ନୂଆଦିଲ୍ଲୀ: ସମୁଦ୍ରକୂଳିଆ ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପଇଡ଼ ପାଣି ଏକ ସତେଜ ଏବଂ ତାଜା ଅନୁଭବ ଦିଏ। ଏହା ସ୍ୱାସ୍ଥ୍ୟକର ହୋଇଥିବାରୁ ଅନେକ ଏଥିପାଇଁ ଆଗ୍ରହ ପ୍ରକାଶ କରନ୍ତି। ସେହିପରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନଡ଼ିଆ ଅନେକ ସମୟରେ ଅତ୍ୟାବଶ୍ୟକ ବି ହୋଇଥାଏ। ହେଲେ ବ୍ୟବହାର ହୋଇଗଲା ପରେ ନଡ଼ିଆ ଶଢ଼େଇ ଅଦରକାରୀ ହୋଇପଡ଼େ। ଖାଲି ସ୍ଥାନରେ ଜମା ହୋଇ ପରିବେଶ ଓ ସ୍ୱାସ୍ଥ୍ୟ ସଙ୍କଟ ବି ସୃଷ୍ଟି କରିବାର ଆଶଙ୍କା ଥାଏ। ସହରାଞ୍ଚଳ ସ୍ୱାୟତ୍ତସଂସ୍ଥାଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ଭାରତ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି। ଏହା ନଡ଼ିଆ ଶଢ଼େଇ, ପଇଡ଼ ଖୋଳପାକୁ ଆବର୍ତ୍ତୀ ଅର୍ଥନୀତିର ଅଙ୍ଗ କରିଛି। ଯାହା ଫଳରେ ବର୍ଜ୍ୟର ସୁପରିଚାଳନା ହେବା ସହ ଜୀବିକା ମଧ୍ୟ ସୃଷ୍ଟି ହୋଇପାରିଛି।
ଏହା ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଦୂରଦୃଷ୍ଟି ଯୋଗୁ। ଯାହାକୁ ସଫଳ କରିବା ପାଇଁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଉପଯୁକ୍ତ ଟେକ୍ନୋଲୋଜି ବିକାଶ କରିଛି। ଏହି ଟେକ୍ନୋଲୋଜି ଦ୍ୱାରା ଅଦରକାରୀ ସମ୍ପଦରୁ ବିଭିନ୍ନ ଜରୁରୀ ଉତ୍ପାଦ ତିଆରି ହେବା ସହ ରାଜସ୍ୱ ମିଳିପାରୁଛି। ବିଶେଷ କରି ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଏହି ପରିବର୍ତ୍ତନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏଥିରୁ ଜୈବିକ ଖତ ଏବଂ ମାଟିର ବିକଳ୍ପ ଭାବେ ‘କୋକୋପିଟ୍’ ପ୍ରସ୍ତତ ହେଉଛି ଏବଂ ଏହାର କତାରୁ ମଜଭୁତ ଦଉଡ଼ି ତିଆରି କରାଯାଉଛି। ଅର୍ଥାତ୍ ଦିନେ ସମୁଦ୍ର କୂଳ ପାଇଁ ଯାହା ଏକ ସମସ୍ୟା ଥିଲା, ତାହା ଆଜି ଏକ ସୂଚତୁର ସମାଧାନରେ ପରିଣତ ହୋଇଛି ।
