ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନ ସିପରେ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଙ୍ଗ ଓ ସୁଟିଙ୍ଗ ପ୍ରତିଯୋଗିତାରେ ୨ଟି ସିଲଭର ମେଡାଲ ପାଇ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ହେଲେ ପ୍ରଶାସନ ଏହି ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଭୁଲି ଯିବାଟା ଆଦୌ ଶୁଭଙ୍କର ହେଲାନାହିଁ।
ଜଣେ ଚାଷୀ ଘରୁ ଜନ୍ମ ଲାଭ କରି ଆଜି ଆନ୍ତର୍ଜାତୀୟ ଦୌଡ ଯୁକ୍ତ ସନ୍ତରଣ ଓ ସୁଇମିଙ୍ଗ ଏବଂ ସୁଟିଙ୍ଗରେ ଦୁଇ ଦୁଇଟି ମେଡାଲ ପାଇ ଦେଶ ପାଇଁ ନାଁ ରଖିଛନ୍ତି। ବିଭିନ୍ନ ଗଣ ମାଧ୍ୟମରେ ଏ ସମ୍ପର୍କରେ ଖବର ମଧ୍ୟ ପ୍ରକାଶ ପାଇଛି। ହେଲେ ପ୍ରଶାସନ ଜଣେ ଅନ୍ତର୍ଜାତୀୟ ଖେଳାଳୀଙ୍କୁ କେମିତି ଜାଣି ପାରିଲାନି ବଡ ପ୍ରଶ୍ନ ବାଚୀ। ଉପରମୁଣ୍ଡା ଗ୍ରାମରେ ଅନୁଷ୍ଠିତ ଏକ ଖେଳ ପ୍ରତିଯୋଗିତାରେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ରବି ନାରାୟଣ ନାଏକ ଅମୀୟଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।
ଗତ ଡିସେମ୍ବର ୮ ରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତି ଯୋଗିତାରେ ଅମୀୟ ଭାଗ ନେଇ ସିନିୟର ବିଭାଗରେ ୨ୟ ସ୍ଥାନ ଅଧିକାର ସହ ସିଲଭର ମେଡାଲ ପାଇଥିଲେ। ସାରା ବିଶ୍ୱର ୩୫ ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ। ତାଙ୍କର ଏହି ସଫଳତାରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପ୍ରଶାସନ ଚୁପ ବସିଛି।
ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପର ମୁଣ୍ଡା ଗ୍ରାମର ଅମିୟ କୁମାର ପ୍ରଧାନ ନିକଟରେ ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ପାଇ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ତରଫରୁ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଵାକୁ ମନୋନୀତ ହୋଇଥିଲେ। ସେ ଉପରମୁଣ୍ଡା ଗ୍ରାମରେ ଅନ୍ତର୍ଯ୍ୟାମି ପ୍ରଧାନ ଓ କୁନି ପ୍ରଧାନଙ୍କ ପୁତ୍ର ଅଟନ୍ତି। ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳ ପ୍ରଦର୍ଶନ କରି ୪୦ ରୁ ଅଧିକ ପଦକ ହାସଲ କରିଛନ୍ତି। ଏଭଳି ଜଣେ ଆନ୍ତର୍ଜାତୀୟ ଖେଳାଳିଙ୍କୁ ବ୍ଲକ, ସବଡ଼ିଭିଜନ ଓ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧନା ଦେବାକୁ ଦାବୀ ହେଉଛି।


