ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି। ଉକ୍ତ ଅଭିଯୋଗ ଗୁଡିକ ମଧ୍ୟରୁ ୧୦ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା। ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ।
ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି,ଭୁବନେଶ୍ବର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବିଡିଓ ଶ୍ରୀ ଦେବୀପ୍ରସାଦ ମହାନ୍ତି, ତହସିଲଦାର ଶ୍ରୀ. ମୃତ୍ୟୁଞ୍ଜୟ ତ୍ରିପାଠୀ, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