ଏହାର ଉଦାହରଣ ଭାରତର ବିଭିନ୍ନ ସହର ସମେତ ଆମ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ଭୁବନେଶ୍ୱରର ପାଳଶୁଣୀ ନଡ଼ିଆ ପ୍ରକ୍ରିୟାକରଣ କେନ୍ଦ୍ର ପବିତ୍ର ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରୁଛି। ଏହି କେନ୍ଦ୍ର ୧୮୯ ଜଣ ବିକ୍ରେତାଙ୍କ ଠାରୁ ଦୈନିକ ୫,୦୦୦-୬,୦୦୦ ନଡ଼ିଆ ସଂଗ୍ରହ କରୁଛି। ଦିନେ ମନ୍ଦିରରୁ ନିର୍ଗତ ଏହି ଅବଶେଷ ନାଳନର୍ଦ୍ଦମା ଅବରୋଧ କରୁଥିବା ବେଳେ ଏବେ ଏଥିରୁ ୭,୫୦୦ କିଲୋଗ୍ରାମରୁ ଅଧିକ କତା ଓ ଦଉଡ଼ି ପ୍ରସ୍ତୁତ ହେଉଛି। ଏହା ସହିତ ଚାଷ ଓ ବଗିଚା କାମ ପାଇଁ ୪୮ ମେଟ୍ରିକ ଟନ୍ ନଡ଼ିଆ ଗୁଣ୍ଡ ଭିତ୍ତିକ ଖତ ଓ ବ୍ଲକ ତିଆରି କରାଯାଉଛି। ଦୈନିକ ୧୦,୦୦୦ ନଡ଼ିଆ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି କେନ୍ଦ୍ର ମାସିକ ୭-୯ ଲକ୍ଷ ଟଙ୍କା ରାଜସ୍ୱ ସୃଷ୍ଟି କରୁଛି। ଏଥିସହ ବୈଷୟିକ ପ୍ରଶିକ୍ଷଣ ଓ ନିଯୁକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସଫେଇ ମିତ୍ରମାନେ ସ୍ଥାୟୀ ଆୟ ଓ ସମ୍ମାନଜନକ ଜୀବିକା ପାଉଛନ୍ତି।
ଓଡ଼ିଶାର ପୁରୀ, ଉତ୍ତରପ୍ରଦେଶର ବାରାଣସୀ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଭଳି ଧାର୍ମିକ କେନ୍ଦ୍ରଗୁଡ଼ିକ ମନ୍ଦିରରୁ ନିର୍ଗତ ନଡ଼ିଆ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ ସ୍ୱତନ୍ତ୍ର ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ର ସ୍ଥାପନ କରିଛନ୍ତି, ଯାହାଦ୍ୱାରା ଗୋଟିଏ ହେଲେ ଖୋଳପା ବେକାର ଯାଉନାହିଁ।
ଗୋଟିଏ ବି ଶଢ଼େଇ ପଡ଼ିରହିବ ନାହିଁ: ଏସ୍ବିଏମ୍-ୟୁ୨.୦ ଦ୍ୱାରା ନଡ଼ିଆ ବର୍ଜ୍ୟ ଜୀବିକା ଯୋଗାଉଛି। ଉପକୂଳ ସହରେ ଏହାଦ୍ୱାରା ଦଉଡ଼ି ଏବଂ ଜୈବିକ ସାର ତିଆରି ହେଉଛି।
ସରକାରୀ ତଥ୍ୟ ଅନୁଯାୟୀ, ସହରାଞ୍ଚଳର ଓଦା ବର୍ଜ୍ୟବସ୍ତୁ ମଧ୍ୟରେ ନଡ଼ିଆ ଅବଶିଷ୍ଟାଂଶ ପରିମାଣ ୩-୫% ରହିଥାଏ—ଯାହା କାଗଜ କଲମରେ କମ୍ ଜଣାପଡ଼ୁଥିଲେ ମଧ୍ୟ, ଦୈନିକ ଉତ୍ପନ୍ନ ହେଉଥିବା ୧.