ବାଲୁଗାଁ: ବନ୍ଧୁମାନଙ୍କ ସହ ବଣଭୋଜିରେ ଯାଇଥିବା ନିଖୋଜ ନାବାଳକଙ୍କ ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୩ ଦିନ ପରେ ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗ୍ରାମର ଚିନ୍ମୟ ପରିଡା ନାମକ ଜଣେ ନାବାଳକ ବନ୍ଧୁମାନଙ୍କ ସହ ବଣଭୋଜି କରିବା ପାଇଁ ଯାଇଥିଲେ। ହେଲେ ଘରେ ସମସ୍ତେ ପହଞ୍ଚିଥିବା ବେଳେ ଚିନ୍ମୟ ରାତି ଯାଏଁ ଘରେ ପହଞ୍ଚିନଥିଲେ। ପୁଅ ନ ଫେରିବାର ଦେଖି ନାବାଳକଙ୍କ ମା’ ବାଣପୁର ଥାନାରେ ଏତଲା ଦେଇଥିଲେ। ମା’ଙ୍କ ଏତଲା ଆଧାରରେ ବାଣପୁର ପୋଲିସ ତଦନ୍ତ ଜାରୀ ରଖିଥିଲା। ଏବଂ ଦୁଇ ଜଣ ବନ୍ଧୁଙ୍କୁ ପୋଲିସ ଅଟକ ରଖିଥିଲା।
ତେବେ ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବେଲପଡା ପୋଖରୀ ନିକଟରୁ ଗତକାଲି ନାବାଳକଙ୍କ ଚପଲ ଓ ସାର୍ଟ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ SDPO, ବାଣପୁର ପୋଲିସ ପହଞ୍ଚିଥିଲେ। ଯାହାପରେ ବାଲୁଗାଁ ଅଗ୍ନିଶମ ବାହିନୀ ପୋଖରୀରେ ଖୋଜାଖୋଜି କରି ନାବାଳକଙ୍କ କୌଣସି ସନ୍ଧାନ ପାଇନଥିଲା। କିନ୍ତୁ ଆଜି ସକାଳେ ପୁନଶ୍ଚ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଚିନ୍ମୟଙ୍କ ମୃତଦେହ ଉଦ୍ଧାର କରିଥିଲା।


