଣ୍ଟା ବହିର୍ବିଭାଗ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ। ଏହା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ। ଜନସାଧାରଣମାନଙ୍କୁ ଅନୁରୋଧ ଏହି ଲଢେଇ ଆପଣମାନଙ୍କ ପାଇଁ, ଦୟାକରି ଆପଣମାନେ ଆମକୁ ସହଯୋଗ କରନ୍ତୁ। ଡିସେମ୍ବର ମାସ ୨୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦ ଟାରୁ ୧୧ ଟା ଯାଏଁ ବହିର୍ବିଭାଗ ବନ୍ଦ ରହିବ।”
ତେବେ ଓମସା ପକ୍ଷରୁ ଏଭଳି ଘୋଷଣା ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିବ ବୋଲି ଚର୍ଚ୍ଚା ହେଉଛି। ଡାକ୍ତରମାନଙ୍କର ସମସ୍ୟାକୁ ଗୁରୁତ୍ଵ ଦେଇ ତାହାର ସମାଧାନ ତୁରନ୍ତ କରନ୍ତୁ ବୋଲି ସରକାରଙ୍କ ନିକଟରେ ରୋଗୀଙ୍କ ପରିବାର ଲୋକ ନିବେଦନ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୨୨ ତାରିଖରେ OMSA ର ପ୍ରତିନିଧ ଦଳ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ସେହି ସମୟରେ ବିଭିନ୍ନ ଦାବିଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା। ଖୁବ୍ ଶୀଘ୍ର ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ପାଇଁ OMSAକୁ ନିମନ୍ତ୍ରଣ କରିବେ ବୋଲି ମନ୍ତ୍ରୀ ଡା. ମହାଲିଙ୍ଗୀ କହିଥିଲେ।

ଏହି ଆଲୋଚନାରେ ରାଜ୍ୟ ସଭାପତି ଡକ୍ଟର କିଶୋର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଡକ୍ଟର ସଞ୍ଜିବ ପ୍ରଧାନ, କେନ୍ଦ୍ରୀୟ ଜୋନ୍ ଉପାଧ୍ୟକ୍ଷ ଡକ୍ଟର ଆସିସ୍ ଦୀକ୍ଷିତ, CWC ସଦସ୍ୟ ଡକ୍ଟର ପ୍ରସାନ୍ତ ମହାପାତ୍ର ଓ ଡକ୍ଟର କ୍ଷେତ୍ର ମୋହନ କାଣ୍ଡ ଅଂଶ ଗ୍ରହଣ କରିଥିଲେ।