୬ ଲକ୍ଷ ଟନ୍ ପୌର ବର୍ଜ୍ୟବସ୍ତୁ ତୁଳନାରେ ଏହା ବିଶାଳ, ଏବଂ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଏହି ପରିମାଣ ୬-୮% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳ ନଡ଼ିଆ ଉତ୍ପାଦନରେ ଆଗୁଆ ରହିଥିବା ବେଳେ—ଏବଂ ବର୍ତ୍ତମାନ କର୍ଣ୍ଣାଟକ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ—ଭାରତ ଏହା ପ୍ରମାଣ କରି ଦେଖାଉଛି ଯେ ଏକ ପରିତ୍ୟକ୍ତ ନଡ଼ିଆ ଖୋଳପା ମଧ୍ୟ ବଡ଼ ଧରଣର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିପାରେ।
ଭାରତର ନଡ଼ିଆ ଚାଷର ସଫଳତା ବିଶ୍ୱ ଦରବାରରେ ଚହଳ ସୃଷ୍ଟି କରୁଛି। ନାରିକେଳ ବିକାଶ ପରିଷଦ ଏବଂ କତା ପରିଷଦ ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷରେ ମୋଟ ଉତ୍ପାଦନ ୨୧,୦୦୦ ନିୟୁତ ସଂଖ୍ୟା ଅତିକ୍ରମ କରିଛି, ଯେଉଁଥିରେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ପ୍ରାୟ ୯୦ ପ୍ରତିଶତ ଅବଦାନ ଦେଉଛନ୍ତି। ଏହି ବର୍ଜ୍ୟରୁ ସମ୍ପଦ ସୃଷ୍ଟି କରିବାର ପ୍ରକ୍ରିୟା ମାଧ୍ୟମରେ ଭାରତ ଉଭୟ ପରିବେଶ ସୁରକ୍ଷା ଓ ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ୨୦୨୫ ମସିହାରେ ବିଶ୍ୱ କତା ବଜାର ପ୍ରାୟ ୧୨,୦୦୦ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି, ଯେଉଁଥିରେ ସାରା ବିଶ୍ୱର ମୋଟ ଉତ୍ପାଦନର ୪୦ ପ୍ରତିଶତରୁ ଅଧିକ କେବଳ ଭାରତ ଯୋଗାଉଛି। ମାଟି ବିନା ଚାଷ କାର୍ଯ୍ୟ ପାଇଁ ନଡ଼ିଆ ପାଉଡର ବା କୋକୋପିଟ୍ର ବଢୁଥିବା ଚାହିଦା ଯୋଗୁଁ—ବିଶେଷ କରି ୟୁରୋପ ଏବଂ ଆମେରିକାରେ—ରପ୍ତାନି ବାର୍ଷିକ ୧୦ ରୁ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଚୀନ୍ (୩୭ ପ୍ରତିଶତ) ଏବଂ ଆମେରିକା (୨୪ ପ୍ରତିଶତ) ସବୁଠାରୁ ବଡ଼ କ୍ରେତା ଭାବେ ଉଭା ହୋଇଥିବା ବେଳେ ଏହା ପଛକୁ ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ପେନ୍ ରହିଛନ୍ତି।
କର୍ଣ୍ଣାଟକର ବେଙ୍ଗାଲୁରୁ, ମୈଶୂର ଏବଂ ମାଙ୍ଗାଲୁରୁରେ ନଡ଼ିଆ ବର୍ଜ୍ୟରୁ ସମ୍ପଦ ସୃଷ୍ଟିର କାହାଣୀ ଏକ ବଡ଼ ସଫଳତା ଆଡ଼କୁ ଅଗ୍ରସର ହେଉଛି। ଏଠାରେ ଦୈନିକ ୧୫୦ ରୁ ୩୦୦ ମେଟ୍ରିକ ଟନ ନଡ଼ିଆ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ତାମିଲନାଡୁର ଚେନ୍ନାଇ, କୋଏମ୍ବାଟୁର ଏବଂ ମଦୁରାଇରେ ମଧ୍ୟ ଅନୁରୂପ ପ୍ରକ୍ରିୟାକରଣ କରାଯାଉଛି। କେରଳର କୋଚି ଓ ତିରୁବନନ୍ତପୁରମ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ, ଗୁଜରାଟର ସୁରଟ ଏବଂ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ପର୍ଯ୍ୟନ୍ତ, ନଡ଼ିଆ ପାଣିର ଅତ୍ୟଧିକ ବ୍ୟବହାର ଯୋଗୁଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ସ୍ୱତନ୍ତ୍ର ନଡ଼ିଆ କତା ପରିଚାଳନା କେନ୍ଦ୍ର ସ୍ଥାପନ କରିଛନ୍ତି। ଏକ ଆଦର୍ଶ ସୃଷ୍ଟି କରି ମୈଶୂର ଏବଂ ମଦୁରାଇ ନଡ଼ିଆ ବର୍ଜ୍ୟର ଶତପ୍ରତିଶତ ପୁନଃ ଚକ୍ରଣ କରିବାରେ ସଫଳ ହୋଇଛନ୍ତି।
ସରକାରୀ ଯୋଜନାଗୁଡ଼ିକ ନଡ଼ିଆ ବର୍ଜ୍ୟବସ୍ତୁକୁ ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦ ଅଧୀନରେ, ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ସରକାର ଉଦ୍ୟୋଗୀ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ୨୫ ରୁ ୫୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କତା ଉଦ୍ୟମୀ ଯୋଜନା ଏହାକୁ ଆହୁରି ସୁଦୃଢ଼ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପଗୁଡ଼ିକୁ ୪୦ ପ୍ରତିଶତ ସହାୟତା ରାଶି ଯୋଗାଇ ଦେଉଛି। ଏହା ସହିତ ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ୫୦୦ଟି ନୂତନ ବର୍ଜ୍ୟରୁ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ଯାହା ନଡ଼ିଆ ଅବଶେଷକୁ ଖତ ଏବଂ ଜୈବିକ ଗ୍ୟାସରେ ପରିଣତ କରୁଛି—ଯାହା ପ୍ରମାଣ କରୁଛି ଯେ ଯେତେବେଳେ ସରକାରୀ ନୀତି ସହିତ ସ୍ଥାୟୀ ବିକାଶର ମେଳ ହୁଏ, ସେତେବେଳେ ବର୍ଜ୍ୟବସ୍ତୁ ମଧ୍ୟ ଲାଭଜନକ ହୋଇପାରେ।
ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦ ଅଧୀନରେ, ସହରଗୁଡ଼ିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ସ୍ୱତନ୍ତ୍ର ପ୍ରକ୍ରିୟାକରଣ ୟୁନିଟ୍ ମାଧ୍ୟମରେ ନଡ଼ିଆ ବର୍ଜ୍ୟବସ୍ତୁକୁ ଏକ ସୁଯୋଗରେ ପରିଣତ କରୁଛନ୍ତି। ଭାରତର ଏହି ବଢୁଥିବା କତା ଶିଳ୍ପରେ ପ୍ରାୟ ୭.