ପୁରୀ: ଶ୍ରୀମନ୍ଦିରରେ ପ୍ରୋଟକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଘଟିଥିବା ଅଘଟଣ ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏଥି ନେଇ ଶ୍ରୀ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଶ୍ରୀ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୁରୀ ଏସପି ଘଟଣାର ତଦନ୍ତ କରିବେ।
ଏହା ସହ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ମଧ୍ୟ ଏହାର ତର୍ଜମା କରିବେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଖାଲି ପଡିଥିବା ଜେଟିପି ଓ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ।


