ରେଢ଼ାଖୋଲ (କନ୍ଦର୍ପ ବେହେରା): ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟରେ ” ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକ ମହୋତ୍ସବ – ୨୦୨୬ , ରେଢ଼ାଖୋଲ ଉପଖଣ୍ଡ ସ୍ତରୀୟ ଆଲୋଚନା ଚକ୍ର “ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ” ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୋହନ ସାହୁ ଅଧ୍ୟକ୍ଷତା କରି କାର୍ଯ୍ଯକ୍ରମଟିକୁ ପରିଚାଳନା କରିଥିଲେ। ସମ୍ବଲପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଅଖିଳ ବିଶ୍ବାଳ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ପର୍ବାଣୀ ସମ୍ପର୍କରେ ଆଲୋଚନା କରିଥିଲା ବେଳେ ଅନ୍ଯତମ ସହ ଆଲୋଚକ ଭାବରେ ଭୀମଭୋଇ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ମାନଭଞ୍ଜନ କହଁର ଯୋଗଦେଇ ପଶ୍ଚିମ ଓଡ଼ିଶାର ଏକ କୃଷି ଭିତ୍ତିକ ଯାତ୍ରା ଭାବରେ ଶିବ – ପାର୍ବତୀଙ୍କ ଲୀଳା ସମ୍ପର୍କିତ ଦଣ୍ଡ ନାଟ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ।
ଏହି ଆଲୋଚନା ଚକ୍ରରେ ଅନ୍ଯାନ୍ଯ ଅତିଥି ଭାବରେ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ପ୍ରଦୀପ କୁମାର ପଣ୍ଡା, ସୌମିକ ବାବୁ, ଅମୂଲ୍ୟ କୃଷ୍ଣ ପାଢ଼ୀ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ସାଂସ୍କୃତି ପରମ୍ପରା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଉକ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ୟାପିକା ଏବଂ ଅନ୍ଯାନ୍ଯ କର୍ମଚାରୀ ମାନଙ୍କ ସହ ସମସ୍ତ ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ବାହାରୁ ଅନେକ ସଂସ୍କୃତି ଓ ସାହିତ୍ଯ ପ୍ରେମୀ , ସାମ୍ବାଦିକ,ବୁଦ୍ଧିଜୀବୀ ଏବଂ ଏହି ଆଲୋଚନା ଚକ୍ର ଉପସମିତିର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଲୋଚନା ଶେଷରେ ଭୀମଭୋଇ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ମାନଭଞ୍ଜନ କହଁରଙ୍କ “ରେଢ଼ାଖୋଲର ଲୋକ କାହାଣୀ” ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସର୍ବ ଶେଷରେ ଅଭିଜିତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।