୫ ଲକ୍ଷ ଲୋକ ଜଡ଼ିତ ଅଛନ୍ତି—ଯେଉଁଥିରେ ୮୦ ପ୍ରତିଶତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ପରିଚାଳନା କରୁଛନ୍ତି। ସାରା ଦେଶରେ ୧୫,୦୦୦ ରୁ ଅଧିକ ୟୁନିଟ୍ (କେବଳ ତାମିଲନାଡୁରେ ୭,୭୬୬) ଦ୍ୱାରା ଇନ୍ଦୋର, ବେଙ୍ଗାଲୁରୁ ଏବଂ କୋଏମ୍ବାଟୁର ଭଳି ସହରଗୁଡ଼ିକରେ ନଡ଼ିଆ ବର୍ଜ୍ୟବସ୍ତୁକୁ ବ୍ୟବହାର ଯୋଗ୍ୟ ସମ୍ପଦରେ ପରିଣତ କରାଯାଉଛି।
ଏହି ଉଦ୍ୟମ ଫଳରେ ବର୍ଜ୍ୟବସ୍ତୁର ପ୍ରାୟ ୯୦ ପ୍ରତିଶତ ଅଂଶ ଏବେ ପୋଡ଼ି ହୋଇ ନଷ୍ଟ ହେବା କିମ୍ବା ୧୦-୨୦ ବର୍ଷ ପର୍ଯ୍ୟନ୍ତ ପଡ଼ି ରହି ଅଙ୍ଗାରକାମ୍ଳ ଓ ମିଥେନ୍ ଗ୍ୟାସ୍ ନିର୍ଗତ କରିବା ପରିବର୍ତ୍ତେ ଦଉଡ଼ି, ପାପୋଛ ଏବଂ ଖତରେ ପରିଣତ ହେଉଛି। ସ୍ଥାୟୀ ସମାଧାନ, ଲାଭଜନକ ବ୍ୟବସାୟ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସହିତ ନଡ଼ିଆ ବର୍ଜ୍ୟବସ୍ତୁ ଏବେ ଏକ ଆକର୍ଷଣୀୟ ରୂପ ନେଇଛି।
କେରଳର କୁନ୍ନମକୁଲମରେ ଥିବା ‘ଗ୍ରୀନ୍ ଡି-ଫାଇବରିଂ ୟୁନିଟ୍’ ଏହାର ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ନଡ଼ିଆ କତା ଓ ଓଦା ବର୍ଜ୍ୟବସ୍ତୁକୁ ଦୁର୍ଗନ୍ଧମୁକ୍ତ ଖତରେ ପରିଣତ କରୁଛି। ଯେଉଁ ଚାଷୀମାନେ ଦିନେ ନଡ଼ିଆ କତାକୁ ଫିଙ୍ଗି ଦେଉଥିଲେ, ସେମାନେ ଏବେ କତା ପିଛା ୧ ଟଙ୍କା ୨୫ ପଇସା ରୋଜଗାର କରୁଛନ୍ତି ଏବଂ ନିଜେ ଆସି ଏହାକୁ କେନ୍ଦ୍ରରେ ପହଞ୍ଚାଉଛନ୍ତି। ଛଅ ଜଣିଆ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏହି ୟୁନିଟ୍ କେବଳ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରୁନାହିଁ, ବରଂ ଖତ ପ୍ରସ୍ତୁତିର ଉନ୍ନତ କୌଶଳ ମଧ୍ୟ ଶିକ୍ଷା ଦେଉଛି। ନଡ଼ିଆ କତା ବିକ୍ରି କରି ଲାଭ କରାଯାଉଛି ଏବଂ ବଳକା କ୍ଷୁଦ୍ର ଅଂଶରୁ ଅଭିନବ ‘ଜୈବିକ କୁଣ୍ଡ’ ତିଆରି କରାଯାଉଛି।
ବୃହତ ଚେନ୍ନାଇରେ କଞ୍ଚା ନଡ଼ିଆ କତାକୁ ଖତ ଓ ଦଉଡ଼ିରେ ରୂପାନ୍ତରିତ କରାଯାଉଛି। ଡିସେମ୍ବର ୨୦୨୧ ରୁ ଏଠାରେ ପ୍ରାୟ ୧.୫ ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି, ଯେଉଁଥିରୁ ୧.୧୫ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ପ୍ରକ୍ରିୟାକରଣ ସରିଛି। ସରକାରୀ-ବେସରକାରୀ ସହଭାଗିତା ମଡେଲ୍ରେ ପରିଚାଳିତ ଏହି ୟୁନିଟ୍ଗୁଡ଼ିକ ସମ୍ପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟ କରୁଛନ୍ତି। ଟାୟାର କମ୍ପାନୀ, ନର୍ସରୀ ଏବଂ ଜଙ୍ଗଲ ବିଭାଗ ସମେତ ପ୍ରାୟ ୩୦ ଜଣ ନିୟମିତ ଗ୍ରାହକ ଏହି ଉତ୍ପାଦଗୁଡ଼ିକୁ କ୍ରୟ କରୁଛନ୍ତି।
ଇନ୍ଦୋରର ନଡ଼ିଆ ବର୍ଜ୍ୟ ପ୍ରକ୍ରିୟାକରଣ ମଡେଲ୍ରେ ଗୋଟିଏ ହେଲେ ଅଂଶ ବେକାର ଯାଉନାହିଁ। ନଡ଼ିଆ ବର୍ଜ୍ୟବସ୍ତୁକୁ ସିଧାସଳଖ ଜୈବିକ ଗ୍ୟାସ ପ୍ଲାଣ୍ଟ ନିକଟକୁ ପଠାଯାଉଛି, ଯେଉଁଠାରେ ଦୈନିକ ୨୦ ଟନ୍ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ହେଉଛି। ଶୁଖିଲା ଲାଇନ୍ରୁ ପ୍ରସ୍ତୁତ ‘କୋକୋପିଟ୍’ ମାଟିର ଆଦ୍ରତା ଧରି ରଖିବା କ୍ଷମତାକୁ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରୁଥିବା ବେଳେ ଓଦା ଲାଇନ୍ରୁ ମିଳୁଥିବା କତାରେ ଦଉଡ଼ି, ମୂର୍ତ୍ତି ଏବଂ କଳାକୃତି ପ୍ରସ୍ତୁତ ହେଉଛି। ୨୦,୦୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ ଏହି ୟୁନିଟ୍ ଦୈନିକ ପ୍ରାୟ ୨୦,୦୦୦ ଟଙ୍କା ରୋଜଗାର କରୁଛି।
ବିହାରର ପାଟନା ଶୂନ୍ୟ-ଖର୍ଚ୍ଚ ବର୍ଜ୍ୟରୁ ସମ୍ପଦ ମଡେଲ୍ ଆପଣେଇଛି। ଦାନାପୁରଠାରେ ଥିବା ଆଧୁନିକ ପ୍ରକ୍ରିୟାକରଣ ୟୁନିଟ୍ ନଡ଼ିଆ ବର୍ଜ୍ୟକୁ ଏଣେତେଣେ ଫୋପାଡ଼ିବ ପରିବର୍ତ୍ତେ ଦୈନିକ ୧୦ ଟନ୍ ବର୍ଜ୍ୟର ପରିଚାଳନା କରୁଛି। ନଡ଼ିଆ କତାରୁ ପ୍ୟାକେଜିଂ, ନିର୍ମାଣ ଏବଂ ହସ୍ତଶିଳ୍ପ ପାଇଁ ଦଉଡ଼ି ତିଆରି ହେଉଥିବା ବେଳେ ଓଦା ଅଂଶରୁ ନର୍ସରୀ ଓ ଚାଷ ଜମି ପାଇଁ ଉଚ୍ଚ ମାନର ଜୈବିକ ଖତ ପ୍ରସ୍ତୁତ କରାଯାଉଛି।
ମନ୍ଦିର ମାଳିନୀ ସହରଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପର୍ଯ୍ୟନ୍ତ, ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ଅଧୀନରେ ଭାରତର ନଡ଼ିଆ ବର୍ଜ୍ୟବସ୍ତୁ ପରିଚାଳନାର ଏହି ଯାତ୍ରା ପ୍ରମାଣ କରୁଛି ଯେ ଯେତେବେଳେ ସରକାରୀ ନୀତି, ଜନସାଧାରଣ ଏବଂ ନୂତନ ଚିନ୍ତାଧାରାର ସମନ୍ୱୟ ଘଟେ, ସେତେବେଳେ ସ୍ଥାୟୀ ବିକାଶ ସମୃଦ୍ଧ ହୋଇଥାଏ।


